ଓଡ଼ିଶାରେ ଶ୍ୱେତ ବିପ୍ଳବର ଶୁଭାରମ୍ଭ : ଚାଷୀଙ୍କ ରୋଜଗାର ବଢ଼ାଇବା ମୁଖ୍ୟ ଲକ୍ଷ୍ୟ

82

କଟକ : କଟକରେ ଉଦ୍ଘାଟିତ ହୋଇଛି ରାଜ୍ୟର ପ୍ରଥମ ତଥା ପୂର୍ବ ଭାରତର ସର୍ବବୃହତ୍ ଡାଏରୀ ପ୍ଲାଣ୍ଟ । ଦୈନିକ ୫ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରିବା କ୍ଷମତା ରଖୁଥିବା ଓମ୍ଫେଡ୍ର ଏହି ମେଗା ପ୍ଲାଣ୍ଟକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ଲାଣ୍ଟରେ ୨୬ ପ୍ରକାରର ଦୁଗ୍ଧଜାତ ସାମଗ୍ରୀ ପ୍ରସ୍ତୁତ ହେବା ସହିତ ଦେଶ ତଥା ଦେଶ ବାହାରେ ବିକ୍ରି କରିବା ଲକ୍ଷ୍ୟ ରଖାଯାଇଛି । ଏହି ମେଗା ପ୍ଲାଣ୍ଟ ଦ୍ୱାରା ଦୁଗ୍ଧ ଚାଷୀଙ୍କ ରୋଜଗାର ବଢ଼ିବ । ପ୍ରାୟ ୬ଲକ୍ଷ ଚାଷୀ ଉପକୃତ ହେବେ । କଟକ ନରାଜ ପାଖ ଅରିଲୋରେ ରାଜ୍ୟର ପ୍ରଥମ ତଥା ପୂର୍ବ ଭାରତର ସର୍ବବୃହତ୍ ଡାଏରୀ ପ୍ଲାଣ୍ଟ ଉଦ୍ଘାଟିତ ହୋଇଛି । ଏଥିପାଇଁ ୨୬୩କୋଟି ଟଙ୍କା ବ୍ୟୟ କରାଯାଇଛି । ଓମଫେଡ୍ର ଏହି ଆଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନାରେ ଦୈନିକ ୫ଲକ୍ଷ କ୍ଷୀର ପ୍ରକ୍ରିୟାକରଣ କରାଯିବ । ଏଥିସହ ୨ଲକ୍ଷ ଦୁଗ୍ଧଗୁଣ୍ଡ ଉତ୍ପାଦିତ ହେବ ।

