ଦେଶରେ ବଢ଼ୁଛି ବେକାରୀଙ୍କ ସଂଖ୍ୟା

70

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବେକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷକରି ଉଚ୍ଚଶିକ୍ଷିତ ବେକାରୀଙ୍କ ସଂଖ୍ୟା ଯେଉଁଭଳି ଭାବେ ବଢ଼ି ବଢ଼ି ଚାଲିଛି ତାହା ଦେଶ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ୨୦୧୮ ମଧ୍ୟରେ ଦେଶରେ ୩୦ ପ୍ରତିଶତ ଯୁବକଯୁବତୀ ବେକାରୀ ଥିବା କୁହାଯାଇଥିଲା । ୨୦୧୯ରେ ମଧ୍ୟ ବେକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିଲା । ୨୦୧୯ରେ ଯେତେବେଳେ କରୋନା ସଂକ୍ରମଣ ଦେଶରେ ପ୍ରବେଶ କଲା ଏବଂ ଲକ୍ଡାଉନ୍ ଓ ସଟ୍ଡାଉନ୍ ଲାଗୁ କରାଗଲା, ଏଥିଯୋଗୁ ଅନେକ ଲୋକ ରୋଜଗାର ହରାଇଲେ । ଲକ୍ଡାଉନ୍ ଓ ସଟ୍ଡାଉନ୍ ହଟିବା ପରେ ଆଶା କରାଯାଉଥିଲା ପୁଣି ଦେଶର ଅର୍ଥନୀତି ପୂର୍ବସ୍ଥିତିକୁ ଫେରି ଆସିବ ଏବଂ ବେକାରି ସଂଖ୍ୟାରେ କିଛିଟା ଅଙ୍କୁଶ ଲାଗିବ । କିନ୍ତୁ ୨୦୨୧ରେ ମଧ୍ୟ ଅନେକ ଲୋକ ନିଜର ଚାକିରି ହରାଇବା ସହିତ ଅନେକ ନିଜ ବ୍ୟବସାୟରେ କ୍ଷତି ସହିଥିଲେ । ବର୍ତ୍ତମାନ କରୋନା ସଂକ୍ରମଣ ଟିକା କମିବାରେ ଲାଗିଛି । ଜୀବନ ଓ ଜୀବିକାକୁ ସମନ୍ୱୟ ନେଇ ଲକ୍ଡାଉନ୍ ଓ ସଟ୍ଡାଉନ୍ ହଟାଯାଇଛି । ସବୁ ପ୍ରକାର ବ୍ୟବସ୍ଥା ଆରମ୍ଭ ହୋଇଛି । ମାତ୍ର ସିଏମ୍ଆଇଇର ରିପୋର୍ଟ ଅନୁଯାୟୀ ଏବେ ବି ଦେଶରେ ବେକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଅକ୍ଟୋବରଠାରୁ ନଭେମ୍ବର ମାସରେ ବେକାରୀଙ୍କ ଗ୍ରାଫ୍ ମଧ୍ୟ ବଢ଼ୁଛି । ଅକ୍ଟୋବରଠାରୁ ନଭେମ୍ବରରେ ୧୮ ପ୍ରତିଶତ ବେକାରୀ ଅଧିକ ବଢ଼ିଛି । ସେପ୍ଟେମ୍ବରରେ ବେକାରୀ ସଂଖ୍ୟା ୭.୭୫ ପ୍ରତିଶତ ବଢ଼ିଥିଲା । ଏପରିକି ୨୦୨୧ ମଇ ମାସରେ ୧କୋଟି ୫୦ଲକ୍ଷ ଲୋକ ନିଜର ରୋଜଗାର ହରାଇଥିଲେ । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ବେକାରୀ ରହିଛନ୍ତି । ସହରାଞ୍ଚଳର ସ୍ଥିତି ଗ୍ରାମାଞ୍ଚଳ ଅପେକ୍ଷା ସାମାନ୍ୟ ଭଲ ରହିଛି । ଅକ୍ଟୋବରଠାରୁ ନଭେମ୍ବରରେ ଗ୍ରାମାଞ୍ଚଳରେ ବେକାରୀଙ୍କ ସଂଖ୍ୟା ୧.୧୫ ପ୍ରତିଶତ ବଢ଼ିଛି ।

