ତାରାଚାନ୍ଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନ ପୂରଣ କଲେ ନବୀନ

76

ଭୁବନେଶ୍ୱର : ବଲାଙ୍ଗିର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ୱପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ତାଙ୍କର ନାମଲେଖା ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲାର ସିନେ୍ଧକେଲା ବଡ଼ପଡ଼ା ଗାଁର ଜଣେ ପ୍ରତିଭାବାନ ଛାତ୍ର ହେଉଛନ୍ତି ତାରାଚାନ୍ ରଣା । ବାପା ଉପସୁ ରଣାଙ୍କ ବାର୍ଷିକ ରୋଜଗାର ମାତ୍ର ୪୫ ହଜାର ଟଙ୍କା । ତଥାପି ନିଜର ସ୍ୱପ୍ନ ପୂରଣ କରିବା ପାଇଁ ତାରାଚାନ୍ ଅବିରତ ଉଦ୍ୟମ କରିଚାଲିଥିଲେ । ଚଳିତ ବର୍ଷ ଇଞ୍ଜିନିୟରିଂ ପାଇଁ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ରେ ୯୯.୩୫ ପ୍ରତିଶତ ମାର୍କ ରଖି ଏନ୍ଆଇଟି ୱାରାଙ୍ଗଲରେ ପଢ଼ିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି । କିନ୍ତୁ ଏଥିରେ ଅର୍ଥ ସାଜିଥିଲା ତାଙ୍କ ପାଇଁ ମୁଖ୍ୟ ବାଧକ । ନାମଲେଖା ପାଇଁ ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନଥିଲା । କଷ୍ଟେମଷ୍ଟେ ସେ ଅଳ୍ପ କିଛି ଟଙ୍କା ସଂଗ୍ରହ କରି ନାମଲେଖା ପାଇଁ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି । ତାଙ୍କର ବାକି ଅର୍ଥ ପ୍ରଦାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ଆଡମିଶନ ପ୍ରକ୍ରିୟା ପୂରଣ କରିବା ପାଇଁ ୯୬,୫୦୦ ଟଙ୍କା ମଞ୍ଜୁର କରିଛନ୍ତି । ଏହାଦ୍ୱାରା ତାଙ୍କର ଆଡମିଶନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିବ । ଟଙ୍କା ମଞ୍ଜୁର କରିବା ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରତିଭାବାନ ଛାତ୍ରଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Comments are closed.