ଚମଡ଼ା ଗୋଦାମରେ ଲିଭୁନି ନିଆଁ : ତଦନ୍ତ ପାଇଁ ନିର୍ଦ୍ଦେଶ

0 56

କୋଲକାତା: ୧୨ ଘଣ୍ଟା ପରେ ବି ଲିଭୁନି ନିଆଁ। କୋଲକାତା ଟାଙ୍ଗରା ଅଞ୍ଚଳରେ ଏକ ଚମଡ଼ା ଗୋଦାମରେ ଲାଗି ଥିବା ନିଆଁ ଏଯାଏଁ ଆୟତ୍ତ ହୋଇ ପାରିନାହିଁ। ୧୫ଟି ଦମକଳ ଗାଡ଼ି ଲଗାତାର ଭାବେ ଗତକାଲି ରାତିରୁ ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ ବି ନିଆଁ ସଂପୂର୍ଣ୍ଣ ଆୟତ୍ତକୁ ଆସିନାହିଁ। ସେପଟେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବା ଦୁଇ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏହି ନିଆଁ କିଭଳି ଲାଗିଲା ସେ ନେଇ ତଦନ୍ତ ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ସାନ୍ଧ୍ୟା ପ୍ରାୟ ୬ଟା ୩୦ରେ ଏହି ନିଆଁ ଲାଗିଥିଲା। ସ୍ଥାନୀୟ ମେହେର ଅଲ୍ଲୀ ଲେନରେ ଥିବା ଏକ ଚମଡ଼ା ଗୋଦାମ ଭିତରେ ଅଚାନକ ନିଆଁ ଲାଗି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ନିଆଁ ଉଗ୍ର ରୂପ ଧାରଣ କରି ମାଡ଼ି ଚାଲିଥିବା ପରେ ଘଟଣାସ୍ଥଳରେ ୧୫ଟି ଦମକଳ ଗାଡ଼ି ପହଞ୍ଚିଥିଲା। ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିବାରୁ ବିଶେଷ ଜନ ଜୀବନ କ୍ଷତି ହୋଇନାହିଁ। ଏବେ ବି ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡରେ ଗୋଦାମଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।

Leave A Reply

Your email address will not be published.