ଶ୍ରୀଜୀଉଙ୍କୁ ଲାଗିହେଲା ଅଧରପଣା ଆଜି ନୀଳାଦ୍ରି ବିଜେ

0 68

ପୁରୀ, ୧୧ା୭(ଡିକେ ନ୍ୟୁଜ): ଳୀଳାମୟ ମହାପ୍ରଭୁଙ୍କ ବିଚିତ୍ର ଲୀଳା । କୋଟି ବ୍ରହ୍ମାଣ୍ଡର ମଉଡମଣି, ଭାବ ବିନୋଦିଆ କାଳିଆ ଠାକୁର ଲୀଳା ଲଗାଇ ବଡ଼ ଦେଉଳରୁ ଆସିଥିଲେ । ମଙ୍ଗଳବାର ପୁଣି ରତ୍ନ ସିଂହାସନକୁ ବିଜେ କରିବେ । ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ଅଧରପଣା ନୀତି ଶେଷ ହୋଇଛି । ତିନି ଠାକୁରଙ୍କ ନିକଟରେ ଅଧର ଉଚ୍ଚାର ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଛି । ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶାଇ ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥିଲା । ପରେ ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ, ସେବକ ତିନି ରଥରେ ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଅଧରପଣା ହାଣ୍ଡିକୁ ଭଙ୍ଗାଯାଇଥିଲା । ଚଣ୍ଡି, ଚାମଣ୍ଡା, ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି । ରଥର ପାର୍ଶ୍ୱ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ଭୋଗ ପାଇବା ପଇଁ ଚଣ୍ଡୀ, ଚାମୁଣ୍ଡା ଉଦ୍ଦେଶ୍ୟରେ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଥିଲା । ରଥ ଉପରେ ଅନୁଷ୍ଠିତ ହେଉଥିବା ଏହି ନୀତି ଦେଖିବା ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ନବଦିନାତ୍ମକ ଯାତ୍ରା ଶେଷକରି ମହାପ୍ରଭୁ ବାହୁଡି ଆସିଛନ୍ତି । ସିଂହଦ୍ୱାର ନିକଟରେ ସୁନାବେଶରେ ରଥ ଉପରୁ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଇ ସାରିଛନ୍ତି ମହାପ୍ରଭୁ । ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଧରପଣା ଭୋଗ କରାଯାଇଥିଲା । ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ତିନୋଟି ଲେଖାଏଁ ମାଟିହାଣ୍ଡି ତିନିରଥରେ ରଖାଯାଇଥିଲା । ମହାସୁଆର ସେବକ ସେଥିରେ କ୍ଷୀର, ସର, ଛାଚି, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର ଏବଂ ଜାଇଫଳ ପକାଇଥିଲେ । ପାଣିଆ ଆପଟଙ୍କ ଦ୍ୱାରା ଛାଉଣିମଠ କୂଅରୁ ଗରାରେ ପାଣି ଅଣାଯାଇ ଅଧରହାଣ୍ଡିରେ ଯୋଗାଯାଇଥିଲା । ମହାସୁଆର ଅଧରପଣା ପ୍ରସ୍ତୁତ କରିଥିଲେ । ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପୂଜା ପାଠ କରିଥିଲେ । ପୂଜାପଣ୍ଡା ସେବକଙ୍କ ଦ୍ୱାରା ପଞ୍ଚୋପଚାରରେ ମହାପ୍ରଭୁଙ୍କୁ ପଣାଭୋଗ କରାଯାଇଥିଲା । ରଥ ଚତୁଃପାର୍ଶ୍ୱ ଦେବଦେବୀଙ୍କ ସମେତ ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧରହାଣ୍ଡି ଭଙ୍ଗା ଯାଇଥିଲା । ଅଧରପଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡଓଡ଼ିଆ ମଠ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ । ଅଧରପଣା ହାଣ୍ଡି ଭଙ୍ଗାଯିବା ପରେ ରଥଉପର ପରିଷ୍କାର କରାଯାଇଥିଲା । ମହାପ୍ରଭୁ ମହାସ୍ନାନ ହୋଇଥିଲେ । ପୁଣିଥରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥିଲା । ଏହାପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଅନୁଷ୍ଠିତ ହୋଇଥିଲା । ଗରୁଡଶୟନ ନୀତି ପରେ ମହାପ୍ରଭୁଙ୍କୁ ରାତ୍ରପହୁଡ କରାଯାଇଥିଲା । ରଥଉପରେ ଅଧରପଣା ଭୋଗ ନୀତି ପ୍ରାୟ ୫୦୦ବର୍ଷର ପୁରୁଣା ବୋଲି ଗବେଷକ ମତ ଦିଅନ୍ତି । ଘୋଷଯାତ୍ରା ଶେଷକରି ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ଦାରୁବ୍ରହ୍ମ । ରଥଉପରୁ ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିବେ ।

Leave A Reply

Your email address will not be published.