ନନଷ୍ଟପ୍ ନବୀନ ଏକ୍ସପ୍ରେସ

62

ଡୁମାଣୀ ଖବର ନେଟୱର୍କ କୋଭିଡ୍ ମହାମାରୀ ସମ୍ପୂର୍ଣ୍ଣ ସରିନାହିଁ । ଏବେ ରାଜ୍ୟରେ ସଂକ୍ରମଣ ବହୁ ପରିମାଣର କମିବା ସହିତ ନିୟନ୍ତ୍ରଣରେ ରହିଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦିଗକୁ ପ୍ରାଥମିକତା ଦେଇ ରାଜ୍ୟର ବିକାଶ ପାଇଁ କାମ ଜାରି ରଖିଛନ୍ତି । ଆଜି ୧୧ଟି ଜିଲ୍ଲାରେ ୧୭ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ସେ କରିଛନ୍ତି । ହଜାରେ କୋଟିର ଏହିସବୁ ପ୍ରକଳ୍ପରେ ୨୩୮୭ଜଣ ନିଯୁକ୍ତି ପାଇବେ । ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଓ ପ୍ଲାଷ୍ଟିକ୍ ଉତ୍ପାଦନଭିତ୍ତିକ ଶିଳ୍ପ ଉପରେ ମୁଖ୍ୟମନ୍ତ୍ରୀ ଫୋକସ୍ ଦେଇଛନ୍ତି । ଏଥିସହିତ ରାଜ୍ୟ ସରକାର ସର୍ବଦା ସ୍ୱାସ୍ଥ୍ୟସେବା ଉପରେ ଫୋକସ୍ ଦେଇଆସିଛନ୍ତି । କିଭଳି ଗରିବ ଲୋକମାନେ ବଡ଼ ବଡ଼ ମେଡିକାଲରେ ସ୍ୱାସ୍ଥ୍ୟସେବା ପାଇପାରିବେ ଏହି ଲକ୍ଷ୍ୟ ନେଇ ଅଗଷ୍ଟ ୨୦ରୁ ବିଏସ୍କେୱାଇ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନିଜେ ଜିଲ୍ଲାୱାରୀ ଏହି କାର୍ଡ ବଣ୍ଟନ କରୁଛନ୍ତି । ଏଯାଏଁ ୨୩ ଜିଲ୍ଲାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି । ସ୍ମାର୍ଟ ସ୍ୱାସ୍ଥ୍ୟ ପରେ ଫୋକସ୍ରେ ସ୍ମାର୍ଟ ଶିକ୍ଷା । ରାଜ୍ୟରେ ୫-ଟିରେ ରୂପାନ୍ତରିତ ହୋଇଥିବା ସରକାରୀ ହାଇସ୍କୁଲର ଲୋକାର୍ପଣ କରାଯାଉଛି । କିଭଳି ସରକାରୀ ହାଇସ୍କୁଲର ପିଲା ଉତ୍ତମ ପରିବେଶ ଓ ଗୁଣାତ୍ମକ ଶିକ୍ଷା ପାଇବେ, ସେଥିନେଇ ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ୧୦୭୮ ସ୍କୁଲର ଲୋକାର୍ପଣ ସରିଲାଣି ।

ଏଥିସହିତ ନଭେମ୍ବର ୨୪ରେ ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ । ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଥିବା ଐତିହ୍ୟ କରିଡର ନିର୍ମାଣ କାମ ଆରମ୍ଭ ହୋଇଛି । ଯାହାର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଥିଲେ, ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ପାଇଁ ଏହା ଐତିହାସିକ ଦିନ । ଏସବୁ ବିକାଶମୂଳକ କାର୍ଯ୍ୟ ସହିତ ରାଜ୍ୟ ସମସ୍ୟା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ପଡୋଶୀ ରାଜ୍ୟ ଆନ୍ଧ୍ର ସହ ବିବାଦ ତୁଟାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିନେଇ ଗତ ୯ ତାରିଖରେ ଏ ପ୍ରସଙ୍ଗରେ ନବୀନ-ଜଗନ ଆଲୋଚନା ହୋଇଥିଲା । ଆନ୍ଧ୍ର-ଓଡ଼ିଶା ମଧ୍ୟରେ ସୀମା ଓ ଜଳବିବାଦ ତୁଟାଇବାକୁ ବାଟ ବାହାର କରିବେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ । କୋଟିଆ ଗ୍ରାମପୁଞ୍ଜ, ନିରିଡି ବ୍ୟାରେଜ, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ୍, ବାହାତା ନଦୀରୁ ଜଳନିଷ୍କାସନ, ବାଲିମେଳା ଏବଂ ଅପରୁସିଲେରୁ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା । କୋଭିଡ୍ ମୁକାବିଲାରେ ମିଶନ ଶକ୍ତିରେ ମହିଳା ଉକ୍ରୃଷ୍ଟ କାମ କରିଥିଲେ । ମହିଳା ସଶକ୍ତିକରଣ ନେଇ ସେମାନେ ଉଦାହରଣ ସୃଷ୍ଟି କରିଥିଲେ । ମିଶନ ଶକ୍ତି ଗୋଷ୍ଠୀର ମହିଳାଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କ ସୁବିଧା ନଥିବା ପଞ୍ଚାୟତ ଗୁଡ଼ିକରେ ମିଶନ ଶକ୍ତିର ମା’ ମାନଙ୍କୁ ବ୍ୟାଙ୍କ କରେସପୋଣ୍ଡେଣ୍ଟ ଭାବେ ନିଯୁକ୍ତି ପାଇଁ ଗୁରୁତ୍ୱ ଦିଆଯାଇଛି । ନଭେମ୍ବର ମାସରେ ଯାତ୍ରା ଏବଂ ଅପେରା ଉପରେ ଥିବା କଟକଣାକୁ ହଟାଯାଇଛି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଜୋର୍ସୋର୍ରେ ଚାଲୁ ରଖିଛନ୍ତି ରାଜ୍ୟ ସରକାର । କୋଭିଡ୍ର ଧିମା ଗତିରେ ନବୀନଙ୍କ ଏକ୍ସପ୍ରେସ୍ ଖୁବ୍ ଜୋର୍ରେ ଧାଉଁଛି ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । କୋଭିଡ୍ ସମୟରେ ମଧ୍ୟ କ୍ରୀଡ଼ା ଗୁରୁତ୍ୱ ହରାଇନାହିଁ । ୨୬ତାରିଖରୁ ଭୁବନେଶ୍ୱରରେ ଚାଲିଛି ଜୁନିଅର ପୁରୁଷ ହକି ବିଶ୍ୱକପ୍ । କୋଭିଡ୍ ସଂକ୍ରମଣ କମିଛି । ଏହାସହ ନବୀନ ବିଭିନ୍ନ ଉନ୍ନୟନମୂଳକ କାମ ଜାରି ରଖିଛନ୍ତି, ଯାହା ସମଗ୍ର ଦେଶରେ ଉଦାହରଣ ।

Comments are closed.