-ସର୍ବଦଳୀୟ ବୈଠକରେ ବାହାରିଲାନି ନିଷ୍କର୍ସ
-ପାଣିରେ ପଡ଼ୁଛି ଲୋକଙ୍କ ଟିକସ୍ ପଇସା
-ବିରୋଧୀ-ଶାସକ ଦଳ ମୁହାଁମୁହିଁ
ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ସରିଆସୁଥିବା ବେଳେ ଏବେ ଭୋଟ ତାରିଖ ଘୋଷଣାକୁ ଅପେକ୍ଷା କରାଯାଇଛି । ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି । ଆଗାମୀ ନିର୍ବାଚନ ପୂର୍ବରୁ ଶାସକ ବିରୋଧୀଙ୍କୁ ଏକାଠି ହୋଇ ପରସ୍ପରକୁ ଆକ୍ରମଣ ଓ ପ୍ରତି ଆକ୍ରମଣ କରିବାକୁ ଶେଷ ସୁଯୋଗ ଦେଇଛି ଶୀତ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁ ଏଯାଏ ଗୃହ ସ୍ୱାଭାବିକ୍ ହୋଇପାରୁନି । ଏଥିନେଇ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ହେଁ ତାହା ଫେଲ୍ ମାରିଛି । ହୋହାଲ୍ଲା ଯୋଗୁ ଆସନ୍ତାକାଲି ସାଢ଼େ ୧୦ଟା ଯାଏ ଗୃହକୁ ମୁଲତବୀ ରଖାଯାଇଛି । ସପ୍ତାହ ଭିତରେ ସରିବ ୱାର୍ଡସୀମା ନିର୍ଦ୍ଧାରଣ, ସଂରକ୍ଷଣ ଓ ଭୋଟର ତାଲିକା ପ୍ରସ୍ତୁତି । ୧୪ ତାରିଖ ସୁଦ୍ଧା ସବୁ ଜିଲ୍ଲାରେ ପହଞ୍ଚିବ ଭୋଟର ତାଲିକା । ଦୁଇ ସପ୍ତାହ ଭିତରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି । ଏପରି ସ୍ଥଳେ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଅଣ୍ଟା ଭିଡିଲେଣି । ଶୀତ ଅଧିବେଶନ ଆରମ୍ଭରୁ ତାତିଛି ଗୃହ । ବିରୋଧ ଓ ଶାସକ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀଙ୍କୁ ଏକାଠି ହୋଇ ପରସ୍ପରକୁ ଆଟାକ୍ ଓ କାଉଣ୍ଟର ଆଟାକ୍ କରିବାକୁ ଶେଷ ସୁଯୋଗ ଦେଇଛି ବିଧାନସଭାର ଏହି ଶୀତ ଅଧିବେଶନ । ତେଣୁ ଉଭୟ ବିରୋଧୀ ଓ ଶାସକ ନଛୋଡବନ୍ଧା । ସ୍ଥିତି ଏମିତି ହୋଇଛି ଯେ, ଶୀତ ଅଧିବେଶନକୁ ୬ଦିନ ବିତିଥିଲେ ହେଁ ଦିନଟିଏ ହେଲେ ବି ଗୃହ ଚାଲିନାହିଁ ।
ବିରୋଧୀ ମମିତା ହତ୍ୟାକାଣ୍ଡ ଓ ମାହାଙ୍ଗା ମର୍ଡରକୁ ପଞ୍ଚାୟତ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ କରିବେ ବୋଲି ଇସାରା ମିଳିଲାଣି । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରିଥିଲେ । ସେହିଭଳି ମୁଖ୍ୟ ବିରୋଧୀ ବିଜେପି ଦଳ ମଧ୍ୟ ଘଣ୍ଟା ବାଡ଼େଇ ବିରୋଧ ପ୍ରଦର୍ଶନ କରିଥିଲା । ଗୃହ ବାହାରେ ମହାପ୍ରଭୁଙ୍କ ଫଟୋ ରଖି ପୂଜାର୍ଚ୍ଚନା ସହ ମହାପ୍ରସାଦ ବଣ୍ଟନ କରିଥିଲେ । ଗୃହ କାର୍ଯ୍ୟ ମାତ୍ର ଦୁଇ ମିନିଟ୍ ଚାଲିବା ପରେ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଗୃହ ମୁଲତବୀ ପରେ ୩ ଦଳ ନିଜ ନିଜର ପୋଷ୍ଟର ସହିତ ଗୃହ ବାହାରକୁ ଆସି ପ୍ରଦର୍ଶନ କରିଥିଲେ । ଗୃହ ଭିତରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଥିଲା ସରକାରୀ ଦଳ । ଆଜି ବିଜେଡି ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଆସି ମହାପ୍ରଭୁଙ୍କ ସ୍ନାନଜଳ ସିଞ୍ଚିବା ସହ ସ୍ଲୋଗାନ୍ ଦେଇଥିଲେ । ପରେ ସେମାନେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ପ୍ଲାକାଡର୍୍ ଧରି ପ୍ରତିବାଦ ଜଣାଇଥିଲେ । ଜଗନ୍ନାଥଙ୍କୁ ଭରସା କରିଥିଲେ ୩ ଦଳ । ଭଗବାନ୍ ବିରୋଧୀଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ବିଜେଡି ବିଧାୟକମାନେ ସ୍ଲୋଗାନ୍ ଦେବା ସହ ପୋଷ୍ଟରରେ ମଧ୍ୟ ସମାନ କଥା ଲେଖାଯାଇଥିଲା ।
ବିଜେପି ମଧ୍ୟ ତାହାର ପୋଷ୍ଟରରେ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ଉଲ୍ଲେଖ କରିଥିଲା । ତେବେ କଂଗ୍ରେସ ପୋଷ୍ଟରରେ ମମିତା ମେହେର ମୃତ୍ୟୁ ଘଟଣା ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାୟୀ କରି ସଚିତ୍ର ପୋଷ୍ଟର ତିଆରି ହୋଇଥିଲା । ଦରଦାମ ବୃଦ୍ଧି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ୟା ସହ ଖୋର୍ଦ୍ଧାରେ ପାଇକ୍ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିରେ କେନ୍ଦ୍ର ସରକାରଙ୍କୁ ବିଜେଡି ଟାର୍ଗେଟ କରିଥିଲା । ତେବେ ଶୀତ ଅଧିବେଶନ ଉଭୟ ଶାସକ ଓ ବିରୋଧୀଙ୍କୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୁହାଁମୁହିଁ ହେବାକୁ ସୁଯୋଗ ଦେଇଛି ବୋଲି ଚର୍ଚ୍ଚା ହେଉଛି । ତେବେ ଗୃହ କାର୍ଯ୍ୟ ସ୍ୱାଭାବିକ୍ ହୋଇପାରିନଥିବାରୁ ଆଗୁଆ ଅଧିବେଶନ ବନ୍ଦ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଏବେଠାରୁ ଚର୍ଚ୍ଚା ଆରମ୍ଭ କଲେଣି ।
Comments are closed.