ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର ବିନା ଅନୁମତିରେ ହେବ ନାମଲେଖା: ସିବିଏସ୍ଇ

73

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସବିଏସ୍ଇ) ଗୁରୁବାର ଏକ ବଡ଼ ଘୋଷଣା କରିଛି । କରୋନା ମହାମାରୀ ସମୟରେ ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀ ଭାରତରେ ଯେକୌଣସି ସିବିଏସ୍ଇ ସ୍ୱୀକୃତିପ୍ରାପ୍ତ ସ୍କୁଲରେ ଆଡମିସନ୍ ନେଇପାରିବେ । ଏଥିପାଇଁ ବୋର୍ଡରୁ କୌଣସି ପ୍ରକାର ଅନୁମତିର ଆବଶ୍ୟକତା ରହିବ ନାହିଁ । ପୂର୍ବରୁ ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀ ଭାରତରେ ପଢ଼ିବାକୁ ଚାହୁଁଥିଲେ ଏକ ଜଟିଳ ପ୍ରକ୍ରିୟା ଦେଇ ଗତି କରୁଥିଲେ । ଆଡମିସନ୍ ପାଇଁ ସ୍କୁଲରୁ ବୋର୍ଡକୁ ଅନୁମତି ମାଗିବାକୁ ପଡ଼ୁଥିଲା । ସିବିଏସ୍ଇ ପକ୍ଷରୁ ଅନୁମତି ମିଳିଲେ ହିଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ସ୍ୱୀକୃତିପ୍ରାପ୍ତ ସ୍କୁଲରେ ଆଡମିସନ୍ ମିଳୁଥିଲା । କରୋନା ମହାମାରୀ ପରେ ପରେ ବହୁ ପରିବାର ଭାରତକୁ ଫେରୁଛନ୍ତି । ତେଣୁ ଅନେକ ସଂଖ୍ୟକ ଛାତ୍ରଛାତ୍ରୀ ଭାରତ ଫେରିବା ପରେ ସିବିଏସ୍ଇ ଅନୁମୋଦିତ ସ୍କୁଲଗୁଡ଼ିକରେ ଆଡମିସନ ନେଉଛନ୍ତି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେଣୁ ଏହାକୁ ନଜରରେ ରଖି ବୋର୍ଡ ପୂର୍ବ ନିୟମରେ ପରିବର୍ତ୍ତନ କରିଛି ।

Comments are closed.