ଆଣବିକ ଯୁଦ୍ଧାଭ୍ୟାସ କରିବ ଋଷ

0 67

ନୂଆଦିଲ୍ଲୀ,୧୯/୦୨: ଆଣବିକ ଯୁଦ୍ଧାଭ୍ୟାସ କରିବ ଋଷ । ପ୍ରସ୍ତୁତ ହେଲେଣି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରୁଷ-ୟୁକ୍ରେନ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ୟୁକ୍ରେନ ସୀମାରୁ ରୁଷ ସୈନ୍ୟ ଅପସାରଣ କରୁଥିବା ବାରମ୍ବାର ଦାବି କରୁଥିଲେ ମଧ୍ୟ ଆମେରିକା, ନାଟୋ, ବ୍ରିଟେନ ଓ ପାଶ୍ଚାତ୍ୟ ଦେଶ ରୁଷକୁ ବିଶ୍ୱାସ କରୁନାହାନ୍ତି । ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବନି ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସର୍ବସମ୍ମୁଖକୁ ଆସି ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଆମେରିକା ବୈଦେଶିକ ବ୍ୟାପାର ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ କହିଛନ୍ତି । ରୁଷ ସୀମାରୁ ସୈନ୍ୟ ଅପସାରଣ କରିବା ପରିବର୍ତ୍ତେ ସୈନ ସଂଖ୍ୟା ବଢାଉଛି ବୋଲି ବ୍ରିଟେନ ଦାବି କରିଛି । ଏନେଇ ଆବଶ୍ୟକୀୟ ପ୍ରମାଣ ମଧ୍ୟ ମହଜୁଦ ଥିବା ବ୍ରିଟେନ ପକ୍ଷରୁ ଜାରି ବୟାନରେ କୁହାଯାଇଛି । ତେବେ ସାମ୍ଭାବ୍ୟ ଆଣବିକ ଯୁଦ୍ଧର ମୁକାବିଲା କରିବାକୁ ରୁଷ ପ୍ରସ୍ତୁତି କରୁଛି । ସପ୍ତାହନ୍ତରେ ରୁଷ ଆଣବିକ ଯୁଦ୍ଧାଭ୍ୟାସ କରିବ ବୋଲି ଘୋଷଣା କରିଛି । ଏଥିରେ ରୁଷର ଅନ୍ତଃମହାଦେଶୀୟ ବାଲିଷ୍ଟିକ ଓ କ୍ରୁଜ ମିସାଇଲ ପରୀକ୍ଷଣ ହେବ । ରାଷ୍ଟ୍ରପତି ପୁଟିନ ଏହି ଆଣବିକ ଯୁଦ୍ଧାଭ୍ୟାସର ନିରୀକ୍ଷଣ କରିବେ । ରୁଷ ସୀମାରୁ ସୈନ୍ୟ ଓ ଯୁଦ୍ଧ ଅସ୍ତ୍ରଶସ୍ତ୍ର ଖାଲି କରୁଥିବା ନେଇ ବାରମ୍ବାର କରି ଆସୁଥିବା ଦାବିକୁ ଶୁକ୍ରବାର ପୁଣି ଦୋହରାଇଛି । ରୁଷ କହିଛି, କ୍ରିମିୟାରୁ ସୈନ ଅପସାରଣ ପ୍ରକ୍ରିୟା ଜାରିରହିଛି । ଟ୍ୟାଙ୍କ ଏବଂ ଯୁଦ୍ଧାସ୍ତ୍ରକୁ ସୀମାରୁ ହଟାଯାଉଛି । ଅନ୍ୟପକ୍ଷରେ ରୁଷ-ୟୁକ୍ରେନ ବିବାଦକୁ ନେଇ ଜାତିସଂଘ ମଧ୍ୟ ଚିନ୍ତାପ୍ରକଟ କରିଛି । ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗ୍ୟୁଟେରସ ଶୁକ୍ରବାର କହିଛନ୍ତି, ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ବିବାଦ ଯଦି ଯୁଦ୍ଧର ରୂପ ନିଏ ତେବେ ଏହାର ପରିଣାମ ପ୍ରଳୟଙ୍କରୀ ହେବ । ଏହି ସମସ୍ୟାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି । ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ରୁଷ ସୀମାରେ ଅଧିକ ସୈନ ଏକତ୍ରିତ କରୁଥିବା ଆମେରିକା ପ୍ରତିରକ୍ଷା ସଚିବ ଲଏଡ ଜେ ଦାବି କରିଛନ୍ତି । ରୁଷ ଯଦି ୟୁକ୍ରେନ ଉପରେ ଭବିଷ୍ୟତରେ ଆକ୍ରମଣ କରେ ତେବେ ଆମେରିକା ୟୁକ୍ରେନକୁ ଯଥା ସମ୍ଭବ ସାହାଯ୍ୟ କରିବ ବୋଲି ଆମେରିକୀୟ ସିନେଟରେ ଶୁକ୍ରବାର ଏକ ବିବୃତି ଅନୁମୋଦିତ ହୋଇଛି । ଆମେରିକା ଉପ-ରାଷ୍ଟ୍ରପତି କମଳା ହରିସ ନାଟୋ ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଆମେରିକା ସହ ଆଲୋଚନା କରିବା ପରେ ପୋଲାଣ୍ଡ ମଧ୍ୟ ୟୁକ୍ରେନକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ ବୋଲି ଘୋଷଣା କରିଛି ।

Leave A Reply

Your email address will not be published.