ପଦବୀ, କାମ ଏକା ହେଲେ ବି ସମାନ ହେବନି ଦରମା: ସୁପ୍ରିମକୋର୍ଟ

0 79

ନୂଆଦିଲ୍ଲୀ, ୧୦ା୭: ସମାନ ପୋଷ୍ଟ-ସମାନ ଦରମାକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ଏକ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କେବଳ ପଦବୀ ଏବଂ କାମ ସମାନ ହେବା ଯୋଗୁଁ କୌଣସି କର୍ମଚାରୀ ଅନ୍ୟ କର୍ମଚାରୀ ଭଳି ସମାନ ଦରମା ପାଇବାକୁ ଦାବି କରିପାରିବେ ନାହିଁ ବୋଲି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଜେକେ ମାହେଶ୍ୱରୀଙ୍କ ଖଣ୍ଡପୀଠ କହିଛନ୍ତି । ମଧ୍ୟପ୍ରଦେଶର ସୀମା ଶର୍ମାଙ୍କ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି । ଖଣ୍ଡପୀଠଙ୍କ ଅନୁଯାୟୀ କର୍ମଚାରୀଙ୍କୁ ସବୁ ପ୍ରକାରର ସମାନ ସ୍ଥିତିରେ ରଖାଯାଇଥିଲେ ହିଁ ସମାନ ଦରମା ନିୟମ କାର୍ଯ୍ୟକାରୀ ହୋଇପାରିବ । କେବଳ ପଦବୀ, କାର୍ଯ୍ୟ ଏବଂ କାମର ପ୍ରକୃତି ଏକା ଭଳି ହୋଇଥିଲେ ଦରମା ସମାନ କରାଯାଇପାରିବ ନାହିଁ । ଏହି ମାମଲା ଉଜୈନସ୍ଥିତ ଧନ୍ୱନ୍ତରୀ ଆର‌୍ୟୁବେଦିକ କଲେଜର ସୀମା ଶର୍ମାଙ୍କ ସମ୍ବନ୍ଧିତ । ତାଙ୍କୁ ଲାଇବ୍ରେରିଆନ ସହିତ ସଂଗ୍ରହାଳୟ ସହାୟକ ନିଯୁକ୍ତ କରାଯାଇଥିଲା । ସେବାର ୮ ବର୍ଷ ହେବାପରେ ସୀମା ଉଚ୍ଚଶିକ୍ଷା ବିଭାଗର କଲେଜ ଭଳି ଦରମା ଦେବାକୁ ଦାବି କରିଥିଲେ । ରାଜ୍ୟ ସରକାର ଏହାକୁ ଗ୍ରହଣ କରି ନ ଥିଲେ । ଏଥିପାଇଁ ସେ ମଧ୍ୟପ୍ରଦେଶ ଶିକ୍ଷା ସେବା (କଲେଜିଏଟ ଶାଖା) ନିଯୁକ୍ତି ନିୟମ, ୧୯୯୦ ଅନୁଯାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କୁ କଲେଜ ଭଳି ଦରମା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କେବଳ ପଦବୀ ଓ କାମରେ ସମାନତାକୁ ଆଧାର କରି ଜଣେ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ଭଳି ସମାନ ଦରମା ଦାବି କରିପାରିବେ ନାହିଁ । ସବୁ କ୍ଷେତ୍ରରେ ସମାନତା ରହିଥିଲେ ଜଣେ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ଭଳି ପେ-ସ୍କେଲ ଦରମା ଦାବି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Leave A Reply

Your email address will not be published.