ଆଜି ରତ୍ନବେଦୀକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି

0 77

ପୁରୀ, ୮ା୭(ଡିକେ ନ୍ୟୁଜ): ରାତି ପାହିଲେ ଜନ୍ମବେଦୀ ଛାଡି ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ । ଆଜି ଆଡପ ମଣ୍ଡପରେ ଶେଷ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ସଂଧ୍ୟା ଦର୍ଶନ ଯୋଗୁଁ ଆଜି ଗୁଣ୍ଡିଚା ମନ୍ଦିରରେ ଭକ୍ତ-ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା । ଅପରାହ୍ନ ୪ଟା ପରେ ଦର୍ଶନ ବନ୍ଦ ନିଷ୍ପତ୍ତିପ୍ରଶାସନ ନେଇଥିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ଅବଧି ବଢାଯାଇଥିଲା । ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଲମ୍ବା ବ୍ୟାରିକେଡ଼ ହୋଇଥିଲା । ଆସନ୍ତାକାଲି ବାହୁଡା ଯାତ୍ରା ଥିବାରୁ ଆଜି ରାତିରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହେବ । ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ଦ୍ୱାର ଫିଟାଯାଇ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିଲା । ସକାଳୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । ଜିକ୍ ଜ୍ୟାକ ବ୍ୟାରିକେଡ଼ ଦେଇ ଶ୍ରଦ୍ଧାଳୁ ବ୍ୟାରିକେଡ଼ରେ ଦୀର୍ଘ ସମୟ ଅପେକ୍ଷା କରି ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ । ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପରେ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ଆଜି ଆଡ଼ପ ମଣ୍ଡପରେ ଶେଷ ଦର୍ଶନ ହୋଇଥିବାରୁ ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଥିଲା । ଖରା ଓ ଗୁଳୁଗୁଳି ସତ୍ତ୍ୱେ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ପ୍ରକାଶ ପାଇଥିଲା । ଆଜି ନବମୀ ସନ୍ଧ୍ୟା ଦର୍ଶନରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ନିଜକୁ କୃତାର୍ଥ ମନେ କରିଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ ସହ ସେଡ୍‌ର ବ୍ୟବସ୍ଥା ହୋଇଥିଲା । ସେହିପରି ଜାଗେଶ୍ୱରୀ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନଙ୍କୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା । ଆଡପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନର ସ୍ୱତନ୍ତ୍ରତା ରହିଛି । ବର୍ଷ ତମାମ ଶ୍ରୀମନ୍ଦିରରେ ଦର୍ଶନ କଲେ ଯେତିକି ପୁଣ୍ୟ ମିଳିଥାଏ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୁଣ୍ୟ ମିଳିଥାଏ । ବିଭିନ୍ନ ଶାସ୍ତ୍ର, ପୁରାଣରେ ବର୍ଣ୍ଣନା ଅନୁଯାୟୀ ନବମୀ ସନ୍ଧ୍ୟା ଦର୍ଶନ ଦିନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ କରି ଆଡ଼ପ ମଣ୍ଡପରେ ଦର୍ଶନ ଓ ବ୍ରାହ୍ମଣ ଭୋଜନ କରିଥିଲେ । ଏହା ଦ୍ୱାରା କୋଟି ଜନ୍ମର ପୁଣ୍ୟ ମିଳିଥାଏ । ଏହି କାରଣରୁ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ସମଗ୍ର ଗୁଣ୍ଡିଚା ମନ୍ଦିର ଓ ଶରଧାବାଲି ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିଲା । ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଅପରାହ୍ନ ୪ଟା ପରେ ଦର୍ଶନ ବନ୍ଦ ହେବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମ ଯୋଗୁ ଦର୍ଶନ ଅବଧି ବଢାଯାଇଥିଲା । ଆଜି ଶେଷ ଆଡପ ଅବଢା ହୋଇଥିବାରୁ ଭକ୍ତମାନେ ଟିକେ ଏହାକୁ ପାଇବା ପାଇଁ ବେଶ୍ ଗହଳି ପରିଲକ୍ଷିତ ହୋଇଥିଲା । ସେପଟେ ଆସନ୍ତାକାଲି ବାହୁଡ଼ାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ରାତିରେ ମହାପ୍ରଭୁଙ୍କ ସେନାପଟା ଲାଗି, ବାହୁଟକଣ୍ଟ ଓ କୁସୁମୀ ଲାଗି ଆଦି ସ୍ୱତନ୍ତ୍ର ନୀତିକାନ୍ତି କରାଯିବ । ଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆସନ୍ତାକାଲି ନୀଳକନ୍ଦରକୁ ବାହୁଡ଼ି ଯିବେ ମହାବାହୁ । ଏଥିପାଇଁ ରଥ ପ୍ରସ୍ତୁତ । ପଥ ମଧ୍ୟ ପ୍ରସ୍ତୁତ । ଅନ୍ୟପକ୍ଷରେଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୭୫ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦୦ ପୋଲିସ ଅଧିକାରୀ ମୁତୟନ ରହିବେ । ଆସନ୍ତାକାଲି ଭୋର ୪ଟାରେ ମଙ୍ଗଳ ଆଳତି, ଭୋର ୪.୧୫ରେ ମଇଲମ, ୪.୩୦ରେ ତଡ଼ପଲାଗି, ରୋଷହୋମ, ୫ଟାରେ ଅବକାଶ, ୫.୧୫ରେ ସୂର୍ଯ୍ୟପୂଜା, ୫.୩୦ରେ ଦ୍ୱାରପାଳ ପୂଜା, ବେଶ ଶେଷ ହୋଇ ସକାଳ ୫.୪୫ରୁ୬.୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟାରୁ ୧୧.୩୦ ସେନାପଟା ଲାଗି, ୧୧.୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ ୧ଟାରୁ ୨.୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨.୩୦ରୁ ୩.୩୦ ଛେରାପହଁରା, ଅପରାହ୍ନ ୩ ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ୪ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।

Leave A Reply

Your email address will not be published.