ବିଜେଡ଼ିର ଜୟଯାତ୍ରା ଓ ନବୀନ ସୁନାମୀ

0 58

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ବିଜୟ ଯାତ୍ରା ଅବ୍ୟାହତ ରହିଛି । ସଂସଦୀୟ ଗଣତନ୍ତ୍ରରେ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ସମ୍ବିଧାନ ଓ ଆଇନର ଶାସନରେ ଉଭୟ ଶାସନର ଢ଼ାଞ୍ଚା ଉପସ୍ଥାପନ କରନ୍ତି ଓ ନିର୍ବାଚନ ମାଧ୍ୟମରେ ଜନାଦେଶ ଲୋଡ଼ିଥାନ୍ତି । ସଂପ୍ରତି ଓଡ଼ିଶାର ପଞ୍ଚାୟତ ନିର୍ବାଚନର ଫଳାଫଳ ଏ ପର୍ଯ୍ୟନ୍ତ ଦୃଷ୍ଟିଗୋଚର ହୋଇଛି ଏଥିରେ ଶାସକ ବିଜେଡ଼ି ଦଳକୁ ଅଦ୍ଭୁତପୂର୍ବ ଜନସମର୍ଥନ ମିଳିଛି । ଦୁଇଟିଯାକ ମୁଖ୍ୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏକ ପ୍ରକାର ମୂଳପୋଛ ସ୍ଥିତିରେ କହିଲେ ଚଳେ । ଗଣତି ଯେତିକ ବଢ଼ୁଛି ପଞ୍ଚାୟତରେ ବିଜେଡ଼ିର ଆଧିପତ୍ୟ ସେତେ ବଢ଼ୁଛି । ଏହି ଲେଖା ପ୍ରସ୍ତୁତି ହେଲାବେଳକୁ ୬୨୦ ମଧ୍ୟରୁ ବିଜେଡ଼ି ୫୫୩, କଂଗ୍ରେସ ୩୦ ଓ ବିଜେପି ୩୦ଟିରେ ଆଗୁଆ । ବିଜେଡ଼ିର ଜୟଯାତ୍ରା କେବଳ ଉପକୂଳ ନୁହେଁ ଦକ୍ଷିଣରୁ ଉତ୍ତର, ପଶ୍ଚିମ ସବୁଠି ବିଜେଡ଼ିର ହିଁ ଜୟଯାତ୍ରା ଯଦିଓ କୋରାପୁଟ ରାୟଗଡ଼ାରେ ବିଜେଡ଼ିକୁ କଂଗ୍ରେସ କିଛି ଭାବରେ ଲଢ଼େଇ କରୁଛି ତେବେ ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ଖୋର୍ଦ୍ଧାରେ ବିଜେପି ନିଜ ସମ୍ମାନ ରଖିବା ପାଇଁ ଲଢ଼ୁଛି । ବିଜେଡ଼ି ପାଖାପାଖି ୮୯% ସିଟ ପାଇସାରିଲାଣି । ପ୍ରଥମ ଗଣତିରେ ବିଜେଡ଼ି ୩୧୫ରୁ ୨୮୨ଟିରେ ବିଜୟ ପାଇଛି । ୧୪ଟିରେ କଂଗ୍ରେସ ଓ ୧୫ଟି ସିଟରେ ବିଜେପି ଓ ବାକି ୨% ସିଟ ସ୍ୱାଧୀନ ବା ଅନ୍ୟଦଳ ପାଇଛନ୍ତି ।
