ଦୁଇ ଓଡ଼ିଆଙ୍କୁ ମିଳିଲା ଜାମିନ୍ ଆର୍ଯ୍ୟନଙ୍କ ବେଲ୍ ଝୁଲିଲା: ଆଜି ଶୁଣାଣି

71

ମୁମ୍ବାଇ : ଦୀର୍ଘ ୧୯ ଦିନର ଆଇନଗତ ଲଢ଼େଇ ଓ ଆରୋପ-ପ୍ରତିଆରୋପ ପରେ ମଧ୍ୟ ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଜାମିନ ମିଳିନି । ଆସନ୍ତାକାଲି ବମ୍ବେ ହାଇକୋର୍ଟର ଜଣିକିଆ ବେଞ୍ଚ ପୁଣି ଜାମିନ ଆବେଦନର ଶୁଣାଣି କରିବେ । ଆଜି ଦୀର୍ଘ ୩ ଘଣ୍ଟାକାଳ ଆର୍ଯ୍ୟନଙ୍କ ଓକିଲ ତଥା ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ପକ୍ଷ ରଖିଥିଲେ । ସେ ଗୋଟିଏ ପରେ ଗୋଟିଏ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରିବାକୁ ନିବେଦନ କରିଥିଲେ । ଏନ୍ସିବି ପକ୍ଷରୁ ଯଥା ସମ୍ଭବ ଆର୍ଯ୍ୟନଙ୍କୁ କେମିତି ଜାମିନ ନ ମିଳିବ, ସେଥିପାଇଁ ଉଦ୍ୟମ କରାଯାଇଥିଲା । ତେବେ କୋର୍ଟ ପୁଣି ଆସନ୍ତାକାଲି ଦିନ ୨.୩୦ରୁ ଜାମିନ ଆବେଦନର ଶୁଣାଣି କରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଅକ୍ଟୋବର ୩ରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଲିଙ୍କ୍ରେ ଗିରଫ ଦୁଇ ଓଡ଼ିଆ ଅବନୀ ସାହୁ ଓ ମନୀଷ ରାଜଗାଡ଼ିୟାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଛନ୍ତି । ରାଜଗାଡ଼ିୟାଙ୍କ ଠାରୁ ୨.୫ ଗ୍ରାମ ଓଜନର ଗଞ୍ଜେଇ ମିଳିଥିଲା । ଏହା ବହୁତ କମ ପରିମାଣର ହୋଇଥିବାରୁ କୋର୍ଟ ଉଭୟଙ୍କୁ ଜାମିନ ଦେଇଛନ୍ତି । କିନ୍ତୁ ଅକ୍ଟୋବର ୩ରେ ଗିରଫ ହୋଇ ଜେଲରେ ଥିବା ଆର୍ଯ୍ୟନଙ୍କୁ ପୁଣି ଗୋଟିଏ ରାତି ଜେଲରେ କାଟିବାକୁ ପଡ଼ିବ । ତାଙ୍କୁ ୩ ତାରିଖରେ ଗିରଫ କରାଯିବା ପରେ ଏନ୍ସିବି ରିମାଣ୍ଡରେ ନେଇଥିଲା । ରିମାଣ୍ଡ ଅବଧି ଶେଷ ହେବା ପରେ ଆର୍ଯ୍ୟନ ଖାନଙ୍କୁ ଆର୍ଥର ରୋଡ ଜେଲକୁ ପଠାଇ ଦିଆଯାଇଥିଲା । ଅକ୍ଟୋବର ୮ରୁ ସେ ଜେଲରେ ହିଁ ରହିଛନ୍ତି । ଆଜି ଆର୍ଯ୍ୟନଙ୍କ ଓକିଲ ମୁକୁଲ ରୋହତଗୀ ନିଜର ପକ୍ଷ ରଖି କହିଥିଲେ ଯେ ଏନ୍ସିବି ପ୍ରମାଣ ନଷ୍ଟ କରିବା କଥା କହୁଛି । କିନ୍ତୁ ଏନ୍ସିବି କୌଣସି ପ୍ରକାରର ଡ୍ରଗ୍ସ ତାଙ୍କଠାରୁ ଠାବ କରିନି । ତେଣୁ ସେ କେଉଁ ସବୁ ପ୍ରମାଣ ନଷ୍ଟ କରିବେ ? ତାଙ୍କ ବୟସକୁ ନଜରରେ ରଖି ତାଙ୍କୁ ଜାମିନ ମିଳିବା ଦରକାର । ଏନ୍ସିବି ତାଙ୍କ ବିରୋଧରେ କେବଳ ହ୍ୱାଟସ୍ଆପ୍ ଚାଟ୍କୁ ବ୍ୟବହାର କରୁଛି । ଏହାବାଦ ଆଉ କିଛି ପ୍ରମାଣ ଆର୍ଯ୍ୟନଙ୍କ ବିରୋଧରେ ନାହିଁ । କେବଳ ଚାଟ୍କୁ ଭିତ୍ତିକରି ଜଣଙ୍କୁ ୨୦ଦିନ ହେଲା କ’ଣ ଜେଲରେ ରଖାଯାଇ ପାରିବ ? ଆପଣ ତାଙ୍କ ଫୋନ ମଧ୍ୟ ଦେଖିଛନ୍ତି । ଆର୍ଯ୍ୟନଙ୍କ ବାପା, ମା’ଙ୍କ ପାଇଁ ଏହି କେସ୍ ବେଶ ଚର୍ଚ୍ଚାରେ ରହିଛି । ନହେଲେ ଏମିତି ଅନେକ କେସ୍ ସବୁଦିନ ଘଟୁଛି ।

