ରାଜ୍ୟସଭା ସଂଖ୍ୟା

0 62

ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟ ଲୋକସଭା ଓ ରାଜ୍ୟସଭାର ସମାନ ଗୁରୁତ୍ୱ ରହିଆସିଛି । ଯେକୌଣସି ବିଲ୍ ଲୋକସଭାରେ ପାରିତ ହେବା ପରେ ରାଜ୍ୟସଭାର ଅନୁମୋଦନ ଆବଶ୍ୟକ ହୋଇଥାଏ । ଏହି ଦୃଷ୍ଟିରୁ କ୍ଷମତାରେ ଥିବା ସରକାର ପାଇଁ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ଦରକାର ହୁଏ । ଏନଡିଏ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟସଭାରେ ତାର ସଂଖ୍ୟାକୁ ନେଇ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲା । ଏବେ ତାହା ଆଂଶିକ ଭାବେ ଦୂର ହୋଇଛି ।ବିଜେପି ତାର ରାଜନୀତିକ ଇତିହାସରେ ଏକ ବଡ଼ ଉପଲବ୍ଧି ହାସଲ କରିଛି । ରାଜ୍ୟସଭାରେ ପ୍ରଥମଥର ପାଇଁ ଦଳର ସାଂସଦଙ୍କ ସଂଖ୍ୟା ୧୦୦ ଛୁଇଁଛି । ଗୁରୁବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ବିଜେପି ଆସାମ, ତ୍ରିପୁରା ଓ ନାଗାଲାଣ୍ଡର ଗୋଟିଏ ଲେଖାଏ ରାଜ୍ୟସଭା ଆସନ ଜିତିବା ପରେ ବିଜେପି ଏହି ଗୌରବ ଅର୍ଜନ କରିଛି । ନିକଟରେ ୬ଟି ରାଜ୍ୟର ୧୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା । ବିଜେପି ପଞ୍ଜାବର କୌଣସି ରାଜ୍ୟସଭା ଆସନ ଦଖଲ କରିବାକୁ ସକ୍ଷମ ହୋଇନି । କିନ୍ତୁ ୩ ଉତ୍ତରପୂର୍ବ ରାଜ୍ୟରେ ୩ଟି ଆସ ଜିତିଛି । ସେହିପରି ହିମାଚଳ ପ୍ରଦେଶର ସମସ୍ତ ୫ ରାଜ୍ୟସଭା ସଦସ୍ୟ ବିଜେପି କୁ ଯାଇଛି କାରଣ ହିମାଚଳ ପ୍ରଦେଶରେ ବିଜେପି କ୍ଷମତାରେ ରହିଛି । ପଞ୍ଜାବର ସମସ୍ତ ୫ ରାଜ୍ୟସଭା ଆସନ କିନ୍ତୁ ଆମ ଆଦମୀ ପାର୍ଟି ଖାତାକୁ ଯାଇଛି । ଉଲ୍ଲେଖଯୋଗ୍ୟ ଯେ, କ୍ଷମତାକୁ ଏନଡିଏ ଆସିବା ପରେ ୨୦୧୪ରେ ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ମାତ୍ର ୫୫ ଥିଲା । ହେଲେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଦଳ ବିଜୟ ବାନା ଉଡ଼ାଇ ରାଜ୍ୟସଭାରେ ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ଲାଗିଛି । ପୂର୍ବରୁ କଂଗ୍ରେସର ୧୦୮ ଜଣ ସାଂସଦ ରାଜ୍ୟସଭାରେ ରହିଥିଲେ । ତେବେ ପରବର୍ତ୍ତୀ ଅବସ୍ଥାରେ ଦଳ ଗୋଟିଏ ପରେ ଗୋଟିଏ ରାଜ୍ୟ ହାରିଥିଲା ଓ ରାଜ୍ୟସଭା ସଦସ୍ୟଙ୍କ ସଂଖ୍ୟା ମଧ୍ୟ ସେହି ଅନୁସାରେ ହ୍ରାସ ପାଇଥିଲା ।
ରାଜ୍ୟସଭାର ୨୪୫ ଆସନ ଭିତରୁ ଶାସକ ବିଜେପି ପଛରେ ସଂଖ୍ୟା ଗରିଷ୍ଠତା ନଥିବା ସତ୍ତେ୍ୱ୍ୱ ବିଭିନ୍ନ ବିଲ ପାସ ସମୟରେ ପ୍ରଧାମନ୍ତ୍ରୀ ମୋଦୀ ସମର୍ଥନ ଯୋଗାଡ଼ କରିଆସିଛନ୍ତି । କିନ୍ତୁ ଏହି ସ୍ଥିତି ଆଗକୁ ରହିବା ଅସମ୍ଭବ କାରଣ ରାଜ୍ୟସଭାର ଆଉ ୫୨ଟି ଆସନ ପାଇଁ ଖୁବ ଶୀଘ୍ର ନିର୍ବାଚନ ଅନୁଷ୍ଠିତ ହେବ । ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଓ ରାଜସ୍ଥାନରେ ଅନ୍ୟ ଦଳର ସରକାର ଥିବାରୁ ସେହି ସବୁ ଆସନ ବିଜେପିକୁ ମିଳିବ ନାହିଁ । ଅବଶ୍ୟ ଉତ୍ତର ପ୍ରଦେଶରୁ ପ୍ରାୟ ଆଠଟି ଆସନ ବିଜେପିକୁ ଯିବ । କିନ୍ତୁ ଏହା କ୍ଷତିର ଭରଣା କରିପାରିବ କି ନାହିଁ ତାହା ଲକ୍ଷ୍ୟ କରିବାର ବିଷୟ ।

Leave A Reply

Your email address will not be published.