ତେବେ ଲଗାତର ଭାବେ ଦ୍ୱିତୀୟ ଦିନର ଗଣତିରେ ବିଜେଡ଼ିର ଜୟଯାତ୍ରା ଜାରି ରହିଥିବାବେଳେ ବିରୋଧୀ କଂଗ୍ରେସ ଓ ବିଜେପିକୁ ବହୁ ପଛରେ ପକାଇ ଦେଇଛି ବିଜେଡ଼ି । ତେବେ ଏହା ଭିତରେ ରାଜନୈତିକ ବୟାନ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଯାଇଛି । ବିଜେପିର ବରିଷ୍ଠ ନେତା ତଥା ସାଂସଦ ପ୍ରତାପ ଷଢ଼ଙ୍ଗୀ କହିଛନ୍ତି ଏହା ଜନାଦେଶ ନୁହେଁ ଧନାଦେଶ । ଏହାର ଜବାବରେ ବିଜେଡ଼ିର ବରିଷ୍ଠ ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ବିରୋଧୀଙ୍କ ଏଜେଣ୍ଡାରେ ସାଧାରଣ ଲୋକଙ୍କ ସ୍ୱାର୍ଥ ନାହିଁ । ସେହିଭଳି ବିଜେପିର ଗଡ଼ ତଥା ମଜଭୁତ କ୍ଷେତ୍ର କୁହାଯାଉଥିବା ମୟୂରଭଞ୍ଜରେ ବିଜେପି ଚିତପଟାଙ୍ଗ ମାରିଛି । ମୟୂରଭଞ୍ଜ ଜିଲ୍ଲାର ୫୬ଟି ଜିଲ୍ଳା ପରିଷଦ ଜୋନ ମଧ୍ୟରୁ ବିଜେଡ଼ି ୨୫ଟି ଜୋନରେ ବିଜୟୀ ହୋଇଛି । ଏହି ମୟୂରଭଞ୍ଜର ବିଜେପି ଗଡ଼ ଭାଙ୍ଗି ବିଜେଡ଼ିର ଜୟଯାତ୍ରାର ଅଗ୍ରଣୀ ନେତୃତ୍ୱ ମହାନାୟକ ହେଉଛନ୍ତି ନବୀନ ବାବୁ । ତାଙ୍କ ସ୍ୱଚ୍ଛ ଶାସନ ଓ ଲୋକାଭିମୁଖି କାର୍ଯ୍ୟ ଜନସାଧାରଣଙ୍କ ହୃଦୟକୁ ଛୁଇଁଛି । ଏହି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଦଳର କର୍ମତତ୍ପର ଯୁବ ନେତୃତ୍ୱ ପ୍ରଣବ ପ୍ରକାଶ ଦାସଙ୍କ ହାତରେ ରହିଥିବାବେଳେ ସହ ପର୍ଯ୍ୟବେକ୍ଷକ ଭାବେ ବିଜେଡ଼ିର ସାଧାରଣ ସମ୍ପାଦକ ତଥା ଟାଣୁଆ ଯୁବନେତା ଜନ୍ମେଜୟ ଲେଙ୍କାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଓ କାର୍ଯ୍ୟ ଦକ୍ଷତା ରହିଛି । ଏହା ପୂର୍ବରୁ ଜନ୍ମେଜୟ ବାବୁ ବିଜେଡ଼ିର ଜଣେ ଆସେଟ୍ ଭାବେ ପ୍ରତୀୟମାନ ହୋଇଛନ୍ତି । କେବଳ ବଡ଼ଚଣା ନିର୍ବାଚନ କ୍ଷେତ୍ର ନୁହେଁ, ଯାଜପୁର ଜିଲ୍ଲାରେ ତାଙ୍କର ନେତୃତ୍ୱ, ପ୍ରତିପତ୍ତି ଓ ଦଳ ପ୍ରତି ନିଷ୍ଠାପର ଅବଦାନ ରହିଛି । କୁହାଯାଉଛି ମୟୂରଭଞ୍ଜର ନିର୍ବାଚନ କ୍ଷେତ୍ର ପାଇଁ ବିଜେପିର ସମସ୍ତ ଚାଲକୁ ଜନ୍ମେଜୟ ବାବୁ ହିଁ ପରାଜିତ କରିଦେଲେ । ତାଙ୍କ ଶାଣିତ ରଣନୀତି ଓ ସରକାରଙ୍କ ଲୋକପ୍ରିୟ ଯୋଜନାକୁ ସେ ଲୋକଙ୍କ ପାଖରେ ହିଁ ପହଞ୍ଚାଇପାରିଲେ ।
