ରାଜପଥ ସଂଯୋଗ ଜଙ୍କସନ୍ ପାଲଟିଛି ମୃତ୍ୟୁଯନ୍ତା, ଘଟିଛି ୨୫୯୪ ଦୁର୍ଘଟଣା: ଗଡ଼ିଛି ୧୧୬୪ ମୁଣ୍ଡ

64

ଭୁବନେଶ୍ୱର : ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ସ୍ଥାନୀୟ ରାସ୍ତାର ଛକ ବା ଜଙ୍କସନ୍ଗୁଡିକ ଏବେ ପାଲଟିଛି ଟେନସନ୍ । ଏହି ଭଳି ସ୍ଥାନରେ ବେଶୀ ସଂଖ୍ୟାରେ ଦୁର୍ଘଟଣା ଘଟୁଛି ଯେଉଁଥିପାଇଁ ଜୀବନ ଯାଉଛି । ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଲାଣି । ଏହାକୁ ରୋକିବା ପାଇଁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ପୂର୍ତ୍ତ ବିଭାଗକୁ ଚିଠି ଲେଖିଛନ୍ତି ପରିବହନ ସଚିବ । ବିଶେଷଜ୍ଞ କହିଛନ୍ତି ଇଞ୍ଜିନିୟରିଂରେ
ବ୍ୟାପକ ପରିବର୍ତ୍ତନ ଆବଶ୍ୟକତା ରହିଛି । ଜଙ୍କସନ୍ ପାଲଟିଛି ଟେନସନ୍ । ୨୦୨୦ର ତଥ୍ୟ ଅନୁସାରେ ଏହି ଭଳି ଜଙ୍କସନ୍ରେ ୨୫୯୪ଟି ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୧୬୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୨୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ଜଙ୍କସନ ସବୁ ହୋଇଛି ବ୍ଲାକସ୍ପଟ୍ । ବିଶେଷ କରି ଜାତୀୟ ଓ ରାଜ୍ୟ ରାଜପଥରେ ରହିଥିବା ଜଙ୍କସନଗୁ଼ଡ଼ିକରେ ୨୫ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି । ସଡକ ଦୁର୍ଘଟଣା ରୋକିବା ଲାଗି ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାର ନାନା ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଗଷ୍ଟ ୩୧ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ସଂପର୍କିତ ଏକ ସମୀକ୍ଷା ବୈଠକ ବସିଥିଲା । ଦୁର୍ଘଟଣାଗୁଡ଼ିକର କାରଣ ଖୋଜିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟି ଦୁଇମାସ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ନିର୍ଦ୍ଦେଶର ପାଳନ ହେଲାନାହିଁ ।

ପରବିହନ ବିଭାଗ ପ୍ରମୁଖ ଶାସନ ସଚିବ ପୂର୍ତ୍ତ ବିଭାଗ ଏବଂ ଏନ୍ଏଚ୍ଏଆଇ ମହାପ୍ରବନ୍ଧକଙ୍କୁ ଚିଠି ଲେଖି ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଜଙ୍କସନ ବା ଛକଗୁଡିକର ପ୍ରତ୍ୟକ୍ଷ ପରିଦର୍ଶନ କରି ଦୁର୍ଘଟଣାର କାରଣ ଖୋଜିବାକୁ ସଡକ କର୍ତ୍ତୃପକ୍ଷଙ୍କୁ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ତାହାର ରିପୋର୍ଟ ବି ଆସିନାହିଁ । ପରିବହନ ମନ୍ତ୍ରୀ କହିଛନ୍ତି ଦୁର୍ଘଟଣାକୁ ରୋକିବା ଲାଗି ବହୁତ ପଦକ୍ଷେପ ଗ୍ରହଣ କରାଯାଇଛି । ୨୫ ପ୍ରତିଶତ ବ୍ଲାକ ସ୍ପଟ ଚିହ୍ନଟ ସରିଲାଣି । ଖୁବ୍ଶୀଘ୍ର ସମସ୍ତ ବ୍ଲାକ ସ୍ପଟ ଚିହ୍ନଟ କରାଯିବ । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ଏକ ଏକ୍ସପର୍ଟ କମିଟି ଗଠନ କରାଇ ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡାର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥକୁ ତଦାରଖ କରିଥିଲେ । ଏହି ସମୟରେ ୧୦୦ଟି ବ୍ଲାକ ସ୍ପଟ ଚିହ୍ନଟ କରାଯାଇଥିଲା । ୨୪ ଅଗଷ୍ଟରୁ ଏକ ସାସ ଧରି ଜାତୀୟ ରାଜପଥ ଅଧିକାରୀ, ପରିବହନ ଅଧିକାରୀ, ପୂର୍ତ୍ତ ବିଭାଗ ଅଧିକାରୀ ମିଳିତ ତଦାରଖ କରିଥିଲେ । ତେବେ ଏନେଇ ରାସ୍ତା ସୁରକ୍ଷା ସମିତି ସମ୍ପାଦକ ପ୍ରକାଶ ମହାପାତ୍ର କହିଛନ୍ତି ସବୁଆଡେ ଜଙ୍କସନମାନ ଖୋଲାଯାଉଛି । ଜଙ୍କସନରେ ହେଉଥିବା ଦୁର୍ଘଟଣାର କାରଣକୁ ତଦାରଖ କରାଯାଉନି । ଯେଉଁଠି ସିମ୍ବଲ୍ ରହିବା କଥା ରହୁନି । ରୋଡ଼ ଇଞ୍ଜିନିୟରିଂ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟଙ୍କ କମିଟି ଓଡିଶା ପାଇଁ ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ ୨୦୨୦ ସୁଦ୍ଧା ମୃତ୍ୟୁହାରକୁ ୫୦ ପ୍ରତିଶତ ହ୍ରାସ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଭାଗ୍ୟବଶତଃ ୨୦୧୪ରୁ ୨୦୨୦ ମଧ୍ୟରେ ମୃତ୍ୟୁ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି ।

Comments are closed.