ନାଳ ନଥିବା ଯୋଗୁଁ ମୁଖ୍ୟ ରାସ୍ତାରେ ଭାସୁଛି ଦୂଷିତ ଜଳ

0 65

ପାରଳାଖେମୁଣ୍ଡି, ୨୫ା୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତାରେ ନାଳର ବ୍ୟବସ୍ଥା ନ ଥିବା ଯୋଗୁଁ ଦୂଷିତ ଜଳ ନିଷ୍କାସିତ ହୋଇ ନ ପାରି ମୁଖ୍ୟରାସ୍ତାରେ ଭାସୁଥିବାର ଦେଖିବାକୁ ମିଳୁଛି । ଏପରି ପ୍ରାୟ ଦୁଇବର୍ଷରୁ ଉର୍ଦ୍ଧ ସମୟ ହେଲାଣି ଅଞ୍ଚଳବାସୀ ଦୁର୍ଗନ୍ଧମୟ ପରିବେଶରେ କାଳାତିପାତ କରୁଥିବାର ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ପୋଲିସ ଷ୍ଟେସନ ଛକ ଠାରୁ ରାଣୀପେଣ୍ଠ ରୋଡ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ନାମରେ ଗତ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ହେଲାଣି ଜବରଦଖଲ ହଟାଯାଇଥିଲା । ଏହି ଜବରଦଖଲ ଉଚ୍ଚେଦ ସମୟରେ ବିଭିନ୍ନ କୋଠାବାଡି ଭଙ୍ଗାଯାଇଥିଲା । ଭଙ୍ଗାଯାଇଥିବା କୋଠାବାଡିର ଇଟା, ସିମେଣ୍ଟ ପ୍ଲେଟ ଖଣ୍ଡ, ବାଲି, ମାଟି ଆଦି ମୁଖ୍ୟରାସ୍ତାରେ ଥିବା ଉଭୟ ପାଶ୍ୱର୍ ନାଳରେ ପଡି ପୋତି ହୋଇଯାଇଛି । ଫଳରେ ଲୋକେ ନାଳକୁ ଛାଡୁଥିବା ଦୂଷିତ ଜଳ ଗୁଡିକ ସେବେ ଠାରୁ ନିଷ୍କାସିତ ହୋଇ ନ ପାରି ମୁଖ୍ୟରାସ୍ତାରେ ଭାସୁଥିବାର କହିଛନ୍ତି ଅଞ୍ଚଳବାସୀ । ସେବେ ଠାରୁ ଏହି ଅଞ୍ଚଳଟି କର୍ଦମାକ୍ତ, ପୁତିମୟ ଦୁର୍ଗନ୍ଧମୟ ପରିବେଶରେ ନାକ ଫାଟି ପଡୁଥିବା ବେଳେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହୁଥିବାର ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ୟ ବିଭାଗର ଏକ ପାଇପ ଫାଟି ରାସ୍ତାଉପରେ ପାଣି ଭାସୁଥିବା ଯୋଗୁଁ ଏହି କର୍ଦମାକ୍ତକୁ ଆହୁରି ଦ୍ୱିଗୁଣିତ କରୁଥିବାର ମଧ୍ୟ ଅଭିଯୋଗ ହେଉଛି । ବିଭାଗ ପକ୍ଷରୁ ଯେତେବେଳେ ପାନୀୟ ଜଳ ଛଡା ଯାଉଛି ସେହି ସମୟରେ ମଧ୍ୟ ଉକ୍ତ ରାସ୍ତାରେ ପାଣିଭାସୁଥିବାର ଦେଖାଯାଉଛି । ଯଦି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ତୁରନ୍ତ କରିବାର ନଥିଲା ତେବେ କାହିଁକି ଜବରଦଖଲ ଉଚ୍ଚେଦ ଓ ବିଭିନ୍ନ ଅଧପନ୍ତରିଆ କାମ ଆରମ୍ଭ କରାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ । ତୁରନ୍ତ ଏହାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରାଯିବ ଚନ୍ଦ୍ରଶେଖର ପଟ୍ଟନାୟକ, ଶ୍ରୀନିବାସ ଦାସ, ମାମୁନା ପଟ୍ଟନାୟକ, ପି. ଗୋବିନ୍ଦ ରାଜୁ, ରାଉତ ରୁଦ୍ର ଦେବ ପ୍ରମୁଖ ଅଞ୍ଚଳବାସୀ କହିଛନ୍ତି ।

Leave A Reply

Your email address will not be published.