ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ | ଏଣିକି ବିଧାନସଭା ସମ୍ଭାଳିବେ ବିକ୍ରମ ଆରୁଖ ||

0 59

ଭୁବନେଶ୍ୱର: ୨୪ତମ ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ । ଗୃହରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ ନାମ ଘୋଷଣା କଲେ ଉପବାଚସ୍ପତି ରଜନୀକାନ୍ତ ସିଂ । ଗୃହରେ ବିକ୍ରମ ଆରୁଖଙ୍କ ନାମ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହି ଅବସରରେ ପଦମର୍ଯ୍ୟାଦା ରକ୍ଷା ସହ ଗୃହ ସୁପରିଚାଳନା କରିବାକୁ ପ୍ରୟାସ କରିବି ବୋଲି କହିଛନ୍ତି ଆରୁଖ । ସମସ୍ତ ଶାସକ ଓ ବିରୋଧୀ ଦଳ ନେତାଙ୍କୁ ଆରୁଖ ଧନ୍ୟବାଦ ଜଣାଇଛନ୍ତି । ନୂଆ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୧୯୯୫ ମସିହାରୁ ଲଗାତାର ଭାବେ ଭଞ୍ଜନଗରରୁବିଧାନସଭାକୁ ନିର୍ବାଚିତ ହୋଇଆସୁଛନ୍ତି ବିକ୍ରମ କେଶରୀ ଆରୁଖ । ୨୦୦୮ ମସିହାରେ ସରକାରୀ ଦଳ ମୁଖ୍ୟ ସଚେତକ ଓ ୨୦୦୯ ମସିହାରୁ ୧୩ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଆଇନ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ, ସଂସଦୀୟ ବ୍ୟାପାର ପରି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇ ସାରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରୀ ଆରୁଖଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପବିତ୍ର ଗୃହର ଗାରିମା ଅକ୍ଷୁଣ୍ଣ ରଖିବା ସହ ସାମ୍ବିଧାନିକ ପଦମର୍ଯ୍ୟାଦା ପ୍ରତି ସମ୍ମାନ ରଖି ତାଙ୍କ ଉତ୍ତମ ଗୃହ ପରିଚାଳନା ଗଣତନ୍ତ୍ରକୁ ଆହୁରି ମଜଭୂତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.