ପୌର ନିର୍ବାଚନ

0 67

ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହ ଇତି ମଧ୍ୟରେ ପୌର ନିର୍ବାଚନ ପାଇଁ ନିର୍ବାଚନ ବିଜ୍ଞପ୍ତି ବାହାରିଛି । ପୌର ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତି । ପୌରପାଳିକା ସଂସ୍ଥା ଓ ମହାନଗର ନିଗମ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଆସନ୍ତା ମାର୍ଚ୍ଚ ୨୪ତାରିଖରେ ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏନଏସି ଏବଂ ୩ଟି ମହାନଗର ନିଗମରେ ପ୍ରାୟ ୪୧ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । କେବଳ ପୁରୀ ପୌର ପରିଷଦ ଏବଂ ଭଦ୍ରକ ପୌର ପରିଷଦର ୪ ନମ୍ବର ୱାର୍ଡରେ ନିର୍ବାଚନକୁ ନେଇ ମାମଲା କୋର୍ଟରେ ଥିବାରୁୁ ସେଠାରେ ନିର୍ବାଚନ ହେବ ନାହିଁ । ଏହି ପୌର ନିର୍ବାଚନ ସମଗ୍ର ରାଜ୍ୟରେ ଗୋଟିଏ ଦିନରେ ହେବ ଓ ଭୋଟ ଗଣତି ମାର୍ଚ୍ଚ ୨୬ତାରିଖରେ ହେବ । ଚଳିତଥର ପୌର ପରିଷଦ ଓ ଏନଏସି ଅଧ୍ୟକ୍ଷ ପଦବୀ ଓ ମହାନଗର ନିଗମରେ ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ । ୨୦୧୮ ମସିହାରୁ ଅଧିକାଂଶ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇସାରିଛି । ନିଷ୍ପତ୍ତି ଅନୁସାରେ ମାର୍ଚ୍ଚ ୨ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବା । ୭ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଭୋଟ ଗଣତି ୨୬ ତାରିଖ ସକାଳ ୮ଟାରୁ ଆରମ୍ଭ ହେବ । ସେହିପରି ୨୯ ତାରିଖରେ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ନାମ ଘୋଷଣା ହେବ । ୩୧ ତାରିଖରେ ଡେପୁଟି ମେୟର ନିର୍ବାଚନ ପାଇଁ ମେୟରଙ୍କ ଦ୍ୱାରା ଆହୁତ ହେବ ବୈଠକ । ଏପ୍ରିଲ ୮ତାରିଖରେ ଡେପୁଟି ମେୟର ନିର୍ବାଚନ । ତେବେ ମହାନଗର ନିର୍ବାଚନ ପାଇଁ ୨୫ ତାରିଖ ଠାରୁ ଆଚରଣ ବିଧି ଲାଗୁ ହୋଇସାରିଥିବା ବେଳେ ଏହା ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଆଚରଣ ବିଧିକୁ କଡାକଡି ଲାଗୁ କରିବା ସହିତ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ । ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହ ଭୋଟ ହେବାକୁ ଥିବା ସବୁ ପୌରାଂଚଳରେ ଆଦର୍ଶ ଆଚରଣ ବିଧିମଧ୍ୟ ଲାଗୁ ହୋଇସାରିଛି । ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।
ଏଥର ନିର୍ବାଚନରେ ଭୋଟରମାନେ ଇଭିଏମ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ପୌରାଂଚଳ ଓ ଏନଏସିର ଅଧ୍ୟକ୍ଷ ପଦବୀ ଓ ମହାନଗରର ମେୟର ପଦବୀ ନିମନ୍ତେ ହଳଦିଆ ବାଲାଟ ପେପର ଏବଂ କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଗୋଲାପୀ ରଙ୍ଗର ବାଲାଟ ପେପର ଉଦ୍ଦିଷ୍ଟ ରହିବ । ଭୋର୍ଟ ଚାହିଁଲେ, ନିଜ ପସନ୍ଦରେ ନୋଟା (ନନ୍ ଅଫ୍ ଦି ଏବଭ)ର ଉପଯୋଗ ମଧ୍ୟ କରିପାରିବେ । ଉଲ୍ଲେଖ କରାଯାଇପାରେ ଯେ,ପଞ୍ଚାୟତ ନିର୍ବାଚନରେ ଶାସକ ବିଜୁ ଜନତା ଦଳର ବିପୁଳ ବିଜୟ ପରେ ପୌର ନିର୍ବାଚନ ଫଳ ମଧ୍ୟ ଠିକ୍ ସେହିଭଳି ହେବ ଏହା ଆଶା କରାଯାଉଛି ।୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ସେମି ଫାଇନାଲ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

Leave A Reply

Your email address will not be published.