ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ କାଠମାଣ୍ଡୁକୁ ଉଡ଼ିବ ବିମାନ

0 81

ଭୁବନେଶ୍ୱର: ଭୁବନେଶ୍ୱରରୁ କାଠମାଣ୍ଡୁକୁ ଉଡ଼ିବ ବିମାନ । ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱର ଓ ନେପାଳ ରାଜଧାନୀ କାଠମାଣ୍ଡୁ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବା ଯୁକ୍ତିଯୁକ୍ତ । ଏଥିପାଇଁ ମନ୍ତ୍ରାଳୟ ପ୍ରସ୍ତୁତ ଅଛି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି । ତେବେ ଏହା ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ ବ୍ୟାପାର ହୋଇଥିବାରୁ ବିମାନ ସେବା ଆରମ୍ଭ ପାଇଁ କୌଣସି ଏୟାରଲାଇନ୍ସ ସହମତି ପ୍ରକାଶ କରିବା ଆବଶ୍ୟକ । ତେଣୁ ଭୁବନେଶ୍ୱର-କାଠମାଣ୍ଡୁ ମଧ୍ୟରେ ବିମାନ ସେବା ଆରମ୍ଭ ଲାଗି କିଛି ପ୍ରମୁଖ ବିମାନ କମ୍ପାନୀଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଶ୍ରୀ ସିନ୍ଧିଆ ଲିଖିତ ଭାବେ ଜଣାଇଛନ୍ତି । ବିମାନ ଚଳାଚଳ କମ୍ପାନୀର ସହମତି ପରେ ମନ୍ତ୍ରାଳୟ ପକ୍ଷରୁ ଅନୁମତି ଦେବାରେ ସମସ୍ୟା ନାହିଁ ବୋଲି ଶ୍ରୀ ସିନ୍ଧିଆ ଜଣାଇଛନ୍ତି । ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକ ଗତମାସ ୨୯ ତାରିଖରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପତ୍ର ଲେଖି ଭୁବନେଶ୍ୱର ଓ କାଠମାଣ୍ଡୁ ମଧ୍ୟରେ ବିମାନ ସେବା ଆରମ୍ଭ ପାଇଁ ପ୍ରସ୍ତାବ ଦେଇଥିଲେ । ଅନେକ ଛାତ୍ରଛାତ୍ରୀ ଓଡ଼ିଶାରେ ରହି ପାଠ ପଢୁଛନ୍ତି । ଅନେକ ନେପାଳୀ ଲୋକ ଓଡ଼ିଶାରେ ରହୁଛନ୍ତି । ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କ ରହିଛି । ତେଣୁ ଭୁବନେଶ୍ୱର ଓ କାଠମାଣ୍ଡୁ ମଧ୍ୟରେ ବିମାନ ସେବା ଆରମ୍ଭ କରାଯିବା ଆବଶ୍ୟକ ବୋଲି ଡ଼ ପଟ୍ଟନାୟକ ଦର୍ଶାଇଥିଲେ ।

Leave A Reply

Your email address will not be published.