ଭୁବନେଶ୍ୱର ଏୟାରପୋର୍ଟରେ ଲେଜର ଆକ୍ରମଣ ଭୟ

65

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲେଜର ଆକ୍ରମଣ ଭୟ । ଭୁବନେଶ୍ୱର ବିମାନବନ୍ଦର ପ୍ରତି ଲେଜର ଓ ଡ୍ରୋନ ଆକ୍ରମଣର ଭୟ ରହିଛି । ବିଭିନ୍ନ ସମୟରେ ବିମାନବନ୍ଦରର ସୁରକ୍ଷାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଥିବା ବେଳେ ଖୋଦ ବାଣିଜ୍ୟ ଓ ପରିବହନ ବିଭାଗ ଏନେଇ ଚିନ୍ତାବ୍ୟକ୍ତ କରିଛି । ବିଭାଗର ବିବରଣୀ କହୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏହି ଆନ୍ତର୍ଜାତିକ ବିମାନବନ୍ଦର ପ୍ରତି ଲେଜର ଓ ଡ୍ରୋନ ଆକ୍ରମଣ ଆଶଙ୍କା ରହିଛି । ରିପୋର୍ଟରେ ଅର୍ଥନୈତିକ ଅବନତି ଦିଗ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ବିମାନବନ୍ଦରର ରାଜସ୍ୱ ବହୁ ପରିମାଣରେ କମିଛି । ଖାଲି ସେତିକି ନୁହେଁ ଉଭୟ ବିଦେଶୀ ଓ ଘରୋଇ ଯାତ୍ରୀଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି । ରାଜ୍ୟ ସରକାର ପୁରୀରେ ଦ୍ୱିତୀୟ ତଥା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ବିଭାଗର ଏହି ତଥ୍ୟ ରାଜ୍ୟର ସବୁଠୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ବିମାନବନ୍ଦର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଗତ ୨୪ ତାରିଖରେ ବିଭାଗ ପକ୍ଷରୁ ରାଜ୍ୟ ଅର୍ଥନୈତିକ ଓ ପରିସଂଖ୍ୟାନ ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।

୨୦୨୦-୨୧ ବର୍ଷ ପାଇଁ ଅର୍ଥନୈତିକ ସର୍ବେକ୍ଷଣ ବିବରଣୀ ପ୍ରସ୍ତୁତ ପାଇଁ ବିଭାଗ ପକ୍ଷରୁ ଏହି ତଥ୍ୟ ସଂଗୃହୀତ ହୋଇଥିଲା । କରୋନା ମହାମାରୀ ଯୋଗୁଁ ୨୦୨୦ ମାର୍ଚ୍ଚ ମାସରୁ ଜାତୀୟ ଓ ଆନ୍ତର୍ଜାତିକ ବିମାନ ଉଡ଼ାଣ ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା । ରାଜ୍ୟରେ ଦୁଇଟି ବିମାନବନ୍ଦର ଓ ୧୯ଟି ଏୟାରଷ୍ଟ୍ରିପ୍ (ବିମାନ ଅବତରଣ ପଡ଼ିଆ)ରହିଛି । ଏଠାରୁ ଦେଶର ୧୨ଟି ସହରକୁ ସଂଯୋଗ ରହିଛି । ୨୦୧୯-୨୦ ବର୍ଷରେ ରାଜ୍ୟରେ ୬୦୭ଟି ଆନ୍ତର୍ଜାତିକ ବିମାନ ଅବତରଣ କରିଥିବା ବେଳେ ୭୧ ହଜାର ୪୨ ବିଦେଶୀ ଯାତ୍ରୀ ଆସିଥିଲେ । ୨୦୨୦-୨୦୨୧ରେ ମାତ୍ର ୮୯ ଆନ୍ତର୍ଜାତିକ ବିମାନ ଅବତରଣ କରିଥିଲା ଏବଂ ୬୧୩୨ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ସେହିପରି ୨୦୧୯-୨୦ରେ ୩୬ ଲକ୍ଷ ୮ ହଜାର ୪୯୪ ଘରୋଇ ଯାତ୍ରୀ ଆସିଥିବା ବେଳେ ୨୦୨୦-୨୧ରେ ୧୫ ଲକ୍ଷ ୬୬ ହଜାର ୩୮୫ ଯାତ୍ରୀ ଆସିଥିଲେ ।

Comments are closed.