କାଳର କରାଳ ଆବର୍ତ୍ତ ଚକ୍ର ଭିତରକୁ ସତେ ଯେପରି ସମୁଦ୍ରର ଆଁ ଟାଣି ନେବାକୁ ବସିଛି ସ୍ଥାନୀୟ ଅଞ୍ଚଳର ଜନଜୀବନକୁ । ମାଡ଼ି ଆସୁଛି ସମୁଦ୍ର । ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି ସମୁଦ୍ରର ଲୁଣିପାଣି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ବିପଦରେ ଓଡ଼ିଶାର ୪୮୦ କିଲୋମିଟର ସମୁଦ୍ର ତଟ । ବଦଳୁଥିବା ପାଣିପାଗ ଯୋଗୁଁ ପ୍ରତି ବର୍ଷ ସମୁଦ୍ର ୧୦ ମିଟର ଲେଖାଏଁ ଆଗକୁ ବଢ଼ୁଥିବା ବେଳେ ଗତ ତିନିବର୍ଷ ଭିତରେ ପାଖାପାଖି ୫ କିଲୋମିଟର ପର୍ଯ୍ୟନ୍ତ ଆଗକୁ ବଢ଼ିଛି । ନିକଟରେ ଭାରତୀୟ ପାଣିପାଗ ବିଭାଗ ଓ ରାଜ୍ୟ ସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗର ମିଳିତ ବିଭାଗର ଏକ ଅନୁସନ୍ଧାନକାରୀ ଉଚ୍ଚକ୍ଷମତାସମ୍ପନ୍ନ ଗବେଷକ ଟିମ୍ ପୁରୀ ଜିଲ୍ଲାର ଉଦୟକାନି, ଗୁଣ୍ଡଳବା ଓ ଋଷିକୁଲ୍ୟାର ପୁରୁଣାବନ୍ଧ ମୁହାଣକୁ ଅଞ୍ଚଳକୁ ଗସ୍ତକରି ସବିଶେଷ ତଥ୍ୟ ବିଭିନ୍ନ ପ୍ରମୁଖ ଗଣମାଧ୍ୟମକୁ ଦେଇଛନ୍ତି । ସୂଚନାଥାଉକି ପୂର୍ବରୁ ଋଷିକୁଲ୍ୟା ମୁହାଣର ଦକ୍ଷିଣ ପଟକୁ ଗୋପାଳପୁର ବନ୍ଦର ଥିଲା ବେଳେ ଏହା ମୁହାଣ ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଥିଲା । ହେଲେ ଏବେ ଏହା ନୂଆପୋଡ଼ମପେଠାକୁ ଘୁଞ୍ଚି ଯାଇଛି । ଇଣ୍ଟିଗ୍ରେଟେଡ କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ ଦ୍ୱାରା କରାଯାଇଥିବା ଏକ ଆକଳନରୁ ଜଣାଯାଇଛି ଯେ ଓଡ଼ିଶା ଉପକୂଳର ୧୦% ଅଞ୍ଚଳ ସମୁଦ୍ର ଅବକ୍ଷୟ ଯୋଗୁଁ ସର୍ବାଧିକ ବିପଦସଙ୍କୁଳ ଅବସ୍ଥାରେ ରହିଛି ।
ସେଥିମଧ୍ୟରୁ ପୁରୀ,କେନ୍ଦ୍ରାପଡ଼ା ଓ ଗଞ୍ଜାମର ଉପକୂଳ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ବଦଳୁଥିବା ପାଣିପାଗ ଯୋଗୁଁ ଗତ କିଛି ବର୍ଷ ଓଡ଼ିଶା ବର୍ଷକୁ ୨ରୁ ତିନିଥର ବାତ୍ୟା ଓ ଝଡ଼ର ସାମ୍ନା କରୁଛି । ଅଦିନିଆ ବନ୍ୟା ବି ଏବେ ଧୀରେ ଧୀରେ ଓଡ଼ିଶାକୁ ଗ୍ରାସୁଛି । ଭିତ୍ତିଭୂମିର ବିକାଶ ନାମରେ ହେଉଥିବା ଦ୍ରୁତ ଶିଳ୍ପାୟନ ଓଡ଼ିଶାର ଉପକୂଳକୁ ଆଗାମୀ ଦିନରେ ଅଧିକ କ୍ଷତି ପହଞ୍ଚାଇବ । ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲର କହିବାନୁଯାୟୀ ପାରାଦ୍ୱୀପ ବନ୍ଦର ଓ ଜଗତ୍ସିଂହପୁର ଅଞ୍ଚଳରେ କରାଯାଉଥିବା ଭିତ୍ତିଭୂମି ବିକାଶ ଓ ଶିଳ୍ପାୟନର ପ୍ରଭାବ ଆମେ ପ୍ରତ୍ୟକ୍ଷ ଭାବେ ସାତଭାୟା ଓ ପେଣ୍ଠ ଉପରେ ପଡ଼ୁଥିବାର ଦେଖିବାକୁ ପାଉଛୁ । ଏହାର ସମାଧାନ ପାଇଁ କେବଳ ପ୍ରଶାସନିକ ସ୍ତରରେ ନୀତି ନିର୍ଦ୍ଧାରଣ କଲେ ହେବନି । ବରଂ ସ୍ଥାନୀୟ ଓ ସାଧାରଣ ଲୋକଙ୍କୁ ଉପକୂଳ ପରିଚାଳନା ପାଇଁ ସାମିଲ କରିବା ଦରକାର । ସେମାନଙ୍କ ମତାମତ ନେବା ଦରକାର । ଅଧିକରୁ ଅଧିକ ହେନ୍ତାଳ ଜଙ୍ଗଲ ସୃଷ୍ଟି କରାଯିବା ସହ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ସରକାର ଧ୍ୟନ ଦେବା ଦରକାର ।
ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାଯାଇଛି ଯେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ ଓ ଗଞ୍ଜାମକୁ ମିଶାଇ ଛଅଟି ଉପକୂଳ ଜିଲ୍ଲା ଏବେ ସମୁଦ୍ର ଆଁରେ । ତେବେ ଓଡ଼ିଶାର ୪୮୦ କିଲୋମିଟର ଉପକୂଳ ଭିତରୁ ୫୫ କିଲୋମିଟର ଉପକୂଳ ଅଞ୍ଚଳ ସର୍ବାଧିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଯେଉଁଠାରେ ପ୍ରତିବର୍ଷ ସମୁଦ୍ର ପାଖାପାଖି ୧୦ ମିଟରରୁ ୫ କିଲୋମିଟର ଆଗକୁ ମାଡ଼ି ଆସୁଛି । ବିଶେଷକରି ପୁରୀର ଉତ୍ତର ପଟ ବେଳାଭୂମି, କେନ୍ଦ୍ରାପଡ଼ାର ମଧ୍ୟବର୍ତ୍ତୀ ସମୁଦ୍ରବେଳାଭୂମି ଅଞ୍ଚଳ ଓ ଭଦ୍ରକର ଦକ୍ଷିଣ ପଟ ସମୁଦ୍ର ଅଧିକ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସେହିପରି ରାଜ୍ୟର ୧୯୪ କିଲୋମିଟର ଉପକୂଳ ମଧ୍ୟମ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଯେଉଁଠାରେ ପ୍ରତିବର୍ଷ ସମୁଦ୍ର ୦ରୁ ୧୦ ମିଟର ଆଗକୁ ଆସୁଛି । ଚିଲିକା ନିକଟରେ ଥିବା ବେଳାଭୂମି, କେନ୍ଦ୍ରାପଡ଼ାର ଉତ୍ତର ଓ ଭଦ୍ରକର ଉତ୍ତର ପଟ ବେଳାଭୂମି ଏହି ତାଲିକାରେ ଅଛି । ତେବେ ୨୩୧ କିଲୋମିଟରର ସମୁଦ୍ର ବେଳାଭୂମି ସର୍ବନିମ୍ନ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାବେଳେ ଏହା ଭିତରେ ଗଞ୍ଜାମ, ଜଗତ୍ସିଂହପୁର, ଭଦ୍ରକ, ବାଲେଶ୍ୱର, ପୁରୀର ଦକ୍ଷିଣ ପଟ ବେଳାଭୂମି ଓ କେନ୍ଦ୍ରାପଡ଼ାର ଦକ୍ଷିଣ ପଟ ବେଳାଭୂମି ଅଞ୍ଚଳ ରହିଛି । କେବଳ ସମୁଦ୍ରର ସୀମାରେଖା ନୁହେଁ ବରଂ ଗତ କିଛି ବର୍ଷ ଭିତରେ ସମୁଦ୍ରପତ୍ତନ ବି ପରିବର୍ତ୍ତନ ହୋଇଛି । ୨୯୨ କିଲୋମିଟରର ସମୁଦ୍ର ବେଳାଭୂମିରେ ଏହା ସର୍ବାଧିକ ବିପଦସଙ୍କୁଳ ଅବସ୍ଥାରେ ରହିଛି । ବିଶେଷକରି ଗଞ୍ଜାମ, ଚିଲିକା, ପୁରୀ, ଜଗତ୍ସିଂହପୁର, ବାଲେଶ୍ୱର ଦକ୍ଷିଣ ପଟରେ ସମୁଦ୍ରପତ୍ତନ ଅଧିକ ରହିଛି ।
