ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ କଟକ-ଖୋର୍ଦ୍ଧା : ଗରିବଙ୍କ ପାଇଁ ଶ୍ରେଷ୍ଠ ଉପହାର ବିଏସ୍କେୱାଇ

65

କଟକ/ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କଟକର ୧୮ ଲକ୍ଷ ଲୋକ ଏହି ସୁବିଧା ପାଇବେ । ସେହିଭଳି ଖୋର୍ଦ୍ଧାର ପ୍ରାୟ ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡ । ଏଥିସହିତ ରାଜ୍ୟର ୨୬ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଟକବାସୀଙ୍କୁ ୧୫୬୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି । କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ନିଦର୍ଶନ ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ । ସ୍ୱାସ୍ଥ୍ୟ ହିଁ ସମ୍ପଦ । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଏହି କାର୍ଡ ରକ୍ଷା କବଚ ଭଳି ସେବା ଯୋଗାଇ ଚାଲିବ । କଟକର ଏସ୍ସିବି ମେଡିକାଲ କଲେଜକୁ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ଭାବରେ ଗଢିବା ପାଇଁ ସରକାରଙ୍କ ପଦକ୍ଷେପ ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହୋଇ ରହିବ । କଟକବାସୀଙ୍କ ପ୍ରିୟ ଶ୍ରମିକ ନେତା ବିଶ୍ୱନାଥ ପଣ୍ଡିତଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀକୁ ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ପୁନଃସ୍ଥାପିତ କରାଯାଇ ଏକ ଅତ୍ୟାଧୁନିକ ଲାଇବ୍ରେରୀ ଭାବରେ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ।

ସେହିପରି ବେଗୁନିଆଠାରେ ଖୋର୍ଦ୍ଧା ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଏକ ହଜାର କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧା ମାଟି ହେଉଛି ପ୍ରଥମ ସ୍ୱାଧୀନତା ସଂଗ୍ରାମର ଭୂମି । ଓଡ଼ିଆ ସ୍ୱାଭିମାନ ପାଇଁ ଲଢେଇ କରିଥିବା ବୀର ପାଇକମାନଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଆ ଜାତିକୁ ତାର ହକ୍ ଦେବା ପାଇଁ ଆମର ଲଢେଇ ଜାରି ରହିବ । ମିଶନ ଶକ୍ତିର ମାଆମାନେ ହେଉଛନ୍ତି ନୂଆ ଯୁଗର ସାରଥି । ଖୋର୍ଦ୍ଧାର ମିଶନ ଶକ୍ତିର ମାଆମାନେ ଭଲ କାମ କରୁଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୋର୍ଦ୍ଧାରେ ୨୬ ହଜାରରୁ ଅଧିକ ମିଶନ ଶକ୍ତିର ମାଆମାନେ ୩୨ କୋଟିରୁ ଅଧିକ ଟଙ୍କା ଋଣ ନେଇ ସାରା ରାଜ୍ୟରେ ରେକର୍ଡ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉଭୟ ଜିଲ୍ଲାରେ ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ସ୍ମାର୍ଟ ହେଲଥ୍ କାର୍ଡ ରାଜ୍ୟବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିବା ସହିତ ବିକାଶ କ୍ଷେତ୍ରରେ ସମସ୍ତଙ୍କର ଯୋଗଦାନ ବୃଦ୍ଧି ପାଇବ । ଏହାଦ୍ୱାରା ରାଜ୍ୟ ବିକାଶର ଶିଖର ଛୁଇଁବ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଛନ୍ତି ।

ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ ବିଏସ୍କେୱାଇ କାର୍ଡରେ ସେବା ପ୍ରଦାନ ଆରମ୍ଭ ହୋଇଛି । ସେହିଦିନଠାରୁ ଓଡ଼ିଶାର ସ୍ୱାସ୍ଥ୍ୟସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ସ୍ମାର୍ଟ ହେଲଥ୍ କାର୍ଡ ଦ୍ୱାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଥିବା ସେ କହିଛନ୍ତି । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷ କରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡ଼ି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢ଼ା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂଠାରୁ ଆରମ୍ଭ କରି ଟ୍ରିଟ୍ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ କଟକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା,ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଖୋର୍ଦ୍ଧାରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟରେ ବିକାଶର ନୂତନ ଧାରା ସାରା ଦେଶକୁ ରାସ୍ତା ଦେଖାଇଛି ବୋଲି ସେମାନେ କହିଥିଲେ । ସ୍ୱାସ୍ଥ୍ୟଠାରୁ ଆରମ୍ଭକରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଟି କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

Comments are closed.