୨୦୧୭ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଭଲ ଫଳାଫଳ ପାଇଥିଲା । ୨୦୦୭ରେ ବିଜେପି ବିଜେଡ଼ି ସହ କ୍ଷମତାରେ ରହିଥିଲା ସେତେବେଳେ ବିଜେଡ଼ି ୩୫୨ଟି ଜିଲ୍ଲା ପରିଷଦ ଆସନ ପାଇଥିବାବେଳେ ବିଜେପି ୧୩୭ଟି ପାଇଥିଲା ଏବଂ କଂଗ୍ରେସ ୨୮୩ ଆସନ ହାତେଇ ଥିଲା । ୨୦୧୨ରେ ବିଜେପି ସରକାରରେ ନଥାଇ ମଧ୍ୟ ଏକାକୀ ଲଢ଼ି ୪୭ଟି ଆସନ ପାଇଥିଲା କିନ୍ତୁ ୨୦୧୭ରେ ବିଜେପି ଭୋଟରଙ୍କ ବିଶ୍ୱାସ ଜିତି ପାଖାପାଖି ୩୦୦ ଜିଲ୍ଲା ପରିଷଦ ଆସନ ପାଇ ଶାସକ ବିଜେଡ଼ିକୁ କଡ଼ା ଟକ୍କର ଦେଇଥିଲା । ବିଜେପି ପାଞ୍ଚଟି ଯାକ ପଶ୍ଚିମ ଓଡ଼ିଶା ଜିଲ୍ଲାରେ କ୍ଲିନ ସୁଇପ୍ କରିଥିଲା ଓ ମୟୂରଭଞ୍ଜରେ ଅଦ୍ଭୁତପୂର୍ବ ପ୍ରଦର୍ଶନ ଦେଖାଇଥିଲା କିନ୍ତୁ ୨୦୨୨ ନିର୍ବାଚନ ଫଳ ବିଜେପିର ଚେରମୂଳ ସଫା କରିଦେଇଛି ଛଅଟି ଜିଲ୍ଲାରେ । ଏହା ସତ୍ୟ ଓଡ଼ିଶାର ଉପକୂଳ କ୍ଷେତ୍ରରେ ବିଜେପି ଦୁର୍ବଳ କିନ୍ତୁ ପଶ୍ଚିମ ଓଡ଼ିଶା ଦଳର ଗଡ଼ ହୋଇଥିବାବେଳେ ଏଭଳି ବିପର୍ଯ୍ୟୟ କାହିଁକି ସାମ୍ନା କଲା? ପ୍ରଥମତଃ ବିଜେପିର ବରିଷ୍ଠ ନେତାଙ୍କ ଭିତରେ ବୁଝାମଣା ଓ ସମନ୍ୱୟର ଅଭାବ ରହିଲା । ବିଜେପି ହେଉଛି ସେହି ଦଳ ଯାହାର କରିତକର୍ମା କେନ୍ଦ୍ର ନେତୃତ୍ୱ ଅମିତ ଶାହାଙ୍କ ସଶକ୍ତ ବୁଥ ଫର୍ମୁାଲା ରହିଛି ତାହାକୁ କିନ୍ତୁ ଓଡ଼ିଶା ବିଜେପି ନାଁ ଶିକ୍ଷାଲାଭ କଲା, ନାଁ କାମରେ ଲଗାଇଲା । ତୃଣମୂଳସ୍ତରରେ କର୍ମୀମାନଙ୍କୁ ଏକଜୁଟ କରି ସରକାରଙ୍କ ନିଷ୍କ୍ରିୟତା ଓ ଅନେକ ପ୍ରସଙ୍ଗକୁ ନେଇ ସେମାନଙ୍କ ପାଖରେ ପହଞ୍ôଚ ପାରିଲାନାହିଁ । ୨୦୧୭ ନିର୍ବାଚନରେ ପଞ୍ଚାୟତ ନିର୍ବାଚନର ବିଜେପିର ବଡ଼ ସେନାପତି ଥିଲେ ପୋଷ୍ଟର ବୟ ଧର୍ମେନ୍ଦ୍ର ବାବୁ । ଏଥର ସେ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ଦାୟିତ୍ୱରେ ଥିବାରୁ ନିଜ ଘର ସଜାଡ଼ିବା