ସଙ୍କୁଚିତ ସ୍ୱାଧୀନତା

0 60

ଗଣମାଧ୍ୟମକୁ କୁହାଯାଏ ସମାଜର ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ସବୁବେଳେ ନିରପେକ୍ଷ ଓ ସ୍ୱାଧୀନ ଭାବେ କାମ କରିବା ଉଚିତ । ବିଶେଷ କରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଭାରତରେ ପ୍ରେସ ସ୍ୱାଧୀନତା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ସରକାରଙ୍କ ବିରୋଧରେ ଖବର ପ୍ରସାରଣ କଲେ ସାମ୍ବାଦିକମାନଙ୍କୁ ବିଭିନ୍ନ ମାମଲାରେ ଫସାଇ ଦିଆଯାଉଛି । ସରକାରଙ୍କ ଚାଟୁକାରିତା କରୁଥିବା ସାମ୍ବାଦିକମାନଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ମଧ୍ୟ ମିଳୁଛି । ଏଥିଯୋଗୁ ଭାରତର ଛବି ମଧ୍ୟ ବିଶ୍ୱ ଦରବାରରେ ମଳିନ ପଡ଼ିବାରେ ଲାଗିଛି । ଏହାର ପ୍ରତିଫଳନ ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ଦେଖିବାକୁ ମିଳିଛି । ସୂଚକାଙ୍କରେ ଭାରତର ସ୍ଥାନ ଗତବର୍ଷ ଅପେକ୍ଷା ଏବର୍ଷ ଆହୁରି ତଳକୁ ଖସିଛି । ଗତବର୍ଷ ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ମୋଟ ୧୮୦ ଦେଶ ମଧ୍ୟରେ ଭାରତର ସ୍ଥାନ ୧୪୨ତମ ସ୍ଥାନରେ ଥିଲା । ହେଲେ ଏବେ ଭାରତ ଆହୁରି ୮ଟି ସ୍ଥାନ ତଳକୁ ଖସି ୧୫୦ତମ ସ୍ଥାନରେ ପହଞ୍ଚି ଯାଇଛି । ପ୍ରେସ ସ୍ୱାଧୀନତା ଭାରତରେ ହ୍ରାସ ପାଉଥିବାରୁ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭ ସଙ୍କେତ ନୁହେଁ । ଆରଏସଏଫ ୨୦୨୨ ବିଶ୍ୱ ପ୍ରେସ ସ୍ୱାଧୀନତା ରିପୋର୍ଟରେ କୁହାଯାଇଛି ଯେ ଭାରତର ପଡ଼ୋଶୀ ନେପାଳକୁ ଛାଡ଼ି ଦେଲେ ଆଉ ସବୁ ଦେଶ ଏହି ତାଲିକାରେ ତଳକୁ ଖସିଛନ୍ତି । ପାକିସ୍ତାନ ତାଲିକାର ୧୫୭ତମ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୧୪୬, ବାଂଲାଦେଶ ୧୬୨ ଓ ମିଆଁମାର ୧୭୬ତମ ସ୍ଥାନରେ ରହିଛି । କିନ୍ତୁ ନେପାଳରେ ପ୍ରେସ ସ୍ୱାଧୀନତାରେ ଉନ୍ନତି ଆସିଛି । ବର୍ଷକ ମଧ୍ୟରେ ଦେଶ ୩୦ ପଏଣ୍ଟ ହାସଲ କରି ତାଲିକାର ୭୬ତମ ସ୍ଥାନରେ ପହଞ୍ଚିଛି । ବିଶ୍ୱ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ନରୱେ ୧ନଂ ସ୍ଥାନରେ ରହିଛି । ଦ୍ୱିତୀୟରେ ଡେନମାର୍କ, ତୃତୀୟରେ ସ୍ୱିଡେନ, ୪ର୍ଥରେ ଇଷ୍ଟୋନିଆ ଓ ୫ମରେ ଫିନଲ୍ୟାଣ୍ଡ ରହିଛି । ଏହି ସବୁ ଦେଶରେ ସାମ୍ବାଦିକମାନେ ବିନା କୌଣସି ଚାପ ଓ ଭୟରେ କାମ କରିବାକୁ ସକ୍ଷମ ହେଉଛନ୍ତି । ତାଲିକାର ସବୁଠାରୁ ଶେଷରେ ଅର୍ଥାତ ୧୮୦ତମ ସ୍ଥାନରେ କିମ ଜଙ୍ଗ ଉନ୍ଙ୍କ ଉତ୍ତର କୋରିଆ ରହିଛି । ଗଣମାଧ୍ୟମ ସବୁବେଳେ ଲୋକଙ୍କ ସ୍ୱାର୍ଥକୁ ନେଇ କାମ କରୁଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି । ଆଗାମୀ ଦିନରେ ବି ଏହା ଆହୁରି ଅଧିକ ଅବନତି ଘଟିବାର ସମ୍ଭାବନା ରହିଛି । ନିଜ ଦେଶରେ ପ୍ରେସ ସ୍ୱାଧୀନତା ହ୍ରାସ ପାଉଥିବା ୪୦ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ।ୟୁନସ୍କୋ ଏବଂ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଜର୍ଣ୍ଣାଲିଷ୍ଟ (ଆଇସିଏଫଜେ)ର ତଥ୍ୟ କହୁଛି ମହିଳା ସାମ୍ବାଦିକଙ୍କ ସ୍ଥିତି ସବୁଠାରୁ ଖରାପ ରହିଛି । କାମ କରିବା ସମୟରେ ଅନେକ ଅନଲାଇନ ହିଂସାର ଶିକାର ହେବାକୁ ପଡୁଥିବା ୭୩ ପ୍ରତିଶତ ମତ ଦେଇଛନ୍ତି । ୨୫ ପ୍ରତିଶତଙ୍କୁ ଶାରିରୀକ କ୍ଷତି ପହଞ୍ଚାଇବା ବେଳେ ୧୮ ପ୍ରତିଶତଙ୍କୁ ଯୌନ ଉତ୍ପୀଡନର ଧମକ ଦିଆଯାଇଛି ।
ରିପୋର୍ଟସ ଉଇଦାଉଟ ବର୍ଡର୍ସ ଓ ଅନ୍ୟ ୯ଟି ମାନବାଧିକାର ସଂଗଠନ ଭାରତୀୟ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ପରାମର୍ଶ ଦେଇ କହିଛନ୍ତି ଯେ ଅଧିକାରୀମାନେ ସାମ୍ବାଦିକମାନଙ୍କୁ ଟାର୍ଗେଟ କରିବା ବନ୍ଦ କରନ୍ତୁ । ତାଛଡ଼ା ଅନଲାଇନ ସମାଲୋଚକଙ୍କୁ ମଧ୍ୟ ସେମାନଙ୍କ କାମରୁ ବିରତ କରନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି । ବିଶେଷ କରି ଭାରତୀୟ ଅଧିକାରୀମାନେ ସାମ୍ବାଦିକ ଓ ଅନଲାଇନ କ୍ରିଟିକ୍ସଙ୍କ ବିରୋଧରେ ଆତଙ୍କବାଦ ନିରୋଧ ଆଇନ ଓ ଦେଶଦ୍ରୋହ ଭଳି ମାମଲା ବନ୍ଦ କରନ୍ତୁ ।

Leave A Reply

Your email address will not be published.