ଗ୍ୟାସ୍ ଦର: ୩୦ ଯାଏ ଡେଡ୍ଲାଇନ୍ ଦେଲା ବିଜେଡି

72

ଭୁବନେଶ୍ୱର : ଆସନ୍ତା ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ନକମିଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି । ଜେଡିର ତିନି ବିଧାୟକ ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ ଆଜି ଏହି ସୂଚନା ଦେଇଛନ୍ତି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ତିନି ବିଧାୟକ କହିଛନ୍ତି ଯେ ବିଶ୍ୱର କୌଣସି ଦେଶରେ କେବେବି ରନ୍ଧନ ଗ୍ୟାସ୍ ଦର ଏତେ ଦ୍ରୁତ ଗତିରେ ଏତେ ପରିମାଣରେ ବଢି ନାହିଁ । ୨୦୧୪ରେ ଯେତେବେଳେ ଏହି ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିଲେ ସେତେବେଳେ ଗ୍ୟାସ ସିଲିଣ୍ଡରର ଦର ଥିଲା ୪୧୪ ଟଙ୍କା । ଗତ ୭ ବର୍ଷ ଭିତରେ ଦର ଦୁଇଗୁଣରୁ ଅଧିକ ବଢି ୯୩୦ ଟଙ୍କା ଛୁଇଁଲାଣି । କରୋନା ଭଳି ମହାମାରୀ ସଂକଟ ବେଳେ ପ୍ରତି ମାସରେ ୨୫/୫୦/୭୫ ଟଙ୍କା ପର୍ଯ୍ୟନ୍ତ ବଢାଯାଇ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ କରାଯାଉଛି । ରନ୍ଧନ ଗ୍ୟାସର ଏଭଳି ଅହେତୁକ ଦରବୃଦ୍ଧି କରି କେନ୍ଦ୍ର ସରକାର ଗରିବ ଓ ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇ ସାରିଲେଣି । ଲୋକେ ତ୍ରାହି ତ୍ରାହି ଡାକିଲେଣି ଓ ଏହାର ପ୍ରତିବାଦରେ ବିଜୁ ଜନତା ଦଳର ଡାକରାରେ ରାସ୍ତାକୁ ଓହ୍ଲାଇଲେଣି । ମାତ୍ର କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ଓଲଟା ବିଜେପିର ରାଜ୍ୟ ନେତୃବୃନ୍ଦ ସରକାରକୁ ବଞ୍ଚାଇବା ଲାଗି ମିଛର ସାହାରା ନେଉଛନ୍ତି ଏବଂ ଉଦ୍ଭଟ ଓ ହାସ୍ୟାସ୍ପଦ ଯୁକ୍ତି ବାଢ଼ୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଯାଇ କହୁଛନ୍ତି, ଅନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସ୍ ଓ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ରନ୍ଧନ ଗ୍ୟାସ୍ ଦର ବଢ଼ୁଛି । ମାତ୍ର ବାସ୍ତବତା ହେଲା; ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସର ଦର ୬ ଡଲାର/ ବିଟିୟୁ (ବ୍ରିଟିଶ୍ ଥର୍ମାଲ ୟୁନିଟ୍)ଥିଲାବେଳେ ଏବେ ତାହା ୫.୮ ଡଲାରକୁ କମିଯାଇଛି । ଠିକ୍ ସେମିତି ୨୦୧୪ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ୍ ପିଛା ୮୬ ଡଲାର ଥିଲାବେଳେ ଏବେ ଏହା ୭୮ ଡଲାର ରହିଛି । ଉଭୟ ପ୍ରାକୃତିକ ଗ୍ୟାସ୍ ଓ ଅଶୋଧିତ ତୈଳର ଦର ଯଥାକ୍ରମେ ୧୫ ଓ ୧୦ ପ୍ରତିଶତ କମିଥିଲା ବେଳେ ରନ୍ଧନ ଗ୍ୟାସ୍ ଦର ୧୨୩ % ବଢିବାର ଯଥାର୍ଥତା କେଉଁଠି ବୋଲି ବିଜେଡିର ତିନି ନେତା ପ୍ରଶ୍ନ କରିଛନ୍ତି ।