ସମ୍ପୂର୍ଣ୍ଣ ଭୁଲିଗଲେ କହିଲେ ଚଳେ । କହିବାକୁ ଗଲେ ବିଜେପିର ଦିଗହୀନ, ରଣନୀତି ବିହୀନ ଲଢ଼େଇ ମହଙ୍ଗା ପଡ଼ିଗଲା । ବିଜେଡ଼ିର ସଶକ୍ତ ତୃଣମୂଳ ସ୍ତରରେ କର୍ମୀ ରହିଛନ୍ତି ଏବଂ ଓଡ଼ିଶାରେ ନବୀନଙ୍କ ରାଜୁତି ପଛରେ ବଡ଼ ଅବଦାନ ରହିଛି ତାଙ୍କ ନିର୍ମଳ ବ୍ୟକ୍ତିତ୍ୱ । କେବଳ ମୁଖ୍ୟ ବିରୋଧୀ ଦଳର ବିଜେପି ନୁହେଁ କଂଗ୍ରେସ ମଧ୍ୟ ଆତ୍ମସମୀକ୍ଷା କରିବା ଜରୁରୀ । ଚିନ୍ତନ, ମନ୍ଥନ ଓ ବିବୃତ୍ତି ସର୍ବସ୍ୱ ହେଲେ ଦଳ କିଭଳି ଅପଦସ୍ତ ଓ ପ୍ରତ୍ୟାଖାତ ହୁଏ ତାହା ହୁଏତ ଓଡ଼ିଶାର କଂଗ୍ରେସ ଓ ବିଜେପି ଦଳର ନେତାମାନେ ବୁଝି ସାରିବେଣି । ତେବେ ଗଣତି ପର୍ବ ସମାପ୍ତି ପରେ ଏହା ଉପରେ କୌଣସି ସ୍ପଷ୍ଟ ମନ୍ତବ୍ୟ ଦିଆଯାଇପାରେ । ବାସ୍ତବ କଥା ହେଉଛି ବିଜେପିର ଆଠ ଜଣ ସାଂସଦ ଓ ବାଇଶ ଜଣ ବିଧାୟକ ଥାଇ ବିଜେଡ଼ି ଆଗରେ କିପରି ପ୍ରଦର୍ଶନ ଦେଖାଇପାରିଲେ ନାହିଁ । ସେମାନଙ୍କ କ୍ଷେତ୍ର ରକ୍ଷଣକୁ ନିଜେ ଦୁର୍ବଳ କରିବା ସହ ନେତୃତ୍ୱ ସଙ୍କଟ ମଧ୍ୟ ଦେଖା ଦେଇଛି ବୋଲି ରାଜନୈତିକ ସମୀକ୍ଷକଙ୍କ ମତ । ତେବେ ବିଜେଡ଼ି ଓଡ଼ିଶାର ପ୍ରଗତିକୁ ବୁଲେଟଟ୍ରେନ ଭଳି ଆଗକୁ ନେଇଯିବ ଏକ ସମୃଦ୍ଧ ସଶକ୍ତ ପ୍ରଗତି ଓଡ଼ିଶା ଗଠନର ବାଟ ସଂପ୍ରସାରିତ ହେବ ବୋଲି ଆଶା କରିବା ବୃଥା ନୁହେଁ । ଗ୍ରାମାଞ୍ଚଳର ଭୋଟର ଯେଉଁ ବିଜେଡ଼ି ସପକ୍ଷରେ ଜନାଦେଶ ଦେଇଛନ୍ତି ପୌର ନିର୍ବାଚନରେ ଯଦି ସମାନ ଦୃଶ୍ୟ ଦେଖିବାକୁ ମିଳେ କେହି ବିସ୍ମିତ ହେବାର ନାହିଁ । ଦୁର୍ବଳ ବିରୋଧୀ ଦଳ ଏକ ସଂଖ୍ୟାଗରିଷ୍ଠ ସଶକ୍ତ ଶାସକ ଦଳକୁ ସାମ୍ନା କରିବା ପାଇଁ ଆଉ କେତେ ସମୟ ନେବ ତାହା ସେହି ସମୟ ପାଖରେ ହିଁ ଉତ୍ତର ଅଛି ।

ବାଦଲ ଭୂୟାଁ, ପ୍ରତିଷ୍ଠାତା ସମ୍ପାଦକ “ସିଂହଭୂମ’,
ପୁରୁଣା ସୋନାରୀ, ଜାମସେଦପୁର, ଦୂରଭାଷ : ୭୪୮୮୯୯୮୫୩୨

Leave A Reply

Your email address will not be published.