ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ କଡ଼ାକଡ଼ି

83

ଭୁବନେଶ୍ୱର : ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ହେଲେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ଏବେ ଚିନ୍ତାରେ ସରକାର । ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ୍ ଅଧିକ ମାରାତ୍ମକ ହୋଇଥିବାରୁ ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଆରମ୍ଭ ହେବ କି ନାହିଁ ସେ ନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବେଠକରେ ଭର୍ଚୁଆଲ ମୋଡରେ ଯୋଗଦେଇଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ କହିଛନ୍ତି ଯେ, ତାଲିକାଭୁକ୍ତ ଦେଶରୁ ଆସୁଥିବା ବିମାନକୁ ଏବେ ନିଷେଧ କରାଯାଇଛି । ଏବେ ବିଦେଶରୁ ସିଡ୍ୟୁଲ ବିମାନ ଭୁବନେଶ୍ୱରକୁ ଆସୁନାହିଁ । କୋଭିଡ ସଂକ୍ରମଣ ପରଠାରୁ ସିଡ୍ୟୁଲ ବିମାନ ଚଳାଚଳ ବନ୍ଦ ରହିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଡିସେମ୍ବର ୧୫ରେ ଅନ୍ତର୍ଜାତୀୟ ବିମାନ ଯାତ୍ରା ଆରମ୍ଭ ହେବା ପରେ ବିଦେଶରୁ ସିଡ୍ୟୁଲ ବିମାନ ଆସିବାର ସମ୍ଭାବନା ଅଛି । ହେଲେ ଭୁବନେଶ୍ୱରକୁ ମାସେ ମଧ୍ୟରେ ସିଡ୍ୟୁଲ ବିମାନ ଆସିବାର ପ୍ରସ୍ତାବ ନାହିଁ । ଯଦି ଆସେ ତେବେ ଯାତ୍ରୀଙ୍କ କରୋନା ପରୀକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବୁ । ହେଲେ ନନ୍ସିଡ୍ୟୁଲ ବିମାନ ଆସିଲେ ଏହାକୁ ଭୁବନେଶ୍ୱରରେ ଅବତରଣ କରିବାକୁ ଦିଆଯିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂ କରାଯାଉଛି । ଯଦି ଲକ୍ଷଣ ଦେଖାଯାଏ ତେବେ ସେଠାରେ ସେମାନଙ୍କୁ ଅଟକାଇ ଦିଆଯିବ । ଏଭଳି ସ୍ଥିତିରେ ସଂକ୍ରମିତ ଓଡ଼ିଶା ଆସିବାର ସମ୍ଭାବନା କମ୍ ।

Comments are closed.