ଅନୁରୂପ ଭାବେ ଉଜ୍ଜ୍ୱଳା ଯୋଜନା ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଲୋକଙ୍କୁ ମିଛ ସଫଳତାର କାହାଣୀ ଶୁଣାଇ ଚାଲିଛନ୍ତି । ଏହି ଯୋଜନାକୁ ବହୁ ଆଡ଼ମ୍ବରରେ ଆରମ୍ଭ କଲାବେଳେ ସରକାର କେତେ ସ୍ୱପ୍ନ ଦେଖାଇଥିଲେ । ଗରିବ ଓ ଅବହେଳିତ ବର୍ଗର ମହିଳାଙ୍କୁ ଆଉ ଚୁଲିମୁଣ୍ଡକୁ ଯାଇ ଧୂଆଁରେ ରୋଷେଇ କରିବାକୁ ପଡ଼ିବ ନାହିଁ ବୋଲି କହିଥଲେ । ମାତ୍ର ଗ୍ୟାସର ଦରବୃଦ୍ଧି ଯୋଗୁଁ ଉଜ୍ଜ୍ୱଳା ଯୋଜନାର ଅଧିକାଂଶ ହିତାଧିକାରୀ ମହିଳା ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରିନପାରି ପୁଣି ଚୁଲିମୁଣ୍ଡକୁ ଫେରି ଯାଇଛନ୍ତି । ଏ ସବୁ ପ୍ରତିଶ୍ରୁତି ଯେ ଫମ୍ପା ଥିଲା, ତାହା ସେମାନେ ବୁଝି ସାରିଲେଣି । ତେଣୁ ଦଳମତ ନିର୍ବିଶେଷରେ ମହିଳାମାନେ ବି ହଜାର ହଜାର ସଂଖ୍ୟାରେ ରାସ୍ତାକୁ ଓହ୍ଲାଇଛନ୍ତି । ଆଗାମୀ ଦିନରେ ମହିଳାମାନେ ଏହାର ଉଚିତ ଜବାବ ଦେବେ । ବିଜୁ ଜନତା ଦଳ ସବୁବେଳେ ରାଜ୍ୟର ସାଢେ ଚାରି କୋଟି ଓଡ଼ିଆଙ୍କ ସ୍ୱାର୍ଥରକ୍ଷା ପାଇଁ କାମ କରିଆସୁଛି । ଏହି ପରିପ୍ରେକ୍ଷୀରେ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନର ଡାକରା ଦିଆଯାଇଥିଲା । ଚଳିତ ମାସ ୨୨, ୨୩, ୨୪ ଗତ ୩ ଦିନ ଧରି ଦଳ ପକ୍ଷରୁ ରାଜ୍ୟ ସାରା ଯେଉଁଭଳି ଭାବେ ମହିଳା, ଯୁବକ, ଛାତ୍ର ଓ ସାଧାରଣ ଜନତାଙ୍କ ପକ୍ଷରୁ ଏହି ଆନ୍ଦୋଳନକୁ ବିପୁଳ ସମର୍ଥନ ମିଳିଛି, ତାହା ଅଭୂତପୂର୍ବ । ଏଥିପାଇଁ ଆମେ ରାଜ୍ୟବାସୀଙ୍କୁ ପୁଣିଥରେ ଧନ୍ୟବାଦ ଜଣାଉଛୁ । ଏଥି ସହିତ କେନ୍ଦ୍ର ସରକାରକୁ ପୁଣିଥରେ ଚେତାବନୀ ଦେଉଛୁ କି ଯଦି ସରକାର ଆଗାମୀ ୩୦ ତାରିଖ ଭିତରେ ଗ୍ୟାସ୍ ଦର କମାଇବାକୁ ପଦକ୍ଷେପ ନ ନିଅନ୍ତି, ତେବେ ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ।

Comments are closed.