ଆସୁଛି ବାତ୍ୟା ଜୱାଦ : ଉପକୂଳରେ ରଚିବ ତାଣ୍ଡବ

64

-୩ଦିନ ପ୍ରବଳ ବର୍ଷା
-୯୦ କିମି ଯାଏ ବଢ଼ିପାରେ ପବନ

ଭୁବନେଶ୍ୱର : ବଙ୍ଗୋପସାଗରରେ ଆସୁଛି ବାତ୍ୟା ଜୱାଦ । ଡିସେମ୍ବର ୪ ତାରିଖ ସକାଳେ ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ଲଘୁଚାପ ଏବେ ଦକ୍ଷିଣ ଥାଇଲ୍ୟାଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଅଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ୨ ତାରିଖରେ ଡିପ୍ରେସନରେ ପରିଣତ ହେବ । ପରବର୍ତ୍ତୀ ୨୪ଘଣ୍ଟା ଅର୍ଥାତ୍ ୩ ତାରିଖରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ନିକଟରେ ସମ୍ଭାବ୍ୟ ବାତ୍ୟା ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବାତ୍ୟା ପାଇଁ ଜିଲ୍ଲାପାଳମାନଙ୍କୁ ସଜାଗ କରିଛନ୍ତି ଏସ୍ଆରସି । ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅରେଞ୍ଜ, ୟେଲୋ ୱାର୍ଣ୍ଣିଂ ଥିବା ଜିଲ୍ଲା ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ଜଳବନ୍ଦୀ, ବନ୍ୟା ଭଳି ସ୍ଥିତି ଓ ଭୂସ୍ଖଳନ ହେବା ନେଇ ସତର୍କ ସୂଚନା ଜାରି କରିଛନ୍ତି । ଅହୋରାତ୍ର କଣ୍ଟ୍ରୋଲ ରୁମ୍ ଚାଲୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ମତ୍ସ୍ୟଜୀବୀଙ୍କୁ ଦିଆଯାଇଥିବା ପରାମର୍ଶ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି । ୩ରେ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ତାରିଖରେ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା- ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼,ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର ଓ ଯାଜପୁର । ତେବେ ଗଞ୍ଜାମ, ପୁରୀ, ଜଗତସିଂହପୁରର କିଛି ଜାଗାରେ ଅତି ପ୍ରବଳ ବର୍ଷିପାରେ ।

ସେହିପରି ୫ ତାରିଖରେ ମଧ୍ୟ ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୩ ରାତିରୁ ୪ ତାରିଖ ପର୍ଯ୍ୟନ୍ତ ପବନ ବେଗ କ୍ରମେ ବଢ଼ି ଚାଲିବ । ବାତ୍ୟା ଉପକୂଳ ନିକଟତର ହେଲେ ପବନ ୯୦ କିମି ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ ବିଭାଗ କହିଛି । ବାତ୍ୟା ଆସୁଥିବା ସ୍ପଷ୍ଟ କରିଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ ଆଜି ପୂର୍ବାହ୍ନରେ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ୨ ତାରିଖରେ ଡିପ୍ରେସନରେ ପରିଣତ ହେବ । ୩ରେ ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ଏହା ଉପକୂଳ ମୁହାଁ ହେବ । ଏହା ପ୍ରଭାବରେ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୩ ତାରିଖ ମଧ୍ୟରାତ୍ରରୁ ପବନ ବଢ଼ିବ ଘଣ୍ଟା ପ୍ରତି ୪୫ରୁ ୫୦ କିମି ବେଗରେ ବୋହିପାରେ ପବନ । ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ ବାତ୍ୟା । ବାତ୍ୟା ଉପକୂଳରେ ପହଞ୍ଚିଲେ ବି ତୁରନ୍ତ ଉପକୂଳ ଅତିକ୍ରମ କରିବ ନାହିଁ । ଉପକୂଳରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ । ଏହାର ପ୍ରଭାବ ଉପକୂଳ ଓଡ଼ିଶାରେ ଅଧିକ ରହିବ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି ।

Comments are closed.