ଶିକ୍ଷକ ବଦଳି ପ୍ରତିବାଦରେ ଗେଟରେ ତାଲା ପକାଇ ଧାରଣାଦେଲେ ଛାତ୍ରଛାତ୍ରୀ

0 42


ବୌଦ୍ଧ : ବୌଦ୍ଧବ୍ଲକ ତେତେଲେଙ୍ଗା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ପଦବି ପୁରଣ ଓ ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଗେଟରେ ତାଲା ପକାଇବା ସହିତ ବାହାରେ ଧାରଣା ଦେଇଥିବା ଜଣାଯାଇଛି । ସୂଚନା ମୁତାବକ ବୌଦ୍ଧ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ତିନିଜଣ ଶିକ୍ଷକଙ୍କ ଅନ୍ୟତ୍ର ବଦଳି କରାଯାଇଛି । କିନ୍ତୁ ସେହି ଶିକ୍ଷକମାନଙ୍କ ପରିବର୍ତ୍ତେ ନୂତନ ଶିକ୍ଷକ ନିଯୁକ୍ତି କରାଯାଇନାହିଁ । ଚଳିତବର୍ଷ ବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ଅଧ୍ୟକ୍ଷ ପଦବୀ ପୂରଣ କରାଯାଇନାହିଁ କି ଖାଲିଥିବା ଶିକ୍ଷକ ପଦବୀ ମଧ୍ୟ ପୂରଣ କରାଯାଇନାହିଁ । ଗୋଟିଏପଟେ ସରକାର ଗୁଣାତ୍ମକ ଶିକ୍ଷାଦାନ ପାଇଁ ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟମାନ ଖୋଲି ବଛାବଛା ଶିକ୍ଷକମାନଙ୍କୁ ସେଠାରେ ନୁଯିକ୍ତି ଦେବାକୁ ଯୋଜନା କରିଥିବାବେଳେ ଅନ୍ୟପଟେ ଜିଲ୍ଲାସ୍ତରରେ ଶିକ୍ଷା ବିଭାଗର ଅଧିକାରୀମାନଙ୍କ ବେପରୁଆ ନିତି ଯୋଗୁଁ ଆଦର୍ଶ ବିଦ୍ୟାଳୟ ପ୍ରତି ଅଭିଭାବକମାନଙ୍କ ଆକର୍ଷଣ କମିବାରେ ଲାଗିଛି । ଆଦର୍ଶ ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ ଓ ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ଦେବାପରେ ପାଠ ପଢିବାର ସୁଯୋଗ ପାଇଥାନ୍ତି । କିନ୍ତୁ ଉକ୍ତ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ରହିବା ସରକାରଙ୍କ ଗୁଣାତ୍ମକ ଶିକ୍ଷାଦାନ ଯୋଜନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୋମାବାର ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା ପାଇଁ ବିଦ୍ୟାଳୟ ଗେଟ୍ ରେ ତାଲା ପକାଇ ଧାରଣାରେ ବସିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝି ସେଠାରେ ପହଞ୍ଚି ଖୁବଶିଘ୍ର ଅଧ୍ୟକ୍ଷ ପଦବି ସହିତ ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରତିଶୃତି ଦେବାପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିବା ଜଣାଯାଇଛି ।

Leave A Reply

Your email address will not be published.