ଖାଦ୍ୟ ସଙ୍କଟ

0 73

ବିଶ୍ୱ ବର୍ତ୍ତମାନ ବିପଦର ଦ୍ୱାର ଦେଶରେ । କରୋନା ପରେ ଆଉ ତିନିଟି ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି । ମଙ୍କିପକ୍ସ ଭଳି ଭୂତାଣୁ ଭୟ ଯୋଗୁଁ ଦିନକୁ ଦିନ ଆଶଙ୍କା ବୃଦ୍ଧି ପାଉଛି । ଆମେରିକା ଜର୍ଜଟାଉନ ୟୁନିଭର୍ସିଟିର ନୂଆ ଗବେଷଣା ଅନୁସାରେ, ୨୦୭୦ ସୁଦ୍ଧା ବିଶ୍ୱ ହଜାର ହଜାର ସଂଖ୍ୟକ ମହାମାରୀର ଶିକାର ହେବ । ଏହି ସମୟ ଭିତରେ ଅତି କମରେ ୧୫ ହଜାର ଭୂତାଣୁ ପଶୁଙ୍କଠାରୁ ମଣିଷକୁ କବଳିତ କରିବାର ସମ୍ଭାବନା ରହିଛି ବୋଲି ଏହି ଗବେଷଣା କହୁଛି । \”ନେଚର ଜର୍ଣ୍ଣାଲ\’ରେ ପ୍ରକାଶିତ ଏହି ଅଧ୍ୟୟନ ଅନୁଯାୟୀ, ଆସନ୍ତା ୫୦ ବର୍ଷ ଭିତରେ ଏସିଆ ଏବଂ ଆଫ୍ରିକାରେ ମହାମାରୀ ବ୍ୟପିବାର ଅଧିକ ସମ୍ଭାବନା ରହିଛି । ଉଲ୍ଲେଖ କରାଯାଇପାରେ ଯେ, ପୂର୍ବରୁ ଫ୍ଲୁ, ଏଚଆଇଭି, ଇବୋଲା ଏବଂ କରୋନା ଭଳି ମହାମାରୀର ଲୋକଙ୍କୁ ଘୋର ବିପଦରେ ପକାଇଛି । । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଯଦି ଆଗାମୀ ୫୦ ବର୍ଷରେ ପୃଥିବୀର ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ ଯାହା ଫଳରେ କି ୩ ହଜାରରୁ ଅଧିକ ସ୍ତନ୍ୟପାୟୀ ପ୍ରାଣୀ ସ୍ଥାନାନ୍ତରିତ ହେବାକୁ ବାଧ୍ୟ ହେବେ । ଏହି କାରଣରୁ ଭୂତାଣୁ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବ ଏବଂ ଅନ୍ୟ ପଶୁମାନଙ୍କ ପାଖରୁ ଏହା ମଣିଷକୁ ସଂକ୍ରମଣ କରିବ । ତଥ୍ୟ ଅନୁସାରେ, ମଣିଷକୁ ସଂକ୍ରମଣ କରିବା ଭଳି ପାଖାପାଖି ୧୦ ହଜାର ଭୂତାଣୁ ପଶୁଙ୍କ ଠାରେ ରହିଛି । ଏହା କରୋନା ଭଳି ମାହାମାରୀରେ ମଧ୍ୟ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୭୦ ସୁଦ୍ଧା କେବଳ ସ୍ତନ୍ୟପାୟୀ ପ୍ରାଣୀଙ୍କ ଠାରୁ ୪ ହଜାର ଭୂତାଣୁ ବ୍ୟାପିବ । ବାଦୁଡି ଠାରୁ ଅଧିକ ଭୂତାଣୁ ବ୍ୟାପିପାରେ । କାରଣ ଏହି ପକ୍ଷୀ ସବୁ ପକ୍ଷୀଙ୍କ ଅପେକ୍ଷା ଅଧିକ ଦୂର ପର୍ଯ୍ୟନ୍ତ ଉଡିପାରନ୍ତି । ଅଧ୍ୟୟନରେ ସାମିଲ ବୈଜ୍ଞାନିକଙ୍କ କହିବା କଥା ଯେ, ଭବିଷ୍ୟତର ମହାମାରୀରୁ ବଞ୍ଚିବାକୁ ହେଲେ ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେବ କାରଣ ଜଳବାୟୁ ପରବର୍ତ୍ତନ ଏବଂ ଭୂତାଣୁ ସଂକ୍ରମଣ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଏଥିପାଇଁ ଗ୍ରୀନ ହାଉସ୍ ଗ୍ୟାସ୍ ଏବଂ ଇନ୍ଧନ ବ୍ୟବହାରକୁ କମ କରିବା ନିହାତି ଜରୁରୀ । ନିକଟରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ରିପୋର୍ଟ ପ୍ରକାଶ କରିଛି ଜାତିସଂଘ । ଏଥିରେ କେବଳ ମହାମାରୀ ନୁହେଁ ଭବିଷ୍ୟତରେ ବିଶ୍ୱକୁ ହଜାର ହଜାର ସଂଖ୍ୟାରେ ପ୍ରାକୃତିକ ବିପର୍ଯ୍ୟୟ ମାଡି ଆସିବ ବୋଲି ଆକଳନ କରାଯାଇଛି ।
ପରିବେଶ ଉପରେ ଜଳବାୟୁ ପରିବର୍ତ୍ତନ ଗୁରୁତର ପ୍ରଭାବ ପକାଇଥାଏ ଏହା କହିବା ଅନାବଶ୍ୟକ । ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଓ ପ୍ରଦୂଷଣ ଯୋଗୁଁ ଅଦିନିଆ ବର୍ଷା, ବାତ୍ୟା ଓ ମରୁଡିର ହାହାକାର ଦେଖିବାକୁ ମିଳୁଛି । ଫଳରେ ପ୍ରଭାବିତ ହୋଇଛି କୃଷିକ୍ଷେତ୍ର । ପୂର୍ବ ଅପେକ୍ଷା ହ୍ରାସ ପାଇଛି ଅମଳ ପରିମାଣ । ବିଶ୍ୱର ଅନେକ ରାଷ୍ଟ୍ର ଏବେ ଖାଦ୍ୟାଭାବ ଦେଇ ଗତି କରୁଛନ୍ତି । ଜର୍ଜଟାଉନ ବିଶ୍ୱବିଦ୍ୟାଳୟର ଉପରୋକ୍ତ ଅଧ୍ୟୟନରେ ବିବ୍ରତ ହେବାର କୌଣସି କାରଣ ନାହିଁ ଏଥିପାଇଁ ଯେ ଯେତେବେଳ ଯେଉଁ ପ୍ରକାର ବିପଦ ଆସିଛି ମଣିଷ ସମାଜ ତାହାକୁ ମୁକାବିଲା କରିବାରେ ସମର୍ଥ ହୋଇଛି ।

Leave A Reply

Your email address will not be published.