ନିର୍ବାଚନ ଫଳ

0 73

ଇତିମଧ୍ୟରେ ଆସିଯାଇଛି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ସବୁ ଆଶା ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ଟାଣି ପୁଣିଥରେ ୪ ରାଜ୍ୟରେ ସରକାର ଗଠନ କରିବାକୁ ଜନମତ ପାଇଛି ବିଜେପି । ଦରବୃଦ୍ଧି, ଚାଷୀ ଓ ବେକ୫ରୀ ଭଳି ସମସ୍ୟା ବିଜେପି ବେକରେ କଣ୍ଟା ହୋଇ ଲାଗିବ ବୋଲି ଯାହା ଆଶଙ୍କା କରାଯାଉଥିଲା ତାହା ଆଶଙ୍କାରେ ହିଁ ସୀମିତ ରହିଛି । ବିଜେପିର ରଣନୀତି ବିରୋଧୀଙ୍କ ସବୁ ଆଶାରେ ପାଣି ପକାଇ ଦେଇଛି ।ବିଜେପି ଉତ୍ତର ପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏହାର ଅର୍ଥ ବିଜେପି ଏଠାରେ ପୁଣି ସରକାର ଗଠନ କରିବ । ଏହି ସବୁ ରାଜ୍ୟରେ ବିଜେପି ଦ୍ୱିତୀୟ ଥର ପାଇଁ ଶାସନ କ୍ଷମତାକୁ ଆସିବ । କେବଳ ପଞ୍ଜାବରେ ବିଜେପି ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହିଁ । ଏଠାରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ଏକାକୀ ୧୧୭ ଆସନରୁ ୯୨ଟିରେ ଜିତି ଏକ ନୂଆ ଇତିହାସ ସୃଷ୍ଟି କରିଛି । ବାକି ୪ ରାଜ୍ୟ ବିଜେପିର ରଙ୍ଗରେ ଗେରୁଆମୟ ହୋଇଛି ରାଜନୀତି । ଉତ୍ତର ପ୍ରଦେଶର ୪୦୩ ଆସନରୁ ବିଜେପି ୨୫୫ଟି ପାଇଛି । ୨୦୧୭ରେ ଦଳ ଏଠାରେ ଏକାକୀ ୩୧୨ ଆସନରେ ବିଜୟୀ ହୋଇଥିଲେ । ପୂର୍ବଥର ତୁଳନାରେ ବିଜେପି ମେଣ୍ଟର ଆସନ କିମିଛି । ତଥାପି ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ୱର ୨୦୨କୁ ଅତିକ୍ରମ କରିପାରିଛି । ବିଜେପିକୁ କଡ଼ା ଟକ୍କର ଦେବାକୁ ଅଣ୍ଟା ଭିଡ଼ିଥିବା ସମାଜବାଦୀ ପାର୍ଟିର ଆସନ ସଂଖ୍ୟା ୨୦୧୭ ଅପେକ୍ଷା ବଢ଼ିଛି । କିନ୍ତୁ ସରକାର ଗଠନ ପାଇଁ ଦଳ ଆବଶ୍ୟକ ସଂଖ୍ୟା ହାସଲ କରିପାରି ନାହିଁ । ସପା ୧୧୧ଟିରେ ଜିତିଥିବା ବେଳେ ମାୟାବତୀଙ୍କ ବିଏସପି ଗୋଟିଏ ଆସନ ପାଇଛି । କଂଗ୍ରେସ ୨ଟି ଆସନରେ ସୀମିତ ରହିଛି । ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ୨ଟି ଆସନ ଯାଇଛି । ବିଜେପି ଉତ୍ତର ପ୍ରଦେଶରେ ସରକାର ଗଠନ କରିବାକୁ ଯାଉଥିବାରୁ ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ।