ମୁଣ୍ଡ ନୁଆଁଇଲା ସିବିଏସ୍ଇ: ବିବାଦୀୟ ପ୍ରଶ୍ନରେ ମିଳିବ ଫୁଲ ମାର୍କ

129

ନୂଆଦିଲ୍ଲୀ : ମୁଣ୍ଡ ନୁଆଁଇଲା ସିବିଏସ୍ଇ । ଦଶମ ଶ୍ରେଣୀ ପରୀକ୍ଷାରେ ବିବାଦୀୟ ପ୍ରସଙ୍ଗକୁ ନେଇ ତମ୍ବିତୋଫାନ ସୃଷ୍ଟି ହେବା ପରେ ଏହି ପ୍ରଶ୍ନକୁ ହଟାଇଛି ସିବିଏସ୍ଇ । ବୋର୍ଡ ପକ୍ଷରୁ ଏହି ନାରୀ ବିଦ୍ୱେଷୀ ପ୍ରସଙ୍ଗକୁ ହଟାଇ ଦିଆଯାଇଥିବା ବେଳେ ଏହି ପ୍ରଶ୍ନରେ ଫୁଲ୍ ମାର୍କ ସମସ୍ତ ପିଲାଙ୍କୁ ଦିଆଯିବ ବୋଲି କହିଛି ସିବିଏ୍ସଇ । ଏହି ପ୍ରସଙ୍ଗକୁ ନେଇ ଆଜି ସଂସଦରେ ଝଡ ସୃଷ୍ଟି ହୋଇଥିଲା । ସରକାରଙ୍କ ନାରୀ ବିଦ୍ୱେଷୀ ନୀତି ବିରୋଧରେ ଗର୍ଜିଥିଲେ କଂଗ୍ରେସ ସାଂସଦ । କଂଗ୍ରେସ,ଡିଏମକେ, ଆଇୟୁଏମ୍ଏଲ୍, ଏନ୍ସିପିର ଓ ନ୍ୟାସନାଲ କଂଗ୍ରେସର ସାଂସଦମାନେ ଏହି ପ୍ରସଙ୍ଗରେ ଲୋକସଭା ଅଧିବେଶନ ବର୍ଜନ କରିଥିଲେ । ଏହି ପ୍ରସଙ୍ଗ ପ୍ରଥମେ ସୋନିଆ ଗାନ୍ଧୀ ଉଠାଇବା ପରେ ଅନ୍ୟ ସାଂସଦମାନେ ଗୃହ ବର୍ଜନ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବି ଏହା ଏକ ଆରଏସଏସ-ବିଜେପିର କୁତ୍ସିତ ଅଭିପ୍ରାୟ ବୋଲି ଦର୍ଶାଇଥିଲେ । ପୂର୍ବରୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ପ୍ରଶ୍ନପତ୍ରରେ ଲିଙ୍ଗଗତ ସମାନତା ଉପରେ ପ୍ରଶ୍ନ ଉଠିବା ସହ ଏହା ପ୍ରତିକ୍ରିୟାଶୀଳ ଚିନ୍ତାର ଏକ ନମୁନା ବୋଲି କହିଛନ୍ତି ପ୍ରିୟଙ୍କା । ଇଂରାଜୀ ପ୍ରଶ୍ନପତ୍ରର ଏକ ଅନୁଚ୍ଛେଦରେ ରହିଛି- ମହିଳାଙ୍କୁ ଘରେ ଅଧିକ ଅଧିକାର ଦେବା ହେତୁ ପିଲାମାନେ ଖରାପ ହେଉଛନ୍ତି । କେବଳ ସ୍ୱାମୀଙ୍କ ପଥ ଗ୍ରହଣ କରି ଜଣେ ମାତା ପିଲାମାନଙ୍କ ସମ୍ମାନ ହାସଲ କରିପାରନ୍ତି । ଅନେକ ମହଲରୁ ଏହାକୁ ନେଇ ନିନ୍ଦା କରାଯାଇଥିବା ବେଳେ ଏହି ମତ ନାରୀ ବିଦ୍ୱେଷୀ ବୋଲି କୁହାଯାଇଛି ।

ପ୍ରଶ୍ନ ପତ୍ରରେ ଆହୁରି କୁହାଯାଇଛି- ଶିଶୁ ଓ ସେବକମାନଙ୍କୁ ସେମାନଙ୍କ ସ୍ଥାନ ସମ୍ପର୍କରେ ଶିକ୍ଷା ଦେବା ଆବଶ୍ୟକ । ଏହାସହ ନାରୀମାନଙ୍କୁ ଅଧିକ ସ୍ୱାଧୀନତା ଦେବା ଦ୍ୱାରା ସନ୍ତାନମାନଙ୍କ ଉପରେ ଥିବା ପିତାମାତାଙ୍କ କର୍ତ୍ତୃତ୍ୱ ଧୂଳିସାତ୍ ହୋଇଛି । ଏହା ପୂର୍ବରୁ ମଧ୍ୟ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ସୋସିଓଲୋଜି ପେପରରେ ଏକ ଚିନ୍ତାଜନକ ପ୍ରଶ୍ନ ପକାଇଥିଲା । ସୋସିଓଲୋଜି ପେପରରେ ଆସିଥିଲା ଯେ- ୨୦୦୨ରେ ଗୁଜରାଟରେ ମୁସଲିମ ବିରୋଧୀ ହିଂସା ପଛରେ ଥିବା ଦଳର ନାଁ କ’ଣ । ଏପରି ପ୍ରଶ୍ନ ଆସିବା ପରେ ଏହାକୁ ନେଇ ସେ ସମୟରେ ବହୁ ବିବାଦ ଦେଖା ଦେଇଥିଲା । ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ପରେ ସିବିଏସ୍ଇ ପକ୍ଷରୁ ନେଇ ସ୍ପଷ୍ଟୀକରଣ ଦିଆଯାଇଥିଲା ।

Comments are closed.