ନୂଆଦିଲ୍ଲୀ : ଦୀର୍ଘ ୨ ବର୍ଷ ହେଲାଣି ମହାମାରୀ କରୋନା ସାରା ବିଶ୍ୱକୁ କଲବଲ କରିବାରେ ଲାଗିଛି । ବିଶ୍ୱର ବଡ଼ବଡ଼ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ କରୋନା ଆଗରେ ହାର ମାନିଛନ୍ତି । ଏହି ଦୁଇବର୍ଷ ମଧ୍ୟରେ କୋଟି କୋଟି ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ସଂକ୍ରମିତ ହୋଇଛନ୍ତି । ଏବେ ବି କରୋନା ପ୍ରକୋପ କମିନି । ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ କରୋନାର ପ୍ରଭାବ କେମିତି ଲୋକଙ୍କ ଜୀବନକୁ ବଦଳାଇ ଦେଇଛି, ତା’ର ରିପୋର୍ଟ ପ୍ରକାଶ କରିଛି । ମହାମାରୀ କରୋନା ୫୦ କୋଟିରୁ ଅଧିକ ଲୋକଙ୍କୁ ଅତି ଦାରିଦ୍ର୍ୟ ସୀମା ରେଖା ତଳକୁ ଠେଲି ଦେଇଛି । କାରଣ ସେମାନେ ନିଜ ସଞ୍ଚୟ ଅର୍ଥରୁ ଚିକିତ୍ସା ପାଇଁ ବ୍ୟୟ କରି ସର୍ବସ୍ୱାନ୍ତ ହୋଇଛନ୍ତି । ମୌଳିକ ସ୍ୱାସ୍ଥ୍ୟ ସେବା ଉପରେ ମଧ୍ୟ କରୋନା ଗୁରୁତର ପ୍ରଭାବ ପକାଇଥିବା ହୁ’ କହିଛି । ସଂଗଠନ ପକ୍ଷରୁ ଜାରି ପ୍ରେସ ନୋଟରେ ୨ଟି ରିପୋର୍ଟକୁ ଉଲ୍ଲେଖ କରାଯାଇଛି । ଗୋଟିଏ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ହୋଇଥିବା ବେଳେ ଅନ୍ୟ ରିପୋର୍ଟଟି ବିଶ୍ୱ ବ୍ୟାଙ୍କ ଦେଇଛି । ଏହି ରିପୋର୍ଟରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଚେତାବନୀ ଦିଆଯିବ ସହ କେମିତି ଆଗକୁ ବଢ଼ିବାକୁ ହେବ, ତା’ର ପରାମର୍ଶ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ସମୂହ ସ୍ୱାସ୍ଥ୍ୟ କଭ୍ରେଜ୍ ପାଇଁ ବିଶ୍ୱରେ ଦୀର୍ଘ ୨ ଦଶନ୍ଧି ହେଲା ଜାରି ରହିଥିବା ଉଦ୍ୟମରେ କୋଭିଡ-୧୯ ମହାମାରୀ ବାଧକ ସାଜିଛି ।
ମହାମାରୀ ପୂର୍ବରୁ ବିଶ୍ୱର ୫୦ କୋଟିରୁ ଅଧିକ ଲୋକ ସ୍ୱାସ୍ଥ୍ୟସେବା ପାଇଁ ଅର୍ଥ ଖର୍ଚ୍ଚ କରି ଦାରିଦ୍ର୍ୟସୀମା ରେଖା ତଳେ ଥିଲେ । ମହାମାରୀ ଆସିବା ପରେ ସେମାନଙ୍କ ଅବସ୍ଥା ଆହୁରି ସାଂଘାତିକ ହୋଇଛି । ସେମାନେ ପୂର୍ବାପେକ୍ଷା ଆହୁରି ଦରିଦ୍ର ସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଏହି ତାଲିକାରେ ଆହୁରି କୋଟି କୋଟି ଲୋକ ଯୋଡ଼ି ହୋଇଯାଇଛନ୍ତି । ରିପୋର୍ଟରେ ଉଭୟ ହୁ’ ଓ ବିଶ୍ୱ ବ୍ୟାଙ୍କ କହିଛନ୍ତି ଯେ ଦାରିଦ୍ର୍ୟ ବଢ଼ୁଥିବା ବେଳେ ଆୟ ହ୍ରାସ ପାଉଛି । ଏଥିସହ ସରକାର ମଧ୍ୟ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି । ଏହା ବିଶ୍ୱର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବାର ଆଶଙ୍କା ରହିଛି । ୨୦୨୦ରେ ମହାମାରୀ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତର ପ୍ରଭାବ ପକାଇଥିଲା । ୧୯୩୦ ପରେ ପ୍ରଥମଥର ପାଇଁ
ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇଥିଲା । ତେଣୁ ନିଜର ସ୍ୱାସ୍ଥ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଲୋକମାନେ ବେଶ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହାମାରୀ ପୂର୍ବରୁ ପ୍ରାୟ ୧୦୦ କୋଟି ଲୋକ ସେମାନଙ୍କ ଆୟର ୧୦% ସ୍ୱାସ୍ଥ୍ୟସେବା ଉପରେ ଖର୍ଚ୍ଚ କରୁଥିଲେ । ତେଣୁ ମହାମାରୀ ଆସିବା ପରେ ଏହା ଆହୁରି ବଢ଼ିଛି । ଏହା ଆଦୌ ଗ୍ରହଣୀୟ ନୁହେଁ ।କାରଣ ଗରିବ ଲୋକମାନେ ଏହାଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି । ତେଣୁ ସରକାରମାନେ ଏହାର ସୁରକ୍ଷା କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି ।
ଗରିବ ଲୋକମାନେ ଯେମିତି ସ୍ୱାସ୍ଥ୍ୟସେବା ପାଇଁ ଅର୍ଥ ଖର୍ଚ୍ଚ ନ କରିବେ, ତା’ର ବ୍ୟବସ୍ଥା କରିବାକୁ ହୁ’ ତା’ ରିପୋର୍ଟରେ ପରାମର୍ଶ ଦେଇଛି । ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ହୁ’ର ମୁଖ୍ୟ ଡା ଟେଡ୍ରୋସ ଆଧାନୋମ ଘେବ୍ରିୟେସସ୍ କହିଛନ୍ତି, ସବୁ ଦେଶର ସରକାର ତୁରନ୍ତ ପ୍ରତିଟି ଲୋକ ଯେମିତି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇପାରିବେ, ତା’ର ବ୍ୟବସ୍ଥା କରନ୍ତୁ । କେହି ଯେମିତି ଆର୍ଥିକ ସମସ୍ୟା ଯୋଗୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ନ ହେବେ, ତା’କୁ ନିଶ୍ଚିତ କରାଯାଉ । ଭବିଷ୍ୟତରେ ଯଦି କେବେ ମହାମାରୀ ଆସିବ, ତା’ହେଲେ ଏହାର ମୁକାବିଲା ପାଇଁ ଆମକୁ ଏବେଠାରୁ ସଶକ୍ତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡ଼ିବ ।
Comments are closed.