ବସ୍ତିବାସିନ୍ଦାଙ୍କୁ ମିଳିବ ଜମି

0 68

ଭୁବନେଶ୍ବର ୩୧।୧୨: ବସ୍ତିବାସିନ୍ଦାଙ୍କୁ ମିଳିବ ଜମି । ୫ଟି ମହାନଗର ପାଇଁ ଜାଗା ମିଶନକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଆସନ୍ତା ୬ମାସ ମଧ୍ୟରେ ସରିବ ସମ୍ପୂର୍ଣ୍ଣ କାମ । ଜମି ଅଧିକାର ଆଇନର ପରିସରଭୁକ୍ତ ହେଲେ ବସ୍ତି ବାସିନ୍ଦା । ୯୩୮ଟି ବସ୍ତିରେ ଥିବା ୧.୯୦ ଲକ୍ଷ ପରିବାର ଉପକୃତ ହେବେ । ଓଡିଶା ବସ୍ତିବାସିନ୍ଦାଙ୍କ ପାଇଁ ଭୂମିଅଧିକାର ଅଧିନିୟମ ୨୦୧୭ ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ବସ୍ତିବାସିନ୍ଦାମାନଙ୍କୁ ଭୂମି ଭୋଗଦଖଲର ସୁରକ୍ଷା ପ୍ରଦାନ କରିବା ତଥା ବସ୍ତିବାସିନ୍ଦାଙ୍କୁ ବାସୋପଯୋଗୀ ବସତିରେ ପରିଣତ କରିବାର ଦ୍ଵୈତ ଉଦ୍ଦେଶ୍ୟ ନେଇ ପ୍ରଣୟନ କରଯାଇଥିଲା । ରାଜ୍ୟର ସମସ୍ତ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ଏହି ଆଇନ୍ ର ପରିସରଭୁକ୍ତ ହୋଇଥିଲେ । ନଗରନିଗମ ମାନଙ୍କରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ମଧ୍ୟ ୨୦୧୭ ମସିହାରେ ଓଡିଶା ମହାନଗର ନିଗମ ଅଧିନିୟମ-୨୦୦୩ରେ ଆବଶ୍ୟକୀୟ ସଂଶୋଧନ କରି ସମ୍ପତ୍ତିଗତ ଅଧିକାର ସୁରକ୍ଷିତ କରିବା ପାଇଁ ଅନୁରୂପ ବ୍ୟବସ୍ଥା ପ୍ରଣୟନ କରଯାଇଥିଲା । କିନ୍ତୁ ଉପରୋକ୍ତ ସଂଶୋଧନ ପରେ ୪ବର୍ଷ ବିତିଯାଇଥିଲେ ସୁଦ୍ଧା ବସ୍ତିବାସିନ୍ଦାମାନଙ୍କୁ ସମ୍ପତ୍ତିଗତ ଅଧିକାର ପ୍ରଦାନ କରିବାରେ ବିଭିନ୍ନ କାରଣରୁ ବିଶେଷ ଅଗ୍ରଗତି ହୋଇପାରିନାହିଁ । ଏଥିଯୋଗୁଁ ନଗରନିଗମ ଗୁଡିକରେ ବାସକରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ଵବସ୍ତିବାସିନ୍ଦାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ସମ୍ପତ୍ତିଗତ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଉପୁଜିଥିବା ସମସ୍ୟାଗୁଡିକୁ ଉପଲବ୍ଧିକରି ମହାନଗର ନିଗମ ମାନଙ୍କରେ ବାସକରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ମଧ୍ୟ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଭୂମି ଅଧିକାର ଆଇନ ଭଳି ଅନୁରୂପ ବ୍ୟବସ୍ଥା ଆଗତ କରିବା ନିମନ୍ତେ ଓଡିଶା ମହାନଗର ନିଗମ ଅଧିନିୟମ-୨୦୦୩କୁ ସଂଶୋଧନ କରିବାପାଇଁ ପ୍ରସ୍ତାବ ରଖାଯାଇଅଛି । ଏହି ପ୍ରସ୍ତାବ ମୁତାବକ ଯେଉଁଠି ସମ୍ଭବ ହେବ ସେହି ସ୍ଥାନରେ ସମ୍ପତ୍ତିଗତ ଅଧିକାର ତଥା ଯେଉଁଠି ସମ୍ପତ୍ତିଗତ ଅଧିକାର ଦେବାରେ କୌଣସି ଅସୁବିଧା ହେବ, ସେହି ସ୍ଥାନରେ ବସ୍ତିବାସିନ୍ଦାମାନଙ୍କୁ ୪୫ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଉପରେ ଭୂମି ଅଧିକାର ପ୍ରଦାନ କରାଯାଇପାରିବ । ଯଦି ବସ୍ତିବାସିନ୍ଦା ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବେ, ତେବେ ୩୦ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଉପରେ ମାଗଣା ଭୂମି ଅଧିକାର ପ୍ରଦାନ କରାଯିବ । ଏତଦ ବ୍ୟତୀତ କୌଣସି ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପରିବାର ଯଦି ୩୦ ବର୍ଗମିଟରରୁ କମ୍ ଭୂମି ଦଖଲ କରୁଥିବେ ଏବଂ ତାଙ୍କ ବାସଗୃହକୁ ଲାଗି ସରକାରୀ ଖୋଲା ଜାଗା ଥିବ, ତେବେ ତାଙ୍କୁ ଯଥା ସମ୍ଭବ ୩୦ ବର୍ଗମିଟର ପର୍ଯ୍ୟନ୍ତ ଭୂମି ଯୋଗାଇଦେବା ପାଇଁ ଅଧ୍ୟାଦେଶରେ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ମହାନଗର ନିଗମ ମାନଙ୍କରେ ବାସକରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ କେବଳ ଯେ ଭୂମିଅଧିକାର ସୁରକ୍ଷିତ କରାଇପାରିବ ତା ନୁହେଁ, ବରଂ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ମଧ୍ୟ ଯୋଗାଇ ଦିଆଯାଇପାରିବ ।   ଏତଦ ଦ୍ଵାରା ୫ଟି ମହାନଗର ନିଗମ ଅଧିନରେ ୯୩୮ ଗୋଟି ବସ୍ତିରେ ବସବାସ କରୁଥିବା ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାର ଅନ୍ତର୍ଗତ ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ । ଏହି କାର୍ଯ୍ୟ ୬ ମାସ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରାଯିବ ।

Leave A Reply

Your email address will not be published.