ଆର୍ଯ୍ୟନ କେବେହେଲେ ଏନ୍ସିବି ଅଧିକାରୀ କିମ୍ବା ପଞ୍ଚନାମା ବିରୋଧରେ କୌଣସି ଶବ୍ଦ ପ୍ରୟୋଗ କରିନାହାନ୍ତି । ଯାହା ବି ସବୁ ଅଭିଯୋଗ ଆସିଛି, ତାହା ଅନ୍ୟମାନେ ଉଠାଉଛନ୍ତି । ଅରବାଜ ଗିରଫ ଆର୍ଯ୍ୟନଙ୍କ ଚାକର ନୁହନ୍ତି । ତାଙ୍କ ପାଖରୁ ମିଳିଥିବା ୫ ଗ୍ରାମ ଚରସ ସହ ଆର୍ଯ୍ୟନଙ୍କ ସହମତି ଥିଲା ବୋଲି କୁହାଯାଇ ପାରିବନି । ସେ ଆର୍ଯ୍ୟନଙ୍କ କଥାରେ ପରିଚାଳିତ ବୋଲି କ’ଣ ପ୍ରମାଣ ରହିଛି ? ଏହି ସମୟରେ ରୋହତଗୀ ସୁପ୍ରିମ୍କୋର୍ଟ ରାଗିଣୀ ଦ୍ୱିବେଦୀଙ୍କୁ ଜାମିନ ଦେବା ବେଳେ ପ୍ରଦାନ କରିଥିବା ରାୟର ୭ମ ପାରାଗ୍ରାଫ ପଢ଼ିଥିଲେ । ଏନ୍ସିବି ଡ୍ରଗ୍ସ ଚାଲାଣ ପାଇଁ ଆର୍ଥିକ କାରବାର ହୋଇଥିବା କହିଥିଲେ । ଏହାକୁ କାଉଣ୍ଟର କରି ରୋହତଗୀ କହିଥିଲେ, ଆର୍ଯ୍ୟନ ଓ ଅଚିତଙ୍କ ମଧ୍ୟରେ ଅନ୍ଲାଇନ ପୋକର ପାଇଁ କେବଳ ଆର୍ଥିକ ନେଣଦେଣ କଥା ହୋଇଥିଲା । ଏହାକୁ ଡ୍ରଗ୍ସ କାରବାର ସମ୍ପର୍କିତ ଆର୍ଥିକ ବେପାର ଭାବେ ଦର୍ଶାଯାଉଛି । ଗଞ୍ଜେଇ ଆମେରିକା ଓ ଅନ୍ୟ ଦେଶରେ ବ୍ୟାନ ହୋଇନି । ଏହାର ମେଡିକାଲ ଉପକାରିତା ରହିଛି । ଏହାକୁ ଆପଣ ଯଦି ନିୟମିତ ସେବନ କରୁଛନ୍ତି କିମ୍ବା ରଖିଛନ୍ତି, ତା’ହେଲେ ଆପଣଙ୍କୁ ରିହାବକୁ ଯିବାକୁ ପଡ଼ିବ । ସେହିପରି ବ୍ୟାନ୍ ହୋଇନଥିବା ଦେଶରେ ଏହା ରୋଗ ପ୍ରତିରୋଧକ ଭାବେ ମଧ୍ୟ ବ୍ୟବହାର ହେଉଛି । ଏପରି ସ୍ଥିତିରେ କେମିତି ଆର୍ଯ୍ୟନଙ୍କ ପୁରୁଣା ଗଞ୍ଜେଇ ଚାଟକୁ ନେଇ ଏବେ ମାମଲା ହେବ ? ଆପଣ ଯଦି ଏନ୍ଡିପିଏସ୍ ଆକ୍ଟର ସେକସନ ୨୯ ସହ ୮ସି, ୨୦ ଓ ୨୭କୁ ମିଶାଇବେ, ତା’ହେଲେ ଷଡ଼ଯନ୍ତ୍ର ପାଇଁ କେବଳ ଗୋଟିଏ ବର୍ଷ ଜେଲଦଣ୍ଡର ପ୍ରାବଧାନ ରହିଛି । ଆର୍ଯ୍ୟନଙ୍କ କେସରେ ଷଡ଼ଯନ୍ତ୍ର ମଧ୍ୟ ହୋଇନି । ନିକଟରେ ନିଶା ସେବନ କରୁଥିବା ଲୋକଙ୍କୁ ଅପରାଧୀ ନୁହେଁ ବରଂ ପୀଡ଼ିତ ଭାବେ ବିବେଚନା କରିବାକୁ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ତେଣୁ ଏପରି ସ୍ଥିତିରେ ଆର୍ଯ୍ୟନଙ୍କୁ କେମିତି ଜାମିନ ମିଳିବନି ବୋଲି ସେ ପ୍ରଶ୍ନ କରିଥିଲେ । ସମୟ ୬.୩୦ ହୋଇ ଯାଇଥିବାରୁ କୋର୍ଟ ଜାମିନର ଶୁଣାଣିକୁ କାଲି ଯାଏ ଘୁଞ୍ଚାଇ ଦେଇଛନ୍ତି । କାଲି ଆର୍ଯ୍ୟନଙ୍କ ସହ ଗିରଫ ହୋଇଥିବା ଅରବାଜ ଓ ମୁନ୍ମୁନ୍ଙ୍କ ଜାମିନ ଆବେଦନର ମଧ୍ୟ ଶୁଣାଣି ହେବ ।

Comments are closed.