ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ବୌଦ୍ଧ ଓ ସୋନପୁର : ଗରିବଙ୍କୁ ସଶକ୍ତ କରିଛି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ

65

-ବୌଦ୍ଧ ଜିଲ୍ଲାକୁ ୪୮୩କୋଟି ଓ ସୋନପୁରକୁ ୩୦୦ କୋଟିର ଭେଟି
-ଉପକୃତ ହେବେ ସୋନପୁରର ଦେଢ଼ଲକ୍ଷ ଓ ବୌଦ୍ଧର ୩.୭୨ଲକ୍ଷ ଲୋକ
-ଗୋଟିଏ କାର୍ଡରେ ପୂରା ପରିବାର ପାଇବେ ଉତ୍ତମ ଚିକିତ୍ସା ସୁବିଧା

ଭୁବନେଶ୍ୱର : ଗରିବ ଲୋକଙ୍କୁ ସଶକ୍ତ କରିଛି ସ୍ମାର୍ଟ ହେଲଥ୍ କାର୍ଡ । ଏହି କାର୍ଡ ଦ୍ୱାରା ଗରିବଙ୍କ ଚିନ୍ତା ଦୂର ହୋଇଛି । କାର୍ଡ ଖଣ୍ଡିଏ ଧରି ପୂରା ପରିବାର ସବୁଠାରୁ ଭଲ ହସ୍ପ୍ିଟାଲରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ ଜିଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ସୋନପୁରର ୧ ଲକ୍ଷ ୫୦ ହଜାର ଲୋକ ଏହି ସୁବିଧା ପାଇବା ବେଳେ ବୌଦ୍ଧର ୩ ଲକ୍ଷ ୭୨ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୧୯ଟି ଜିଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ସୋନପୁର ପାଇଁ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସୋନପୁରକୁ ମନ୍ଦିର ନଗରୀ ଭାବେ ବର୍ଣ୍ଣନା କରି ଏହାର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରିଛନ୍ତି । ସୋନପୁରର ବୁଣାକାରମାନେ ନିଜ ଦକ୍ଷତା ଦ୍ୱାରା ଓଡିଶାର ଗୌରବକୁ ଦେଶ ବିଦେଶରେ ପହଞ୍ଚାଇଛନ୍ତି । ଜିଲ୍ଲାର ବିକାଶ ପାଇଁ ସେ ସମର୍ପିତ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୋନପୁରରେ ଏମ୍ଏସ୍ଏମ୍ଇ ପାର୍କ ପ୍ରତିଷ୍ଠା ଜରିଆରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି । ତା ସହିତ ଜଳସେଚନ ଓ ସ୍ୱାସ୍ଥ୍ୟ ସୁବିଧାର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ଜିଲ୍ଲା ମୁଖ୍ୟାଳୟରେ ଏକ ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି । ଏହାଦ୍ୱାରା ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି ।

ସେହିପରି ଆଜି ଅପରାହ୍ନରେ ବୌଦ୍ଧ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲା ପାଇଁ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର ପ୍ରାକୃତିକ ପରିବେଶର ବହୁତ ପ୍ରଶଂସା କରିଛନ୍ତି । ବୌଦ୍ଧରେ ପର୍ଯ୍ୟଟନର ବିକାଶ ପାଇଁ ଥିବା ବିପୁଳ ସୁଯୋଗକୁ ଉପଯୋଗ କରାଯିବ ବୋଲି ସେ କହିଛନ୍ତି । ୨୦ କୋଟି ଟଙ୍କାରେ ନନ୍ଦନବନ ସଫାରୀ କରାଯିବ, ଯାହାଦ୍ୱାରା ଇକୋ-ଟୁରିଜିମର ବିକାଶ ସହିତ ଜିଲ୍ଲାର ୪୦୦ ପରିବାରକୁ ରୋଜଗାର ମିଳିବ । ସେହିପରି ୪ କୋଟି ଟଙ୍କାରେ ୩୭ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ । ଦୁଗ୍ଧ ଉତ୍ପାଦନରେ ବୌଦ୍ଧ ଜିଲ୍ଲାର ସଫଳତାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଏକ ବର୍ଷରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ନିର୍ମାଣ କରାଯିବ । ଏହାଦ୍ୱାରା ୧୦ ହଜାର ·ଷୀ ଏଥିରେ ରୋଜଗାର ପାଇପାରିବେ । ସ୍ମାର୍ଟ ହେଲଥ କାର୍ଡ ଦ୍ୱାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି । କାର୍ଡ ଖଣ୍ଡିଏ ଧରି ସେମାନେ ପୁରା ପରିବାର ପାଇଁ ସବୁଠାରୁ ଭଲ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏହା ବାସ୍ତବରେ ସେମାନଙ୍କୁ ସଶକ୍ତ କରିଛି । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ ।

ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂଠାରୁ ଆରମ୍ଭ କରି ଟ୍ରିଟମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ସୋନପୁରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଷାନ୍ତ ସିଂହ ଏବଂ ବୌଦ୍ଧରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ, ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ପ୍ରଦୀପ କୁମାର ଅମାତ ଓ ବିଧାୟକ ମହିଧର ରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଆଜି ବାଲେଶ୍ୱର ଯିବେ ମୁଖ୍ୟମନ୍ତ୍ରୀ :

ରାଜ୍ୟରେ ସ୍ମାର୍ଟ ହେଉଛି ସ୍ୱାସ୍ଥ୍ୟସେବା । ଜିଲ୍ଲା ପରେ ଜିଲ୍ଲାରେ ଲେଖା ହେଉଛି ସ୍ୱାସ୍ଥ୍ୟସେବାର ସ୍ମାର୍ଟ କାହାଣୀ । ଆସନ୍ତାକାଲି ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ି ହେବ ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଲେଖା ହେବ ନୂଆ ଫର୍ଦ୍ଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ହିତାଧିକାରୀଙ୍କୁ ବିଏସକେୱାଇ କାର୍ଡ ବଣ୍ଟନ କରିବେ । ଏଥିସହ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ଦିନ ୧୧ଟାରେ ବାଲେଶ୍ୱରର ପୋଲିସ ଲାଇନ୍ ପଡ଼ିଆରେ ପହଞ୍ଚି ହିତାଧିକାରୀଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ଦେବେ । ପରେ ପରେ ଜିଲ୍ଲାର ୧୨ଟି ବ୍ଲକ୍ ଦାୟିତ୍ୱରେ ଥିବା ମନ୍ତ୍ରୀ, ବିଧାୟକମାନେ ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କୁ ବିଏସକେୱାଇ କାର୍ଡ ବଣ୍ଟନ କରିବେ । ଏଥିରେ ବାଲେଶ୍ୱର ଜିଲ୍ଲାର ୫ ଲକ୍ଷ ୧୩ ହଜାର ୩୫୨ ପରିବାରର ୧୯ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ । ପୁରୁଷ ହିତାଧିକାରୀଙ୍କ ପାଇଁ ୫ ଲକ୍ଷ ଓ ମହିଳା ହିତାଧିକାରୀ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସ ପାଇ ପାରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ବାଲେଶ୍ୱର ଏସ୍ପି ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଏସ୍ପି, ୧୩ ଜଣ ଡିଏସ୍ପି,୨୨ ଜଣ ଇନ୍ସପେକ୍ଟର, ୯୪ଜଣ ଏସ୍ଆଇ, ଏଏସ୍ଆଇଙ୍କ ସମେତ ୨୫ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି । ଏଥିସହିତ ଭିଡ଼କୁ ଏଡ଼ାଇବା ପାଇଁ ତାମୁଳିଆ ବ୍ରିଜ୍, ଫୁଲାଡ଼ି ଛକ, ସମଲପୁର ଛକ, ଟେକ୍ନିକାଲ ଫିଲ୍ଡ, ମଠସାହି ଛକ ପ୍ରଭୃତି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପୋଲିସ ଲାଇନ୍ ଛକ, ଆଇଟିଆଇ ଛକ, ସେଣ୍ଟ୍ରାଲ ସ୍କୁଲ ଛକ, ଟେକ୍ନିକାଲ ଛକ, ଷ୍ଟେସନ୍ ଛକରେ ଗାଡି଼ ଚଳାଚଳକୁ ବାରଣ କରାଯବି । ସହତି ବକ୍ଲିଂ କରାଯାଇଛି ।

Comments are closed.