ବିପର୍ଯ୍ୟୟ ପରିଚାଳନା

0 62

ବିପଦ ପଥରେ ବିଶ୍ବ  ଓ ଲୋକଙ୍କ ଜୀବନ।କେବଳ କୋଭିଡ ମହାମାରୀ ପୃଷ୍ଠଭୂମିରେ ଏହି  କଥା କୁହାଯାଉଛି ତାହା ନୁହେଁ, ପରିବେଶ ଦୃଷ୍ଟିରୁ ମଧ୍ୟ ସମଗ୍ର ବିଶ୍ବରେ ଅବସ୍ଥା ବିଗିଡିବାରେ ଲାଗିଛି। କ୍ରମାଗତ ତାପମାତ୍ରା ବଢିବା ଯୋଗୁ  ଆଗାମୀ କିଛି ବର୍ଷ ମଧ୍ୟରେ  ଘୋର ବିପର୍ଯ୍ୟୟ ଆସିପାରେ ବୋଲି ଆକଳନ କରାଯାଇଛି । ଏନେଇ  ଅନ୍ୟ କେହି ନୁହେଁ  ଜାତିସଙ୍ଘ ହିଁ ସତର୍କ କରାଇଛି  । ଚଳିତ ଶତାବ୍ଦୀର ଶେଷ ଭାଗ ଆଡକୁ ବିଶ୍ବରେ ତାପମାତ୍ରା ୨.୭ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ଆମେରିକା ଓ ୟୁରୋପରେ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ବ୍ୟାପକ ନିଆଁ ଲାଗିବା, ଚୀନ ଓ ଜର୍ମାନୀରେ ପ୍ରଳୟଙ୍କରୀ ବନ୍ୟା ଆଦି ଏହାର ପୂର୍ବ ସଙ୍କେତ ବୋଲି କୁହାଯାଉଛି।ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଠାରୁ ଏହି ସତର୍କତା ଆସିଥିବାରୁ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। । ବୈଜ୍ଞାନିକଙ୍କ ମତରେ ବିଶ୍ବର ତାପମାତ୍ରା ନିର୍ଦ୍ଧାରିତ ସ୍ତରରେ ରହିବା ଦରକାର।  ଏଥିଲାଗି ସମସ୍ତ ରାଷ୍ଟ୍ର ପଦେକ୍ଷେପ ଲାଗି ପ୍ୟାରିସ ରାଜିନାମାରେ ଗୃହିତ ହୋଇଥିଲା । ମାତ୍ର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜୀବନ ଓ ଜୀବିକା ଉପରେ ଗୁରୁତର ଭାବେ ପଡୁଛି । ବର୍ତ୍ତମାନ ହାତରୁ ସମୟ ସରି ସରି ଆସୁଛି ବୋଲି କହିଛନ୍ତି ଗୁଟେରସ ।୨୦୩୦ ସୁଦ୍ଧା ବିଶ୍ବର ଅଙ୍ଗାରକାମ୍ଳ ଗ୍ୟାସ  ନିର୍ଗମନ ପରିମାଣ ୪୫ ପ୍ରତିଶତ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଉଛି। ମାତ୍ର ଏହା ସମ୍ଭବ ହୋଇନାହିଁ। ବର୍ତ୍ତମାନର ଧାରାକୁ ଆକଳନ କଲେ ସ୍ପଷ୍ଟ ହେଉଛି ଯେ ୨୦୩୦ ବେଳକୁ ନିର୍ଗମନ ପରିମାଣ ୧୬ ପ୍ରତିଶତ ବୃଦ୍ଧି ପାଇବ । ଫଳରେ ବିଶ୍ବ ତାପମାତ୍ରା ୨.୭ଡିଗ୍ରି ସେଲସିୟସ ବଢିବାର ଆଶଙ୍କା ରହିଛି ।ଉଦ୍ବେଗର ବିଷୟ ଏହି ଯେ  ଅଙ୍ଗାରକାମ୍ଳ ହ୍ରାସ ନେଇ କୌଣସି ରାଷ୍ଟ୍ର ଗୁରୁତ୍ବ ଦେଉନାହାନ୍ତି। ଏନେଇ ବିଭିନ୍ନ ବିକାଶଶୀଳ ରାଷ୍ଟ୍ରଗୁଡିକୁ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡିକ ସହାୟତା କରିବା ସହ ୧୦୦ ବିଲିୟନ ଡଲାରର ପ୍ରସ୍ତାବ କାର୍ଯ୍ୟକାରୀ କରିବା ଲାଗି ଗୁଟେରସ ଆହ୍ବାନ ଦେଇଛନ୍ତି ।ତେବେ ପ୍ୟାରିସ ରାଜିନାମାରେ ୧୯୧ଟି ରାଷ୍ଟ୍ର ସ୍ବାକ୍ଷର କରିଥିବା ସତ୍ତ୍ବେ ନିର୍ଗମନ ହ୍ରାସ ନେଇ ଗୁରୁତ୍ବ ନଦେବା କ୍ଷୋଭର ବିଷୟ। ଚଳିତ ଦଶନ୍ଧି ଶେଷ ସୁଦ୍ଧା ମିଥେନ ନିର୍ଗମନ ପରିମାଣ ୩୦ ପ୍ରତିଶତ ହ୍ରାସ କରିବା ଲାଗି ପ୍ରତିଶୃତି ଦେଇଛନ୍ତି  ବଡ଼ ବଡ଼ ଦେଶ।

ସ୍କଟଲ୍ୟାଣ୍ଡର ଗ୍ଲାସଗୋ ଠାରେ ନିକଟରେ ଅନୁଷ୍ଠିତ  COP26 ଶୀର୍ଷ ସମ୍ମିଳନୀରେ ଭାରତ ସମେତ   ବିଭିନ୍ନ ଦେଶ ପକ୍ଷରୁ ଯେଉଁ ବିଚାର ବିମର୍ଷ ଚାଲିଥିଲା ତାହା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବାରେ  ସହାୟକ ହେବ ଏହା ଆଶା କରାଯାଏ।

Leave A Reply

Your email address will not be published.