ଏହାସହ ଏହି ପ୍ଲାଣ୍ଟରୁ ଉଚ୍ଚମାନର ଦହି, ଦୁଗ୍ଧ, ଲହୁଣୀ, ଲସି, ଘିଅ, ପନିର ଓ ସ୍ୱାଦଯୁକ୍ତ କ୍ଷୀର ଉତ୍ପାଦନ କରାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଯୋଗାଯିବ । ଏହି ମେଗା ଓମଫେଡ୍ ପ୍ଲାଣ୍ଟ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଓମଫେଡ୍ କାର୍ଯ୍ୟ କରିଆସୁଛି । ପ୍ରସେସିଂ ପ୍ଳାଣ୍ଟ ଆଦି ନିର୍ମାଣ ପାଇଁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ଦେଉଛନ୍ତି । କରୋନା କାଳରେ ଦୁଗ୍ଧ ଚାଷୀଙ୍କୁ ରାଜ୍ୟ ସରକାର ୬ ହଜାର ଟଙ୍କା ଲେଖାଏଁ ସହାୟତ ଯୋଗାଇ ଦେଇଥିବା ମୁଖ୍ୟମନ୍ତ୍ରୀ କହିବା ସହ ସରକାର ଚାଷୀଙ୍କ ସହ ଅଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି । ପୁଷ୍ଟି ନିରାପତ୍ତାରେ ଦୁଗ୍ଧର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆହ୍ୱାନ ଜଣାଇଥିଲେ ଏବଂ ଶ୍ୱେତ ବିପ୍ଳବ ଆଣିବା ପାଇଁ ସରକାରଙ୍କ ଉଦ୍ୟମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଜ୍ୟରେ ଓମଫେଡର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ, ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି । ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ ଲକ୍ଷ ୭୫ ହଜାର ମେଟ୍ରିକ ଟନ୍ ଥିବାବେଳେ ୨୦୨୦ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଓମଫେଡ୍ ଦ୍ୱାରା ଦୈନିକ ସଂଗୃହିତ ୫ ଲକ୍ଷ ଲିଟର ଦୁଗ୍ଧ ଓମଫେଡର ୪୦୫ଟି ଶୀତଳୀକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ ଟି ପ୍ଲାଣ୍ଟରେ ପ୍ରକ୍ରିୟାକରଣ କରାଯାଉଛି । କାର୍ଯ୍ୟକ୍ରମରେ ଯୋଗଦେଇ କୃଷିମନ୍ତ୍ରୀ ଅରୁଣ ସାହୁ ରାଜ୍ୟରେ କୃଷି ଓ ଆନୁସଙ୍ଗିକ କୃଷିର ବିକାଶ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର, ଉନ୍ନୟନ କମିଶନ ପ୍ରଦୀପ ଜେନା, ଏନ୍ଡିବିର ଅଧ୍ୟକ୍ଷ ଓ ବିଭାଗୀୟ ଶାସନ ସଚିବ ପ୍ରମୁଖ ଯୋଗ ଦେଇଥିଲେ ।

ମିଠା ଦହି ଖାଇଲେ: ଏକ୍ସଲେଣ୍ଟ କହିଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଜିଲ୍ଲା ଅରିଲୋ ଠାରେ ଅତ୍ୟାଧୁନିକ ଓମଫେଡ଼ ଡ଼ାଏରି ପ୍ଲାଂଟ ଲୋକାର୍ପଣ କରିଛନ୍ତି । ଏହାସହ ବ୍ୟାଟେରୀ ଚାଳିତ ଗାଡିରେ ପୂରା ପ୍ଲାଣ୍ଟ ବୁଲିବା ପରେ ମିଠା ଦହି ଖାଇଛନ୍ତି ନବୀନ । ଏହି ମିଠା ଦହିକୁ ନବୀନ ବେଶ ପସନ୍ଦ ମଧ୍ୟ କରିଛନ୍ତି । ଆଉ ଏହାସହ ଏହାକୁ ନିଶ୍ଚୟ ଅର୍ଡର କରିବେ ବୋଲି କହିଛନ୍ତି । ଡ଼ାଏରୀ ପ୍ଲାଣ୍ଟ ଲୋକାର୍ପିତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓମଫେଡ଼ର ବିକାଶରେ ୩ଲକ୍ଷ ଚାଷୀଙ୍କର ଅବଦାନ ରହିଛି । ଏହି ୟୁନିଟ ଦ୍ୱାରା ଦିନକୁ ୫ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ ହୋଇପାରିବ । ଏଥିରୁ ଉନ୍ନତମାନର ଲସି, ଘିଅ, ପନିର ଆଦି ଉତ୍ପାଦନ ହୋଇପାରିବ । ଏହାଦ୍ୱାରା ଦୁଗ୍ଧ ଚାଷୀଙ୍କ ରୋଜଗାର ବଢିବ । ଏହି ଅତ୍ୟାଧୁନିକ ଓମଫେଡ଼ ଡ଼ାଏରୀ ପ୍ଲାଣ୍ଟ ହେବା ଦ୍ୱାରା ୬ଲକ୍ଷ ଦୁଗ୍ଧ ଚାଷୀ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ରୋଜଗାର ବଢାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ଡ଼ାଏରୀ ଫାର୍ମିଂ ୟୁନିଟ ପ୍ରୋସେସିଂ ପ୍ଲାଣ୍ଟ ପାଇଁ ସରକାର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି଼ ଯୋଗାଇ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.