ଆସୁଛି ବାତ୍ୟା “ଜୱାଦ’ : ଓଡ଼ିଶା ପ୍ରତି ବିପଦ ଘନେଇଲା

62

ଭୁବନେଶ୍ୱର : ଆସୁଛି ବାତ୍ୟା । ଡିସେମ୍ବରରେ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାରେ ତାଣ୍ଡବ ରଚିବ ବାତ୍ୟା “ଜୱାଦ’ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ବଳୟ ଡିସେମ୍ବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ପହଞ୍ଚିବ । ଏହା ପ୍ରଭାବରେ ବଙ୍ଗୋପ ସାଗର ଉପକୂଳବର୍ତ୍ତୀ ରାଜ୍ୟରେ ପ୍ରବଳ ବର୍ଷା ପବନ ହେବା ଆଶଙ୍କା ରହିଛି । ନଭେମ୍ବର ୨୯ରୁ ୩୦ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟିହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଡିସେମ୍ବର ୨ତାରିଖ ସୁଦ୍ଧା ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ । ଯଦି ଏହା ବାତ୍ୟାରେ ପରିଣତ ହୁଏ ଏହାର ନାମ “ଜୱାଦ’ ରଖାଯିବ । ଗତ କିଛିବର୍ଷ ଧରି ଅକ୍ଟୋବର, ନଭେମ୍ବରରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିବା ବେଳେ ଚଳିତବର୍ଷ ସେପ୍ଟେମ୍ବରରେ ସାଇକ୍ଲୋନ୍ ଗୁଲାବ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା । ୟୁରୋପିଆନ ପାଣିପାଗ ମଡେଲ ବିଶେଷଜ୍ଞଙ୍କ କହିବା ଅନୁସାରେ, ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ବଳୟ ବାତ୍ୟାରେ ପରିଣତ ହେବା ପରେ ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିବ । ଏହାପରେ ଏହା ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ମୁହାଁ ହେବ । ଏହା ପ୍ରଭାବରେ ଡିସେମ୍ବର ୩ ଓ ୪ ତାରିଖରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଝାରଖଣ୍ଡ ଓ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହୋଇପାରେ ।

ୱିଣ୍ଡର ଜିଏଫଏସ୍ ମଡେଲ ପୂର୍ବାନୁମାନ କରିଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଇପାରେ । ଏହା ଓଡ଼ିଶା ଉପକୂଳ ନିକଟରେ ଅତିକ୍ରମ କରି ପଶ୍ଚିମବଙ୍ଗର ସୁନ୍ଦରବନରେ ହିଟ୍ କରିପାରେ । ଆକ୍ୟୁୱେଦର ପାଣିପାଗ ବିଜ୍ଞାନ ଜାସନ ନିକୋଲ୍ସ କହିଛନ୍ତି ଏହା ଆନ୍ଧ୍ରପ୍ରଦେଶ କିମ୍ବା ଓଡ଼ିଶାରୁ ବାଂଲାଦେଶ ମଧ୍ୟରେ ପ୍ରଭାବ ପକାଇବ । ଏହିସବୁ ମଡେଲ ଉପରେ ନଜର ରଖିଛି ଆଇଏମ୍ଡି । ଅନ୍ୟପକ୍ଷରେ ଚାଷୀମାନେ ପାଚିଲା ଧାନ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଫସଲ ଅମଳ ସମୟରେ ବାତ୍ୟା ନେଇ ଚିନ୍ତାରେ ଚାଷୀ :

-୨ରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା
-ସତର୍କ ରହିବା ପାଇଁ ଏସ୍ଆରସିଙ୍କ ନିର୍ଦ୍ଦେଶ

ଲଘୁଚାପ ନେଇ ସତର୍କ ସୂଚନା ଜାରି କଲେ ରାଜ୍ୟ ସରକାର । ୩୦ ତାରିଖରେ ସୃଷ୍ଟ ଲଘୁଚାପ ନେଇ ସତର୍କତା ଜାରି କରିଛନ୍ତି ଏସ୍ଆରସି ପ୍ରଦୀପ ଜେନା । ସ୍ୱତନ୍ତ୍ର ରିଲିଫ କମିଶନର ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଲଘୁଚାପ ପ୍ରଭାବରେ ୬ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ଛଅଟି ଜିଲ୍ଲା ହେଉଛି ଯଥାକ୍ରମେ ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା । ଆସନ୍ତା ୨ ଓ ୩ ତାରିଖରେ ଲଘୁଚାପ ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ଉପରୋକ୍ତ ସମସ୍ତ ଜିଲ୍ଲାଗୁଡ଼ିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସ୍ଆର୍ସି । ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ସେପଟେ ଯେଉଁ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଛନ୍ତି, ସେମାନେ ଦୁଇ ତାରିଖ ସୁଦ୍ଧା ଫେରିଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ସେହିପରି ବର୍ତ୍ତମାନ ଧାନ ଅମଳ ସମୟ ଚାଲିଥିବାବେଳେ ଲଘୁଚାପକୁ ନେଇ ଚାଷୀଙ୍କ ମନରେ ଶଙ୍କା ସୃଷ୍ଟି ହୋଇଛି । ଫସଲ କ୍ଷତି ହେବା ନେଇ ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି ।

Comments are closed.