ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

0 77

ମୁମ୍ବାଇ,୩୦/୬ : ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ହାର ମାନି ନେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ସୁପ୍ରିମକୋର୍ଟ ଆସ୍ଥା ଭୋଟ ବା ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବାକୁ ମନା କରିବା କ୍ଷଣୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ଫେସବୁକ ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ପଦ ଛାଡ଼ୁଥିବା କଥା କହିଛନ୍ତି । ଉଦ୍ଧବ ଠାକରେଙ୍କ ଇସ୍ତଫା ସହ ମହାରାଷ୍ଟ୍ରରେ ଚାଲିଥିବା ମହା ବିକାଶ ଅଘାଡ଼ି(ଏମଭିଏ) ସରକାରର ପତନ ଘଟିଛି । ଏହି ମେଣ୍ଟ ସରକାରରେ ଶିବସେନା, ଏନସିପି ଓ କଂଗ୍ରେସ ରହିଥିଲେ । ତେବେ ଶିବସେନାର ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବାକୁ ଏମଭିଏ ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଥିଲା । ଏବେ ଏହି ସଙ୍କଟକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି । ଆଜି ମଧ୍ୟାହ୍ନରେ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ତାଙ୍କୁ ଗୁରୁବାର ଦିନ ୧୧.୦୫ ସୁଦ୍ଧା ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଶିବସେନାର ମୁଖ୍ୟ ସଚେତନ ସୁନୀଲ ପ୍ରଭୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟ ସବୁ ପକ୍ଷଙ୍କ ଯୁକ୍ତି ପ୍ରାୟ ୩ ଘଣ୍ଟା ୨୭ ମିନିଟ ଯାଏ ଶୁଣିବା ପରେ ଶିବସେନାର ଆବେଦନକୁ ଖାରଜ କରିଥିଲେ । ଏହାର ଅର୍ଥ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କାଏମ ରଖିଥିଲେ । ଏହି ରାୟ ପରେ ଶାସନ କରିବାକୁ ସଂଖ୍ୟା ହରାଇ ସାରିଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଫେସବୁକରେ ଲାଇଭ ଆସି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ । ଏହି ସମୟରେ ସେ କହିଛନ୍ତି, ସମର୍ଥନ ପାଇଁ ଏନସିପି ସୁପ୍ରିମୋ ଶରଦ ପାୱାର ଓ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ । ଦୀର୍ଘ ଅଢ଼େଇ ବର୍ଷ କାଳ ସେମାନଙ୍କ ସମର୍ଥନରେ ଏମଭିଏ ସରକାର ରାଜ୍ୟରେ ଅନେକ ଭଲ କାମ କରିଛି । ତେବେ ନିଜ ଲୋକଙ୍କ ବିଦ୍ରୋହ ଯୋଗୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛନ୍ତି ।ଅନ୍ୟପକ୍ଷରେ ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟ ପାଇଁ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏହାର ଅର୍ଥ ଆସନ୍ତାକାଲି ଦିନ ୧୧ଟା ବେଳକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ରାଜ୍ୟପାଳ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଆଜି ସକାଳେ ଉଦ୍ଧବ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ଶିବସେନାର ମୁଖ୍ୟ ସଚେତନ ସୁନୀଲ ପ୍ରଭୁ ସୁପ୍ରିମକୋର୍ଟଙ୍କ ଦ୍‌ୱାରସ୍ଥ ହୋଇଥିଲେ । ଏହାର ଶୁଣାଣି ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇ ରାତି ୮.୨୭ ଯାଏ ଚାଲିଥିଲେ । ଏହାପରେ ରାତି ପ୍ରାୟ ୯.୧୫ରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜେବି ପରଡିୱାଲାଙ୍କ ଖଣ୍ଡପୀଠ ଉଭୟ ପକ୍ଷଙ୍କୁ ଶୁଣିବା ପରେ କହିଛନ୍ତି ଯେ ଆମେ ଆସନ୍ତାକାଲି ହେବାକୁ ଥିବା ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବୁ ନାହିଁ । ଆମେ ନୋଟିସ କରୁଛୁ । ଆପଣମାନେ ଚାହିଁଲେ କାଉଣ୍ଟର ଆବେଦନ କରିପାରିବେ ।

Leave A Reply

Your email address will not be published.