ସୀମା ବିବାଦ ପରେ ଛେଳି ଚୋରକୁ ନେଇ ଓଡିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ

0 105

ପାରଳାଖେମୁଣ୍ଡି, ୭|୩ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ତଥା ଗାରବନ୍ଧ ଥାନା ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତରେ ସୀମା ବିବାଦ ଠାରୁ ଆରମ୍ଭ କରି ଭୋଟ ବିବାଦ ଆଦି ଲାଗି ରହିଥିଲା | ଏପରିକି ଆନ୍ଧ୍ରର ମନ୍ତ୍ରୀ ଓଡିଶା ତଥା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କୁ ରାସ୍ତାକଡର ଗୁଣ୍ଡା ଭଳି ବ୍ୟବହାର କରିଥିଲେ | ଏସବୁ ବାଦ ବିବାଦ ଲୋକଙ୍କ ମନରୁ ଲିଭିନଥିବା ବେଳେ ବର୍ତ୍ତମାନ ଛେଳି ଚୋରକୁ ନେଇ ଆନ୍ଧ୍ର-ଓଡିଶା ପୋଲିସ ମୁହାଁ ମୁହିଁ  ପରିସ୍ଥିତି ଉପୁଜିଥିବାର ଜଣାପଡିଛି | ଘଟଣାରୁ ପ୍ରକାଶ ଯେ, ଆନ୍ଧ୍ରସୀମାନ୍ତରେ ରହିଥିବା ଗଜପତି ଜିଲ୍ଲାର ଗଙ୍ଗାବାଡ ପଞ୍ଚାୟତର କିଛି ଗ୍ରାମରେ ଗତ ୬ ମାସ ହେଲା ବାରମ୍ବାର ଛେଳି ଚୋରି ହୋଇ ଆସୁଥିଲା | ଏହାକୁ ନେଇ ଗ୍ରାମବାସୀ ତଥା ଛେଳି ମାଲିକ ମାନେ ସଜାଗ ହୋଇ ପହରା ଦେବାର ଆରମ୍ଭ କରିଥିଲେ | ଗତ ଶନିବାର ରାତ୍ରରେ ଆନ୍ଧ୍ରର ମାଣିକପାଟଣା ଗ୍ରାମରୁ ଆସିଥିବା ଦୁର୍ବୃତ୍ତମାନେ ଛେଳି ଚୋରି କରୁଥିବା ବେଳେ ଏହି ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲେ | ଏହି ଦୁର୍ବୃତ୍ତ ମାନଙ୍କୁ କାବୁ କରିବା ସହ ଗ୍ରାମଦାଣ୍ଡର ଖୁଣ୍ଟରେ ବାନ୍ଧି ରାତି ତମାମ ଅଟକ ରଖିଥିଲେ । ଗତକାଲି ରବିବାର ଦିନ ଘଟଣା ସମ୍ପର୍କରେ ଏତଲା ପାଇ ଗାରବନ୍ଧ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ, ସୀମାନ୍ତ ଆନ୍ଧ୍ରର କିଛି ଦୁର୍ବୃତ୍ତ ଏଥିରେ ସମ୍ପୃକ୍ତି ରହିଥିଲା | ଏହାପରେ ଗାରବନ୍ଧ ପୋଲିସ ଦୁର୍ବୃତ୍ତ ବା ଛେଳି ଚୋରମାନଙ୍କୁ ଉଠାଇ ପୋଲିସ ଷ୍ଟେସନକୁ ଆଣିବା ବେଳେ ପଡୋଶୀ ଆନ୍ଧ୍ର ପୋଲିସ ପହଞ୍ଚି ରାସ୍ତା ଅବରୋଧ କରିଥିଲା | ମାଣିକପାଟଣା ଗାଁ ଆନ୍ଧ୍ରର ହୋଇଥିବାରୁ ଓଡିଶା ପୋଲିସ ଚୋରକୁ ଗିରଫ କରିପାରିବ ନାହିଁ ତେଣୁ ଆନ୍ଧ୍ର ପୋଲିସ ଚୋର ସପକ୍ଷରେ ଯୁକ୍ତି ବାଢିଥିଲେ | ଆନ୍ଧ୍ର ପୋଲିସ ସମେତ ସ୍ଥାନୀୟ ଆନ୍ଧ୍ର ଲୋକେ ମଧ୍ୟ ଗାରବନ୍ଧ ପୋଲିସକୁ ବାଟ ଓଗାଳିଥିଲେ | ହେଲେ ଗଙ୍ଗାବାଡ ପଞ୍ଚାୟତର କିଛି ବାସୀନ୍ଦାଙ୍କ ସହ  ଗାରବନ୍ଧ ପୋଲିସର ଉପଯୁକ୍ତ ଯୁକ୍ତିତର୍କ ଆଗରେ ସେମାନେ ଫିକା ପଡିଯାଇ ରାସ୍ତା ଅବରୋଧ ଓ ଯୁକ୍ତିତର୍କରୁ ବିରତ ରହିଥିଲେ ଆନ୍ଧ୍ର ପୋଲିସ | ଧରାପଡିଥିବା ଅଭିଯୁକ୍ତ ଦ୍ବୟହେଲେ ଆନ୍ଧ୍ରର କର୍ଲମ ଗ୍ରାମର ଏନ୍. ନବୀନ ଓ ଜି.ଆନନ୍ଦ ବୋଲି ଜଣାପଡିଛି | ଏନେଇ ଗାରବନ୍ଧ ଥାନାରେ ୧୯/୨୨ରେ ମାମଲା ରୁଜୁ କରାଯାଇ ଉଭୟ ଛେଳି ଚୋରଙ୍କୁ କୋର୍ଟକୁ ଚାଲାଣ କରାଯାଇ ଥିବାର ଗାରବନ୍ଧା ଥାନା ଅଧିକାରୀ ସର୍ବେଶ୍ବର ସାମନ୍ତରାୟ ସୂଚନା ଦେଇଛନ୍ତି |

Leave A Reply

Your email address will not be published.