ପଞ୍ଜାବରେ ଆପ୍ ତା’ର ଯାଦୁ ଦେଖାଇଛି । କଂଗ୍ରେସକୁ ମାତ୍ ଦେଇ ଆପ୍ ଦଖଲ କରିଛି କ୍ଷମତା । ୧୧୭ ବିଧାନସଭା ଆସନରୁ ଆପ୍ ୯୨ଟି ଜିତିଥିବା ବେଳେ କଂଗ୍ରେସ ୧୮ଟି, ବିଜେପି ମେଣ୍ଟ, ଅକାଳୀ ଦଳ ୪ଟି ଓ ଅନ୍ୟାନ୍ୟ ଦଳ ଖାତାକୁ ଗୋଟିଏ ଆସନ ଯାଇଛି । ଆପ୍ ଜିତିଥିବାରୁ ଭଗୱନ୍ତ ମାନ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଗୋଆରେ ସରକାର ଗଠନ କରିବାକୁ କୌଣସି ରାଜନୀତିକ ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ । ରାଜ୍ୟର ୪୦ ବିଧାନସଭା ଆସନରୁ କ୍ଷମତାସୀନ ବିଜେପି ସର୍ବାଧିକ ୨୦ଟି ଆସନ ଜିତିଛି । ହେଲେ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୧ । ବିଜେପି ପଛକୁ କଂଗ୍ରେସ ୧୨ଟି ଆସନ ଜିତିଥିବା ବେଳେ ଆପ୍ ଓ ଏମଏଜି ୨ଟି ଲେଖାଏ ଆସନ ଦଖଲ କରିଛନ୍ତି । ପ୍ରମୋଦ ସାୱନ୍ତ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କି ନାହିଁ, ତା’ର ନିଷ୍ପତ୍ତି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ ।
ଉତ୍ତରାଖଣ୍ଡରେ ବିଜେପିକୁ ସ୍ପଷ୍ଟ ବହୁତ ମିଳିଛି । ଉତ୍ତରାଖଣ୍ଡର ୭୦ଟି ଆସନରୁ ବିଜେପି ୪୭ଟିରେ ଜିତିଛି ।୨୦୧୭ରେ ଦଳ ଏଠାରେ ୫୭ଟି ଆସନ ଜିତିଥିଲା । ବିଜେପିର ଆସନ ସଂଖ୍ୟା କମିଥିଲେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୩୬କୁ ବେଶ ସହଜରେ ହାସଲ କରିନେଇଛି । କଂଗ୍ରେସ ୧୯ଟି ଆସନ ଜିତିଥିବା ବେଳେ ଅନ୍ୟାନ୍ୟ ଦଳ ୪ଟି ଆସନରେ ବାଜିମାତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରାସ୍ତ ହେବା ପରେ ସେଠି କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଅନିଶ୍ଚିତ ହୋଇପଡ଼ିଛି । ମଣିପୁରରେ ମଧ୍ୟ ବୀରେନ ସିଂହ ପୁଣି ମୁଖ୍ୟମନ୍ତ୍ରୀ ହେବେ । ଏଠାରେ ବିଜେପି ସରକାର ଗଠନ କରିବ । ରାଜ୍ୟର ୬୦ ଆସନରୁ ବିଜେପି ୩୨ଟିରେ ଜିତିଛି । ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୨୧ । କଂଗ୍ରେସ ମାତ୍ର ୫ଟି ଆସନ ଜିତିଥିବା ବେଳେ ନ୍ୟାଶନାଲ ପିପୁଲ୍ସ ପାର୍ଟି ଓ ନାଗା ପିପୁଲ୍ସ ପ୍ରଣ୍ଡ ମିଳିତ ଭାବେ ୧୨ଟି ଆସନ ଜିତିଛନ୍ତି । ଏହିଭଳି ଦେଖିବାକୁ ଗଲେ ବିଧାନସଭା ନିର୍ବାଚନ ଫଳ ପୂରାପୂରି ବିଜେ ସପକ୍ଷରେ ଯାଇଛି । ଏହାକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଟ୍ରେଲର ବୋଲି କୁହାଯାଉଛି ଯାହାକି ଅନେକ ମାତ୍ରାରେ ସତ ।

Leave A Reply

Your email address will not be published.