ଏଣିକି ସରକାରୀ ସ୍କୁଲ ପରିସରରେ ଅଙ୍ଗନବାଡ଼ି କେନ୍ଦ୍ର

71

ଭୁବନେଶ୍ୱର : ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ପ୍ରତିଷ୍ଠା ହେବ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି । ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରେ ଅଙ୍ଗନବାଡ଼ି କେନ୍ଦ୍ର କରିବାକୁ ଜିଲ୍ଲାପାଳମାନଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଅନୁ ଗର୍ଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଅଙ୍ଗନବାଡ଼ି ଗୁଡ଼ିକ ଭଡ଼ା ସୂତ୍ର ଅଥବା କମ୍ୟୁନିଟି ସେଣ୍ଟରରେ ପରିଚାଳିତ ହେଉଛି । ତେଣୁ ଏଭଳି ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ପାଇଁ ଯଥା ସମ୍ଭବ ସରକାରୀ ବିଦ୍ୟାଳୟ ପରିସରରେ କୋଠା ନିର୍ମାଣ କରାଯାଉ । ବିଦ୍ୟାଳୟ ପରିସରରେ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯଥା ସମ୍ଭବ ସହଯୋଗ କରିବେ । ଅନ୍ୟପଟରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଅନ୍ୟ ବିଦ୍ୟାଳୟ ସହିତ ମିଶି ଯିବା ଫଳରେ ରାଜ୍ୟରେ ଅନେକ ସ୍କୁଲ ବନ୍ଦ ହୋଇଯାଇଛି । କିନ୍ତୁ ସେହି କୋଠାଗୁଡ଼ିକ ମଜବୁତ ସ୍ଥିତିରେ ଅଛି । ସେଠାରେ ପାନୀୟ ଜଳ, ଶୌଚାଳୟ ଓ ରୋଷେଇ ଘର ବ୍ୟବସ୍ଥା ରହିଛି । ତେଣୁ ଏଭଳି କୋଠାରେ ଅଙ୍ଗନବାଡ଼ି ପରିଚାଳିତ ହେବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି ।

Comments are closed.