ପଞ୍ଚମ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଜାରି

38

ଭୁବନେଶ୍ୱର : ଶୀତ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ଅଚଳ ହେଲା ଗୃହକାର୍ଯ୍ୟ  । ବିରୋଧି ବିଜେପି ଓ କଂଗ୍ରେସର ବିଧାୟକମାନେ ହୋ ହଲ୍ଲା ହଟ୍ଟଗୋଳ କରିବା ଦ୍ୱାରା ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇ ପାରିନାହିଁ  । ସୋମବାର ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗରେ ବିରୋଧୀ ହୋହାଲ୍ଲା ଓ ପ୍ରତିବାଦ ଜାରି ରଖିଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ଗୃହର ମଧ୍ୟଭାଗରେ ବିଜେପି ସଦସ୍ୟ ନାରାବାଜି କରିଥିବା ବେଳେ କଂଗ୍ରେସ ବିଧାୟକ ବାଚସ୍ପତିଙ୍କ ପୋଡିୟମକୁ ଘେରି ରହିଥିଲେ । ଏହାଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି  ।

ଗତ ୪ ଦିନରେ ଘଣ୍ଟାଏ ବି ଚାଲିପାରିଲାନି ଗୃହ । ପ୍ରଥମ ଦିନରେ ଶୋକ ପ୍ରସ୍ତାବକୁ ଛାଡି ୪ ମିନିଟ୍ ଚାଲିଥିଲା ଗୃହ । ଦ୍ବିତୀୟ ଦିନରେ ହୋହଲ୍ଲା ହଟ୍ଟଗୋଳ ଭିତରେ ଚାଲିଲା ୧୪ ମିନିଟ୍ । ତୃତୀୟ ଦିନରେ ହଟ୍ଟଗୋଳରେ ଗୃହ ୧୧ ମିନିଟ୍ ଚାଲିଥିବାବେଳେ  ଚତୁର୍ଥ ଦିନରେ ମାତ୍ର ୩ ମିନିଟ୍ ଚାଲିଛି ଗୃହ । ହଟ୍ଟଗୋଳ ଓ ହୋହଲ୍ଲା ଭିତରେ ରାଜ୍ୟର ସ୍ବାର୍ଥକୁ ଭୁଲି ଯାଉଛନ୍ତି ବିଜେପି ଓ କଂଗ୍ରେସ ସଦସ୍ୟ  । ଅନ୍ୟପଟେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଗୃହରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ। ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବର୍ଷିଛନ୍ତି ଶାସକ ଦଳର ସଦସ୍ୟ । ଗୃହରେ ପ୍ରତିବାଦ ପରେ ବିଧାନସଭାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ। ବିଧାନସଭା ଆରମ୍ଭରୁ ହିଁ ଗୃହ ସ୍ୱାଭାବିକ ଭାବେ ଚାଲିପାରୁନି । ତେଣୁ ରାଜ୍ୟର ଅନେକ ସମସ୍ୟା ଗୃହରେ ଆଲୋଚନା ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Comments are closed.