ଆଶା ଉଜ୍ଜ୍ୱଳ

0 53

ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୫ ଦିନ ପୂରଣ ହୋଇଛି । ଯୁଦ୍ଧ ସ୍ଥିତି ବଦଳି ନଥିବା ବେଳେ ଏବେ ଦୁଇ ଦେଶ ଋଷ ଓ ୟୁକ୍ରେନ୍ ନରମ ପଡ଼ୁଥିବା ଦେଖାଯାଉଛି । ଋଷ ପକ୍ଷରୁ କୁହାଯାଇଛି, ଆମେ ୟୁକ୍ରେନ୍ ସରକାରକୁ ହଟାଇବାକୁ ଚାହୁଁ ନାହୁଁ । ୟୁକ୍ରେନ୍ ସରକାରଙ୍କୁ ଗାଦିଚ୍ୟୁତ କରିବାର କୌଣସି ଉଦ୍ଦେଶ୍ୟ ଋଷର ନାହିଁ । ଏହା ପୂର୍ବରୁ ଋଷ କହିଥିଲା, ୟୁକ୍ରେନ୍ ସହ ଯେଉଁ ଆଲୋଚନା ଆରମ୍ଭ ହୋଇଛି ଏଥିରେ ବେଶ୍ ଅଗ୍ରଗତି ଘଟିଛି । ତେବେ କେଉଁ କେଉଁ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି ସେନେଇ କିଛି ଜଣାପଡ଼ି ନାହିଁ । ଯୁଦ୍ଧ ସ୍ଥିତିରେ ଋଷର ଏଭଳି ମନ୍ତବ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଥିଲେ, ଏବେ ୟୁକ୍ରେନ୍ ନାଟୋ ସଦସ୍ୟ ହେବା ଲାଗି ଚାହୁଁ ନାହିଁ । ଏହି ଯୁଦ୍ଧ ପଛରେ ଗୋଟିଏ ବଡ଼ କାରଣ ଥିଲା ୟୁକ୍ରେନର ନାଟୋ ସଦସ୍ୟତା । ଆରମ୍ଭରୁ ଋଷ ୟୁକ୍ରେନ୍ ନାଟୋରେ ସାମିଲ୍ ନହେବା ଲାଗି କହି ଆସୁଛି । ୟୁକ୍ରେନ୍ ବିଳମ୍ବରେ ବୁଝି ପାରିଛି ଯେ, ନାଟୋରେ ସାମିଲ୍ ହେବା ଋଷ ପାଇଁ ବିପଦ । କେବଳ ଏତିକି ନୁହେଁ, ଜେଲେନସ୍କି ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡୋନେସ୍କ ଓ ଲୁହାନସ୍କ ଉପରେ ମଧ୍ୟ ଆଲୋଚନା କରିବାକୁ ପ୍ରସ୍ତୁତ । ଯାହାକୁ ଯୁଦ୍ଧର କିଛିଦିନ ପୂର୍ବରୁ ଋଷ ସ୍ୱତନ୍ତ୍ର ରାଷ୍ଟ୍ର ମାନ୍ୟତା ଦେଇଥିଲା । ଏବେ ଜେଲେନସ୍କି ଏହି ଦାବିରୁ ହଟିବା ପାଇଁ ଇଚ୍ଛା କରୁଥିବା ବେଳେ ଯୁଦ୍ଧ ଶେଷ ହେବାର ଏକ ବଡ଼ ସୁଯୋଗ ଆସିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିପାଇଁ ଦୁଇ ଦେଶ ମଧ୍ୟରେ ଅଧିକ ଆଲୋଚନା ଦରକାର । କରିବାକୁ ପ୍ରସ୍ତୁତ ହେଉଛନ୍ତି ଉଭୟ ଋଷ ଓ ୟୁକ୍ରେନ୍ ।
ଋଷ ସହ ଆଲୋଚନା ପାଇଁ ୟୁକ୍ରେନ୍ ଆଗକୁ ବଢ଼ୁଥିବା ବେଳେ ସହାୟତା ମିଳିବା ମଧ୍ୟ ଆରମ୍ଭ ହୋଇଛି । କିଏ ଋଷ ଉପରେ ପ୍ରତିବନ୍ଧକ ଲଗାଇ ସମର୍ଥନ ଦେଉଛି ତ ଆଉ କେଉଁ ଦେଶ ସିଧାସଳଖ ଯୁଦ୍ଧାସ୍ତ୍ର ପଠାଉଛି । ସବୁଠାରୁ ବଡ଼ କଥା ନାଟୋର ନାଟରେ ଦେଶ ବରବାଦ ହେବା ପରେ ଜେଲେନସ୍କିଙ୍କ ବୁଦ୍ଧି ଉଦୟ ହୋଇଛି । ସେ ଏବେ ଯୁଦ୍ଧକୁ ଅଧିକ ଦିନ ଟାଣିବାକୁ ଚାହୁଁନାହାନ୍ତି । ଏହି ଦୃଷ୍ଟିରୁ ଋଷ ଓ ୟୁକ୍ରେନ ମଧ୍ୟରେ ଯେଉଁ ଯୁଦ୍ଧ ଚାଲିଛି ତାହା ବନ୍ଦ ହେବା ଆଶା ଉଜ୍ଜ୍ୱଳ ହୋଇଛି । ୟୁକ୍ରେନକୁ ଶାନ୍ତି ଫେରିବାର ଆଶା ଉଭା ହୋଇଛି । ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ଋଷ-ୟୁକ୍ରେନ ଯୁଦ୍ଧରେ ପୂର୍ଣ୍ଣ ବିରାମ ଲାଗିବାର ସମ୍ଭାବନା ବଢ଼ିଛି ।

Leave A Reply

Your email address will not be published.