ସେହିପରି ଓଡ଼ିଶାର ସମୁଦ୍ରବେଳାଭୂମିର ୩୭ କିଲୋମିଟର ଅଞ୍ଚଳରେ ଜୁଆରର ଉଚ୍ଚତା ସର୍ବାଧିକ ୩.୫ ମିଟର ଦେଖିବାକୁ ମିଳିଛି । ବାଲେଶ୍ୱରରେ ଏହା ସର୍ବାଧିକ ଥିବା ବେଳେ ପୁରୀର ଉତ୍ତର ପଟ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରର ଦକ୍ଷିଣ ଉପକୂଳରେ ଏହା ୨.୫ରୁ ୩ ମିଟର ଯାଏଁ ରହିଛି । ମିଳିଥିବା ସୂଚନା ଅନୁସାରେ ସମୁଦ୍ର ଅବକ୍ଷୟ ଯୋଗୁଁ ୧୯୯୯ ମହାବାତ୍ୟାରେ ପୁରୀ ଜିଲ୍ଲାର ଉଦୟକାନି ଗାଁ ଲୋକେ ସ୍ଥାନାନ୍ତର ହୋଇଥିବାବେଳେ ୨୦୧୩ରେ ଫାଇଲିନ୍ ବେଳେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟାର ୬ଟି ଗାଁ ସମୁଦ୍ର ଭିତରେ ଲୀନ ହୋଇଯାଇଥିବାବେଳେ ୨୦୧୬ ମସିହାରେ ରାଜ୍ୟ ସରକାର ସମୁଦ୍ର ଠାରୁ ୧୨ କିଲୋମିଟର ଦୂରରେ ପୁନଃଥଇଥାନ କଲୋନୀ ସ୍ଥାପନ କରିଥିଲେ । କେବଳ ସେତିକି ନୁହେଁ କେନ୍ଦ୍ରାପଡ଼ା ଜିଲ୍ଲାର ପେଣ୍ଠ ଗାଁ ଆଡ଼କୁ ବି ସମୁଦ୍ର ପାଖାପାଖି ୮୦୦ ମିଟର ଆଗକୁ ମାଡ଼ି ଆସିଛି । ସାତଭାୟା ଠାରୁ ୧୫ କିଲୋମିଟର ଦୂରରେ ଥିବା ଏହି ଗାଁକୁ ସୁରକ୍ଷା ଦେବାକୁ ଯାଇ ସରକାର ସେ ସମୟରେ ଜିଓ ସିନ୍ଥେଟିକ ସି ୱାଲ ନିର୍ମାଣ କରିଥିଲେ । ବଦଳୁଥିବା ଜଳବାୟୁ ପରିବର୍ତ୍ତନକୁ ଆଖି ଆଗରେ ରଖି ପୁଣିଥରେ ବେଳାଭୂମି ପରିଚାଳନା ନୀତି ନିର୍ଦ୍ଧାରଣ କରିବା ଦରକାର ବୋଲି ବୁଦ୍ଧିଜୀବୀ ମହଲଙ୍କ ତଥ୍ୟ ତେବେ ଏ କ୍ଷେତ୍ରରେ ଆମ୍ଭ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱବୋଧ ରହିଛି । ନିଜ ଅଞ୍ଚଳର ଇକୋ ପରିବେଶ କ୍ଷେତ୍ରକୁ ସୁରକ୍ଷିତ ରଖିବା ସହ ବ୍ୟାପକ ବୃକ୍ଷରୋପଣ ଓ କୌଣସି ଗୁଜବକୁ ପ୍ରଚାର ପ୍ରସାର ନକରାଇ ସରକାରଙ୍କ ସୂଚନା ଓ ଗବେଷକ ଦଳଙ୍କ ତଥ୍ୟକୁ ବିଶ୍ୱାସରେ ରଖି ପ୍ରଶାସନକୁ ସହଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ ।
ବାଦଲ ଭୂୟାଁ
ଜାମସେଦପୁର
ଦୂରଭାଷ : ୭୪୮୮୯୯୮୫୩୨
Comments are closed.