ବଢ଼ିଲା କରୋନା ଚିନ୍ତା ୧୫ରୁ ମାଗଣା ବୁଷ୍ଟର ଡୋଜ

0 67

ନୂଆଦିଲ୍ଲୀ, ୧୩ା୭: ଆସନ୍ତା ୧୫ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଦିଆଯିବା କରୋନାର ବୁଷ୍ଟର ଡୋଜ୍ । ଏବେ ଲୋକମାନଙ୍କୁ ଟଙ୍କା ଦେଇ ବୁଷ୍ଟର ଡୋଜ୍ ନେବାକୁ ପଡ଼ୁଛି । ହେଲେ ବୁଷ୍ଟର ଡୋଜ୍ ନେବାକୁ କେହି ବି ଆଗ୍ରହ ଦେଖାଉ ନାହାନ୍ତି । ଏପରି ସ୍ଥିତିରେ
ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣାରେ ବୁଷ୍ଟର ଡୋଜ୍ ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ୧୮ ବର୍ଷରୁ ଅଧିକ ବୟସ୍କ ମାଗଣାରେ ବୁଷ୍ଟର ଡୋଜ୍‌ ନେଇପାରିବେ ବୋଲି ଆଜି ଆଜି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ଦେଶର ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ବୁଷ୍ଟର ଡୋଜ୍ ମାଗଣାରେ ଉପଲବ୍ଧ ହେବ । ବୁଷ୍ଟର ଡୋଜ୍ ପାଇଁ ୭୫ ଦିନର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ଆଜାଦୀ କି ଅମୃତ ମହୋତ୍ସବ ଅଭିଯାନ ଅଧୀନରେ ଲୋକଙ୍କୁ ମାଗଣାରେ କରୋନା ବିରୋଧୀ ପ୍ରିକସନ ବା ବୁଷ୍ଟର ଡୋଜ ଦିଆଯିବ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି, ଭାରତ ଏବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ଆଜାଦୀର ଏହି ଅମୃତ କାଳରେ ଜୁଲାଇ ୧୫ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ କରୋନା ବିରୋଧୀ ବୁଷ୍ଟର ଡୋଜନ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଆଗାମୀ ୭୫ ଦିନ ଯାଏ ଏହି ଅଭିଯାନ ଚାଲିବ । ଲୋକମାନେ ସରକାରୀ ଟିକାକରଣ କେନ୍ଦ୍ରକୁ ଯାଇ ମାଗଣାରେ ପ୍ରିକସନ ଡୋଜ ନେଇପାରିବେ । କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ଜଣେ ବ୍ୟକ୍ତି ପ୍ରିକସନ ଡୋଜ୍‌ ନେବାକୁ ଯୋଗ୍ୟତା ଅର୍ଜନ କରୁଥିଲେ । ହେଲେ କେନ୍ଦ୍ର ସରକାର ଏହାକୁ କୋହଳ କରିଛନ୍ତି । ଏଣିକି ୧୮ ବର୍ଷରୁ ଅଧିକ ବୟସ୍କମାନେ ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ । ଅନ୍ୟପକ୍ଷରେ ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି । ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି । ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୬ ହଜାର ୯୦୬ ରେ ପହଞ୍ଚିଛି । ସେହିପରି ଗତ ୨୪ ଘଣ୍ଟାରେ ୪୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫ଲକ୍ଷ ୨୫ ହଜାର ୫୧୯କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ୧୫ ହଜାର ୪୪୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ୪୫୭ରେ ପହଞ୍ଚିଛି । ଦେଶରେ ଦୈନିକ ପଜିଟିଭିଟି ରେଟ୍‌ ୩.୬୮ ପ୍ରତିଶତ ରହିଛି । ସେହିପରି ଓଡ଼ିଶାରେ ଧୀରେ ଧୀରେ କରୋନା ବିସ୍ଫୋରଣ ଆଡକୁ ମୁହାଁଉଛି । ଗତକାଲି ୫୦୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୭୦୦ ପାର୍ କରିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୮୭ ଜଣ ୧୮ ବର୍ଷରୁ କମ୍‌ ବୟସର ଶିଶୁ ଥିବା ଜଣାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍‌ିଟ୍ ଯୋଗେ ସୂଚନା ଦିଆଯାଇଛି । ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ୭୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୩ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରୁ ଚିହ୍ନଟ ହୋଇଥିବା ୭୪୩ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୨ ଜଣ, ବରଗଡ଼ ଜିଲ୍ଲାରୁ ୧ଜଣ, ଭଦ୍ରକ ଜିଲ୍ଲାରୁ ୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୪ ଜଣ, ବୌଦ୍ଧ ଜିଲ୍ଲାରୁ ୮ ଜଣ, କଟକ ଜିଲ୍ଲାରୁ ୧୧୫ଜଣ, ଦେବଗଡ ଜିଲ୍ଲାରୁ ୮, ଗଜପତି ଜିଲ୍ଲାରୁ ୨ଜଣ, ଗଞ୍ଜାମ ଜିଲ୍ଲାରୁ ୧ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧ ଜଣ, ଯାଜପୁର ଜିଲ୍ଲାରୁ ୧୨ଜଣ, ଝାରସୁଗୁଡା ଜିଲ୍ଲାରୁ ୬, କଳାହାଣ୍ଡି ଜିଲ୍ଲାରୁ ୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ଜଣ, କେନ୍ଦୁଝର ଜିଲ୍ଲାରୁ ୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୦୩ଜଣ, କୋରାପୁଟ ଜିଲ୍ଲାରୁ ୧୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୭ ଜଣ, ନୟାଗଡ଼ ଜିଲ୍ଲାରୁ ୧୧ ଜଣ, ନୂଆପଡ଼ା ଜିଲ୍ଲାରୁ ୧୧ଜଣ, ପୁରୀ ଜିଲ୍ଲାରୁ ୩୬ଜଣ, ରାୟଗଡା ଜିଲ୍ଲରୁ ୩ ଜଣ, ସମ୍ବଲପୁର ଜିଲ୍ଲାରୁ ୧୪ଜଣ, ସୋନପୁର ଜିଲ୍ଲାରୁ ୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୫ ଜଣ ଓ ଷ୍ଟେଟ ପୁଲରୁ ୬୦ ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୨,୯୫,୩୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୮୭୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨,୮୨,୨୭୦ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩,୨୨,୭୬,୨୨୦ ସାମ୍ପଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.