ଲଘୁଚାପ : ୭ରୁ ଭିଜିବ ଓଡ଼ିଶା

0 64

ଭୁବନେଶ୍ୱର, ୩୦ା୭(ଡିକେ ନ୍ୟୁଜ): ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଛି । ଏହି ସ୍ଥିତି ଆହୁରି ୫-୬ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି । ମୌସୁମୀ ଦୁର୍ବଳ ହେତୁ ଗଲା ୪ ଦିନ ହେବ ସ୍ୱାଭାବିକଠାରୁ କମ୍‌ ବର୍ଷା ହେଉଥିବା ବେଳେ ତାପମାତ୍ରା ମଧ୍ୟ ବୃଦ୍ଧି ହୋଇଛି । ଯାହାଦ୍ୱାରା ରାଜ୍ୟରେ ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ ଗରମ ଗୁଳୁଗୁଳି ଆରମ୍ଭ ହୋଇଛି । ତେବେ ଆସନ୍ତା ୫ ତାରିଖ ପରେ ସ୍ଥିତିରେ ପରିବର୍ତ୍ତନ ଆସିବା ସହ ରାଜ୍ୟରେ ପୁଣି ମୌସୁମୀ ସକ୍ରିୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି । କାରଣ ଆସନ୍ତା ୭ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସହ ରାଜ୍ୟକୁ ପୁଣି ବର୍ଷା ଫେରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ ନାଥ ପଶୁପାଳକ ଆକଳନ କରିଛନ୍ତି । ବିଭିନ୍ନ ମଡେଲକୁ ବିଶ୍ଳେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଅଗଷ୍ଟ ୭ ତାରିଖରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ରାଜ୍ୟରେ ୭-୯ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ମାତ୍ର ସେ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ । ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୭ ପରେ ହେବାକୁ ଥିବା ବର୍ଷା ଦ୍ୱାରା ଧାନ ରୁଆ ବେଉଷା ପାଇଁ ପାଣିର ଅସୁବିଧା ଦୂର ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ଅନ୍ୟପଟେ ବର୍ତ୍ତମାନ ଦୁର୍ବଳ ମୌସୁମୀ ଯୋଗୁଁ ରାଜ୍ୟରେ ବର୍ଷା କମିଛି । ଏହାସହିତ ରାଜ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ ଦ୍ୱାରା ବିଜୁଳି ଘଡ଼ଘଡ଼ି ଜାରି ରହିଛି । ଏହି ସ୍ଥିତି ଆହୁରି ୩ ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବାବେଳେ ଶନିବାର ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୂୟରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ିର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱାଭାବିକଠାରୁ ତାପମାତ୍ରା ୩-୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ତାପମାତ୍ରା ବୃଦ୍ଧି ସାଙ୍ଗକୁ ଆର୍ଦ୍ରତା ପରିମାଣ ଅଧିକ ରହିବାକୁ ଥିବାରୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.