ଭୁବନେଶ୍ବର ୦୨।୦୩ : ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ଜବତ ହୋଇଛି ୭ଲକ୍ଷ ଟଙ୍କାର ନକଲି ନୋଟ୍ । ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଜାଲ୍ ନୋଟ୍ କାରବାର ନେଇ ପୋଲିସ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ପୋଲିସ ସୂଚନା ଆଧାରରେ ଖାରବେଳନଗର ଥାନା ଅଞ୍ଚଳରେ ଚଢାଉ କରିଥିଲେ । ଏହି ଚଢାଉରେ ୨୦୦ ଟଙ୍କିଆ ନକଲି ନୋଟ ଜବତ କରିଛି ପୋଲିସ । ତେବେ ଜବତ ହୋଇଥିବା ଟଙ୍କା ପ୍ରାୟ ୭ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହା ସହିତ ନକଲି ନୋଟ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ତଦନ୍ତ ପାଇଁ ସେମାନଙ୍କୁ ପଚରାଉଚରା ଜାରି ରହିଛି । ସେହିପରି ରାଜଧାନୀରୁ ଏତେ ପରିମାଣର ନକଲି ନୋଟ ଜବତ ହେବା ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି । କିଏ ଓ କାହିଁକି ଏତେ ପରିମାଣର ଟଙ୍କା ଆଣିଥିଲା ଏବଂ କେଉଁମାନେ ଥିଲେ ଟାର୍ଗେଟ । ସେନେଇ ଖୋଲତାଡ଼ କରୁଛି ପୋଲିସ ।