ଟୀକାର ଗତି

66

ଭୁବନେଶ୍ୱର : ଖୁସିର କଥା ଯେ ବିଶ୍ୱ ମହାମାରୀ କୋଭିଡ୍ ବିରୁଦ୍ଧରେ ଲଢେଇ ପାଇଁ ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏଯାବତ୍ ଓଡ଼ିଶାରେ ୪ କୋଟି କୋଭିଡ୍ ଟିକା ଦିଆଯାଇ ସାରିଛି । ଏହା ନିଶ୍ଚିତ ଭାବରେ ଏକ ରେକର୍ଡ଼ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସମସ୍ତ କର୍ମଚାରୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ପରିବାର କଲ୍ୟାଣ ବିଭାଗର କାର୍ଯ୍ୟସୂଚୀ ଅନୁଯାୟୀ ଏବର୍ଷ ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅତିରିକ୍ତ ଟିକାକରଣ କେନ୍ଦ୍ର ବି ଖୋଲାଯାଇଛି । ରାଜ୍ୟରେ ଏବେ ମୋଟ ୨୪୦୦ କେନ୍ଦ୍ରରେ ଟିକାକରଣ କରାଯାଉଛି । ତେବେ ଦ୍ୱିତୀୟ ଡୋଜ ଟୀକା ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିବା ଦରକାର । ଦ୍ୱିତୀୟ ଡୋଜ ଟୀକା ନେବା ପରେ ଯାଇ ଟୀକାକରଣ ସଫଳ ହେଲା ବୋଲି ଧରାଯିବ । ଅବଶ୍ୟ ଏନେଇ କେନ୍ଦ୍ର ସରକାର ମଧ୍ୟ ବ୍ୟାପକ ସଚେତନତା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ହର ଘର ଦସ୍ତକ ହେଉଛି ତାହାର ଉଦାହରଣ । ସଂକ୍ରମଣ ଦୃଷ୍ଟିରୁ ଆସନ୍ତା ଦୁଇ ତିନି ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇତିମଧ୍ୟରେ କିଛି ଦେଶରେ ଚତୁର୍ଥ ଓ ପଞ୍ଚମ ଲହର ସଂକ୍ରମଣ ଆରମ୍ଭ ହୋଇଯାଇଛି । ଭଲ କଥା ହେଲା, ଅନ୍ୟ ଦେଶରେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ଆମ ଦେଶରେ ଏହା ବଢ଼ିନାହିଁ ।

ସେହିପରି ଦେଶ ଭିତରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଥିବା କଥା ସ୍ୱାସ୍ଥ୍ୟ ବିଭାଗ କହିଛି । ତା’ ସତ୍ତେ୍ୱ ଆମକୁ ସତର୍କ ରହିବାକୁ ପଡ଼ିବ । ଏଥିସହ ପିଲାମାନଙ୍କୁ ବି କୋଭିଡ ଟୀକା ଦେବାକୁ ହେବ । ଯେଉଁମାନେ ଦ୍ୱିତୀୟ ଡୋଜ ନେଇଥିଲେ ଛଅ ମାସ ବ୍ୟବଧାନ ପରେ ବୁଷ୍ଟର ଡୋଜ ବି ନେବେ । ଟୀକାକରଣ କ୍ଷେତ୍ରରେ ଆହୁରି ଗୋଟିଏ ବଡ଼ ସମସ୍ୟା ହେଉଛି ଲୋକେ ଜାଣିଶୁଣି ଟିକା ନେଉନାହାନ୍ତି । ଉଦାହରଣ ସ୍ୱରୂପ ପୁରୀ ଜିଲ୍ଲାରେ ଶିଥିଳ ହୋଇ ପଡିଛି ଟିକାକରଣ ପ୍ରକ୍ରିୟା । କରୋନା ଟିକା ନେବାକୁ ଲୋକେ ଆଗ୍ରହ ଦେଖାଉନାହାନ୍ତି । ଚିକାକରଣ ପ୍ରକ୍ରିୟା ବାକି ସବୁ ଜିଲ୍ଲାରେ ଦ୍ରୁତ ବେଗରେ ଚାଲିଥିବାବେଳେ ପୁରୀ ଜିଲ୍ଲାରେ ଏହା ଧିମେଇଛି । ଟିକାକରଣ ପାଇଁ ପ୍ରଶାସନ ଯତ୍ନବାନ ଥିବା ସତ୍ତେ୍ୱ ସାଧାରଣ ଲୋକଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଉନଥିବା ଲକ୍ଷ୍ୟ କରାଯାଇଛି । ଆଶା କରାଯାଉଛି ଯେଉଁ ସବୁ ଜିଲ୍ଲାରେ ଟୀକା ପ୍ରତି କୁଣ୍ଠାବୋଧ ରହିଛି ସେହି ସ୍ଥାନରେ ସଚେତନତା ଅଭିଯାନ ଦ୍ୱାରା ଟୀକାକରଣ କାର୍ଯ୍ୟକ୍ରମ ଶେଷ କରାଯିବ ।

Comments are closed.