କ୍ରୁଜ୍ ଡ୍ରଗ୍ସ ମାମଲାରେ ୨୫ କୋଟିର ଡିଲ୍ !

63

ମୁମ୍ବାଇ : ବଢ଼ିଚାଲିଛି ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାର ଅଡୁଆ । ଦିନକୁ ଦିନ ଏହି ମାମଲାରେ ନୂଆ ଟ୍ୱିଷ୍ଟ ଆସୁଛି । ଘଟଣାକୁ ବିସ୍ଫୋରକ ରୂପ ଦେଇଛି ଅନ୍ୟତମ ସାକ୍ଷୀ ପ୍ରଭାକର ସାୟଲର ସତ୍ୟପାଠ । ଯେଉଁଥିରେ ରହିଛି କେପି.ଗୋସାଭି ଓ ଏନ୍ସିବି ଅଧିକାରୀ ସମୀର ୱାଙ୍ଖେଡେଙ୍କ ମଧ୍ୟରେ ଟଙ୍କା କାରବାର କଥା । କୋପି ଗୋସାଭି ଜଣେ ପ୍ରାଇଭେଟ୍ ଇନ୍ଭେଷ୍ଟିଗେଟର । ଆର୍ଯ୍ୟନ ଗିରଫ ସମୟରେ ତାଙ୍କ ସେଲଫୀ ବେଶ୍ ଚର୍ଚ୍ଚାରେ ରହିଥିଲା । ଏବେ ନୂଆ ଭିଡିଓ ମଧ୍ୟ ଆସିଛି । ପ୍ରଭାକର ନିଜକୁ କେପି ଗୋସାଭିଙ୍କ ପୂର୍ବତନ ବଡ଼ିଗାର୍ଡ ବୋଲି କହୁଛନ୍ତି । କ୍ରୁଜ୍ ରେଡ୍ ପରେ ଜଣଙ୍କଠାରୁ ଶ୍ରୀ ଗୋସାଭି ୫୦ଲକ୍ଷ ଟଙ୍କା ନେଇଥିବା ପ୍ରଭାକର କହିଛନ୍ତି । ତାଙ୍କ ସୂଚନା ମୁତାବକ ଅକ୍ଟୋବର ୩ ତାରିଖ ଦିନ ଗୋସାଭି ଫୋନ୍ରେ ସାମ୍ ଡିସୁଜା ନାମକ ଜଣେ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ । ସେ କହୁଥିଲେ ତୁମେ ୫୦ କୋଟିର ବୋମା ରଖିଦେଲ । ୧୮ କୋଟିରେ ଚୂଡ଼ାନ୍ତ କରି କଥା ତୁଟାଇ ଦିଅ । ଆମକୁ ୮ କୋଟି ସମୀର ୱାଙ୍ଖେଡେଙ୍କୁ ଦେବାକୁ ପଡ଼ିବ । କେବଳ ଏତିକି ନୁହେଁ, ଶାହାରୁଖ୍ ଖାନ୍ଙ୍କ ମ୍ୟାନେଜର ପୂଜା ଦଦ୍ଲାନି ଆସି ସାମ୍ ଏବଂ ଗୋସାଭିଙ୍କୁ ଭେଟି ଆଲୋଚନା କରିଥିଲେ ।

ଏଥିସହିତ ପ୍ରଭାକର କହିଛନ୍ତି ତାଙ୍କୁ ଏନ୍ସିବି ଅଫିସ୍କୁ ସାକ୍ଷୀ ଭାବେ ଡକାଯାଇଥିଲା । କିନ୍ତୁ ତାଙ୍କଠାରୁ ସାଧା କାଗଜରେ ଦସ୍ତଖତ କରିବାକୁ କୁହାଯାଇଥିଲା ବୋଲି ପ୍ରଭାକର କହିଛନ୍ତି । କେପି ଗୋସାଭିଙ୍କ ନାଁରେ ପୂର୍ବରୁ ଏକ ଠକେଇ ମାମଲା ରହିଛି । ସେ ଏବେ ନିଖୋଜ । ତାଙ୍କ ନାଁରେ ଲୁକ୍ଆଉଟ୍ ନୋଟିସ ଜାରି କରିଛି ମହାରାଷ୍ଟ୍ର ପୋଲିସ । ସେ ସତ୍ୟପାଠରେ ଉଲ୍ଲେଖ କରିଛି ଯେ, ତା ଜୀବନ ପ୍ରତି ବିପଦ ରହିଛି । ଏ ଘଟଣା ନେଇ ସମୀର ସିଧା କିଛି ଉତ୍ତର ରଖିନାହାନ୍ତି । ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଏହି ଡ୍ରଗ୍ସ କେସ୍ରେ ମହାରାଷ୍ଟ୍ର ସରକାରକୁ ବଦ୍ନାମ୍ କରିବାକୁ ଚେଷ୍ଟା କରାଯାଉଛି । ଏବେ ଟଙ୍କା କାରବାର କଥାରୁ ସତ ପଦାକୁ ଆସିଛି ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ମହାରାଷ୍ଟ୍ରର ଭାବମୂର୍ତ୍ତିକୁ ଖରାପ କରିବାକୁ ପାଇଁ ଏହି ମାମଲା କରାଯାଇଛି । ସୂଚନାଯୋଗ୍ୟ ଯେ, ଆର୍ଯ୍ୟନ ଖାନ୍ ଏବେ ଜେଲରେ ଅଛନ୍ତି । ଆସନ୍ତା ୨୬ ତାରିଖରେ ବମ୍ବେ ହାଇକୋର୍ଟରେ ଶୁଣାଣି ହେବ । ଏ ମଧ୍ୟରେ କ୍ରୁଜ୍ ଡ୍ରଗ୍ସ କେସ୍କୁ ନେଇ ନୂଆ ନୂଆ ମୋଡ ଆସୁଛି ।

Comments are closed.