ଆଜିଠୁ ଅଷ୍ଟମ ଶ୍ରେଣୀ ଅଫ୍ଲାଇନ୍ ପାଠପଢ଼ା

71

ଭୁବନେଶ୍ୱର : ସୋମବାରଠାରୁ ଅଫ୍ଲାଇନ୍ ରେ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । କ୍ଲାସ୍ ରୁମରେ ଛାତ୍ରଛାତ୍ରୀ ପାଠପଢ଼ିବେ । ସକାଳ ୯ରୁ କ୍ଲାସ୍ ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଏହି ପାଠପଢ଼ା ଚାଲିବ । ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ ରେ ପଢ଼ିପାରିବେ ଛାତ୍ରଛାତ୍ରୀ । ଯେଉଁ ଛାତ୍ରଛାତ୍ରୀ ଅଫ୍ଲାଇନ୍ ରେ ପଢ଼ିବେ ସେମାନେ ସେମାନଙ୍କର ଅଭିଭାବକଙ୍କ ଅନୁମତି ଆଣିବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ସ୍କୁଲରେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବନି । ତା’ ବଳରେ ଛାତ୍ରଛାତ୍ରୀଙ୍କୁ ପୂର୍ବଭଳି ଶୁଖିଲା ରାସନ ପ୍ରଦାନ କରାଯିବ । କୋଭିଡ୍ ନିୟମାବଳୀ ଓ ସାମାଜିକ ଦୂରତା ଅନୁସରଣ କରି ବିଦ୍ୟାଳୟଗୁଡ଼ିକ ପୁନଃ ଖୋଲିବା ସହ ହଷ୍ଟେଲ ମଧ୍ୟ ଖୋଲାଯିବ । ସେହିଭଳି ହଷ୍ଟେଲରେ ରହିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଅଭିଭାବକଙ୍କ ଅନୁମତି ଆଣିବେ । ଶିକ୍ଷକ କି ଛାତ୍ରଛାତ୍ରୀଙ୍କ ସାମାନ୍ୟ ଲକ୍ଷଣ ଦେଖାଦେଲେ ବିଦ୍ୟାଳୟ ପ୍ରବେଶ ଅନୁମତି ନାହିଁ ।

ଆଜି ଓ ଆସନ୍ତାକାଲି ପିଲାଙ୍କୁ ପାଠ ପଢାଯିବନାହିଁ । ପିଲାମାନେ ଅଧିକ ଦିନ ଘରେ ରହି ଯାଇଥିବାରୁ ସେମାନଙ୍କୁ ପୁଣି ସ୍କୁଲ ପରିବେଶ ସହ ଖାପ ଖୁଆଇବା ପାଇଁ ପିଲାମାନଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଂଗୀତଗାନ, ଚିତ୍ରାଙ୍କନ ଆଦି କରାଯିବ । ସବୁ ପିଲାଙ୍କ ଶିକ୍ଷଣ ସ୍ତରରେ ଆଲୋଚନା ହେବ । ୨୭ରେ ଓଡିଆ, ୨୮ରେ ଗଣିତ ଓ ୨୯ରେ ଇଂରାଜୀ ବିଷୟରେ ଘଣ୍ଟାକର ପରୀକ୍ଷା ହେବ । ଏଥିପାଇଁ ପ୍ରଶ୍ନପତ୍ର ଓସେପା ଓ ଏସସିଇଆରଟି ଯୋଗାଇବ । ଏହି ଆକଳନର ଫଳାଫଳ ପରେ ବିଶ୍ଳେଷଣ ହେବ । ପ୍ରତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିକାତ୍ମକ ଶିକ୍ଷା ପ୍ରଧାନଶିକ୍ଷକଙ୍କ ଦ୍ବାରା କରାଯିବ । ପଢା ସହଜ କରିବାକୁ ସପ୍ତମ ଶ୍ରେଣୀର ସହଜ ପାଠ ପଢାଯିବ । ସେପଟେ ସ୍କୁଲ୍ ଛାଡିଥିବା ଛାତ୍ରଛାତ୍ରୀଙ୍କ ସର୍ଭେ ସରିଛି । ସେମାନଙ୍କୁ ପୁଣି ବିଦ୍ୟାଳୟ ଫେରାଇ ଆଣିବାକୁ ଯୋଗାଯୋଗ କରାଯିବ । ଶିକ୍ଷକ ପ୍ରତିଦିନ ଲେସନ ନୋଟ୍ ପ୍ରସ୍ତୁତ କରିବା ସହିତ ପଢା ସମ୍ପର୍କିତ ୩୦ ମିନିଟର ବୈଠକ କରିବେ ପ୍ରଧାନଶିକ୍ଷକ । ସିଆରସିସି, ଏବିଇଓ, ଏଡିଇଓ, ଡିଇଓ ପ୍ରତିଦିନ ସ୍କୁଲରେ ତଦାରଖ ପାଇଁ ଯିବେ ।

Comments are closed.