ଘରୋଇ କମ୍ପାନୀ ହାତକୁ କେନ୍ଦ୍ର ଟେକିଦେବ ଆଉ ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ!

79

ନୂଆଦିଲ୍ଲ : ଦୁଇ ରାଷ୍ଟ୍ରୟାତ୍ତ ଟେଲିକମ କମ୍ପାନୀ ବିଏସ୍ଏନଏଲ ଓ ଏମଟିଏନଲର ପ୍ରାୟ ୬ଟି ସମ୍ପତ୍ତିକୁ କେନ୍ଦ୍ର ସରକାର ନିଲାମ କରିବେ । ନିଲାମ ହେବାକୁ ଥିବା ସମ୍ପତ୍ତିଗୁଡ଼ିକର ମୂଲ୍ୟ ପ୍ରାୟ ୯୭୦ କୋଟି ଟଙ୍କା ହେବ । ଦୁଇ ଟେଲିକମ କମ୍ପାନୀ କ୍ଷତିରେ ଚାଲୁଥିବାରୁ ସରକାର ଏହାର ସମ୍ପତ୍ତି ବିକ୍ରି କରି ଅର୍ଥ ଅସୁଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ନିବେଶ ଓ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ସମ୍ପତ୍ତି ପାଇଁ ନିଲାମ ସମ୍ପର୍କରେ ଏମଏସ୍ଟିସି ପୋର୍ଟାଲରେ ତଥ୍ୟ ଦିଆଯାଇଛି । ବିଏସ୍ଏନଏଲ୍ର ଯେଉଁ ସମ୍ପତ୍ତିଗୁଡ଼ିକ ବିକ୍ରି ହେବ ସେଗୁଡ଼ିକ ହାଇଦ୍ରାବାଦ, ଚଣ୍ଡିଗଡ଼, ଭାବନଗର ଓ କୋଲକାତାରେ ରହିଛି । ଏହି ସମ୍ପତ୍ତି ଗୁଡ଼ିକର ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା । ମୁମ୍ବାଇର ଗୋରେଗାଓଁ ଅନ୍ତର୍ଗତ ବସାରୀ ହିଲ୍ ଠାରେ ଥିବା ଏମଟିଏନଏଲର ୩୧୦ କୋଟି ଟଙ୍କାର ସମ୍ପତ୍ତି ନିଲାମ କରିବାକୁ ବିଭାଗ ୱେବସାଇଟ୍ରେ ସୂଚିତ କରିଛି । ଡିସେମ୍ବର ୧୪ ସୁଦ୍ଧା ଏଥିପାଇଁ ବିଡ୍ ଦାଖଲ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ବିଏସ୍ଏନଏଲ ପାଇଁ ସରକାର ୧.୩ କୋଟି ଟଙ୍କାର ରିଲିଫ ପ୍ୟାକେଜ ମଧ୍ୟ ଘୋଷଣା କରିପାରନ୍ତି । କ୍ୟାବିନେଟର ଆସନ୍ତା ବୈଠକରେ ଏହି ପ୍ରସ୍ତାବ ଆଗତ କରାଯିବ । ସୂଚନାଯୋଗ୍ୟ, ଏହି ଦୁଇ ସରକାରୀ ଟେଲିକମ କମ୍ପାନୀ କ୍ଷତିରେ ଚାଲିଛି । ନିକଟରେ ଏହାକୁ ସଜାଡ଼ିବା ପାଇଁ ସରକାର ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ତଥାପି କୌଣସି ଲାଭ ମିଳିନି । ତେଣୁ ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ବିଏସ୍ଏନଏଲ ଓ ଏମଟିଏନଏଲର ସମ୍ପତ୍ତି ବିକ୍ରି କରି ଅର୍ଥ ହାସଲ କରିବାକୁ ଚାହୁଁଛନ୍ତି । ପ୍ରାଥମିକ ଅବସ୍ଥାରେ ୬ଟି ସମ୍ପତ୍ତି ବିକ୍ରି କରାଯିବ । ଏହାପରେ ଅନ୍ୟ ସମ୍ପତ୍ତିଗୁଡ଼ିକ ଉପରେ ନିଷ୍ପତ୍ତି ହେବ । ସରକାର ୪ ବର୍ଷ ମଧ୍ୟରେ ୬ ଲକ୍ଷ କୋଟି ଟଙ୍କା ବିଭିନ୍ନ ସୂତ୍ରରୁ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସରକାର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

Comments are closed.