ସେହିପରି ସହରାଞ୍ଚଳରେ ୦.୭୫ ପ୍ରତିଶତ ବେକାରୀଙ୍କ ସଂଖ୍ୟା ବଢ଼ିଛି । ଆଉ ଗୋଟିଏ ଉଦ୍ବେଗଜନକ କଥା ହେଲା ଦେଶରେ ଉଚ୍ଚଶିକ୍ଷିତଙ୍କ ହାରାହାରି ଦରମା ମାସକୁ ମାତ୍ର ୮ ହଜାର ଟଙ୍କା । ପୋଷ୍ଟ ଗ୍ରାଜୁଏସନ୍ କରିଥିବା ଯୁବକଯୁବତୀ ମାସକୁ ହାରାହାରି ଦରମା ୭,୫୦୦ ଟଙ୍କା ପାଉଛନ୍ତି । ଏପରିକି ୨୦୨୦ରେ ୧୦ଲକ୍ଷ ପିଜି କରିଥିବା ଛାତ୍ରଛାତ୍ରୀ ଚତୁର୍ଥ ଶ୍ରେଣୀ ପାଇଁ ଆବେଦନ କରିଥିଲେ । ଆଉ ଗୋଟିଏ କଥା ସମସ୍ତଙ୍କୁ ଆଚମ୍ବିତ କରିବ ତାହା ଆସିଛି ଦେଶର ବିକଶିତ ରାଜ୍ୟ ଗୁଜରାଟରୁ । ଗୁଜରାଟରେ ଗ୍ରାମରକ୍ଷୀ ପଦ ନିଯୁକ୍ତି ପାଇଁ ସାକ୍ଷାତକାର ଦେବାକୁ ଆସିଥିଲେ ହଜାର ହଜାର ଛାତ୍ରଛାତ୍ରୀ । ଆଶାୟୀଙ୍କ ସଂଖ୍ୟା ଏତେ ବଢ଼ିଯାଇଥିଲା ଯେ, ଶେଷରେ ଦଳାଚକଟା ହୋଇଥିଲା । ଶେଷରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ସୂଚନାଯୋଗ୍ୟ ଯେ, ୯ହଜାର ଗ୍ରାମରକ୍ଷୀ ପଦବୀ ପାଇଁ ଗୁଜରାଟ ସରକାରଙ୍କ ପକ୍ଷରୁ ଅକ୍ଟୋବର ମାସରେବିଜ୍ଞାପନ ଜାରି କରାଯାଇଥିଲା । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଥିଲା ତୃତୀୟ ଶ୍ରେଣୀ ଏବଂ ବୟସସୀମା ୨୦ରୁ ୫୦ବର୍ଷ ମଧ୍ୟରେ । ବେତନ ବାବଦକୁ ଦୈନିକ ମାତ୍ର ୨୩୦ ଟଙ୍କା ମିଳିବ । ଏଥିପାଇଁ ଜିଲ୍ଲାୱାରୀ ସାକ୍ଷାତ କରାଯାଇ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଥିଲା । ଏହି କ୍ରମରେ ଶନିବାର ଫାଲନପୁରର ବନସକଣ୍ଟା ଅଞ୍ଚଳରେ ସାକ୍ଷାତକାର ଦେବାକୁ ଛୁଟି ଆସିଥିଲେ ହଜାର ହଜାର ଛାତ୍ରଛାତ୍ରୀ । ଶେଷରେ ସେଠାରେ ଦଳାଚକଟା ହୋଇ ଅନେକ ଆହତ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଏହିସବୁ ଘଟଣା ଦେଶରେ ଉକ୍ରଟ ବେକାରୀ ସମସ୍ୟାକୁ ସାମ୍ନାକୁ ଆଣିଛି ।

Comments are closed.