ଭାରତକୁ ଦୁଇ ପଦକ ଦେଲେ ସଙ୍କେତ-ଗୁରୁରାଜା

0 61

ବର୍ମିଂହାମ, ୩୦ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ପଦକ । ଦେଶ ପାଇଁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ରୌପ୍ୟ ଜିତିଛନ୍ତି ସଙ୍କେତ ମହାଦେବ ସାଗର । ସେ ମୋଟ ୨୪୮ କେଜି ଓଜନ ଉଠାଇ ବର୍ମିଂହାମରେ ଭାରତର ଟେକ ରଖିଛନ୍ତି । ସେ ସ୍ନାଚରେ ୧୧୩ କେଜି ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୩୫ କେଜି ଓଜନ ଉଠାଇଛନ୍ତି । ତେବେ ଦ୍ୱିତୀୟ ଚେଷ୍ଟାରେ ସଙ୍କେତ ୧୪୧ କେଜି ଓଜନ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କହୁଣୀ ଗୁରୁତର ଭାବେ ଆଘାତ ପ୍ରାପ୍ତ ହୋଇଛି । ତଥାପି ସେ ତୃତୀୟ ଚେଷ୍ଟା କରିଥିଲେ । ହେଲେ ସେଥିରେ ମଧ୍ୟ ସଙ୍କେତ ନିରାଶ ହୋଇଛନ୍ତି । ତୃତୀୟ ଚେଷ୍ଟାରେ ଫେଲ ମାରିଥିବା ସଙ୍କେତଙ୍କ କହୁଣୀରେ ଆହୁରି ଶକ୍ତ ଆଘାତ ଲାଗିଛି । ଏଥିପାଇଁ ତାଙ୍କୁ ମେଡିକାଲ ସୁବିଧା ଯୋଗାଇ ଦିଆଯାଇଛି । ଏହି ବର୍ଗରେ ମାଲେସିୟାର ବିନ ମହମ୍ମଦ ଅନିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ମୋଟ ୨୪୯ କେଜି ଓଜନ ଉଠାଇଛନ୍ତି । ସେ ସ୍ନାଚରେ ୧୦୭ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୪୨ କେଜି ଓଜନ ଉଠାଇଛନ୍ତି । ଶ୍ରୀଲଙ୍କାର ଦିଲଙ୍କା ୟୋଡାଗେ ଏହି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ୨୨୫ କେଜି ଓଜନ ଉଠାଇଛନ୍ତି । ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ଦ୍ୱିତୀୟ ପଦକ ।
ଭାରୋତ୍ତୋଳନରେ ଗୁରୁରାଜା ପୂଜାରୀ ଭାରତ ପାଇଁ ଜିତିଛନ୍ତି ବ୍ରୋଞ୍ଜ ପଦକ । ଏହାପୂର୍ବରୁ ୫୫ କେଜି ଭାରୋତ୍ତୋଳନ ବର୍ଗରେ ସଙ୍କେତ ମହାଦେବ ସାଗର ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ । ଏବେ ଗୁରୁରାଜ ୬୧ କେଜି ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଗୋଟିଏ ଦିନରେ ଭାରତକୁ ଦୁଇଟି ପଦକ ମିଳିବାରୁ ଚାରିଆଡ଼ୁ ଦୁଇ ଖେଳାଳିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । କର୍ଣ୍ଣାଟକାର ଗୁରୁରାଜା ପୂଜାରୀ ୬୧ କେଜି ବର୍ଗର ସ୍ନାଚରେ ୧୧୮ କେଜି ଓଜନ ଉଠାଇଥିଲେ । ସେହିପରି ସେ କ୍ଲିନ ଆଣ୍ଡ ଜର୍କରେ ୧୫୧ କେଜି ଓଜନ ଉଠାଇଛନ୍ତି । ଏହାକୁ ମିଶାଇ ମୋଟ ୨୬୯ କେଜି ଓଜନ ଉଠାଇ ଗୁରୁରାଜ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ କାନାଡାର ୟୁରୀ ସିମରାଡଙ୍କଠାରୁ ମାତ୍ର ଅଧିକ ଗୋଟିଏ କେଜି ଓଜନ ଉଠାଇ ପଦ ଜିତିବାକୁ ସକ୍ଷମ ହୋଇଛନ୍ତି ।

Leave A Reply

Your email address will not be published.