ତିନି ଦିନ ପୂର୍ବରୁ ସରିଲା ବଜେଟ୍ ଅଧିବେଶନ

0 67

ଭୁବନେଶ୍ୱର, ୧ା୮(ଡିକେ ନ୍ୟୁଜ): ଜୁଲାଇ ୨ତାରିଖରୁ ଆରମ୍ଭ ହୋଇଥିବା ବଜେଟ୍‌ ଅଧିବେଶନ ଆଜି ସମାପ୍ତ ହୋଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି । ଦୁଇ ପର୍ଯ୍ୟାୟରେ ବସିଥିବା ବଜେଟ୍ ଅଧିବେଶନରେ ମୋଟ୍ ୨୧ଟି କାର୍ଯ୍ୟ ଦିବସ ଥିବାବେଳେ ଏଥିରେ ଦୁଇଟି ସରକାରୀ କାର୍ଯ୍ୟ ଦିବସ ଅନ୍ତର୍ଭୁକ୍ତ ରହିଥିଲା । ଅଧିବେଶନ କାଳରେ ମୋଟ୍ ୨୧୫୬ଟି ତାରକା ଚିହ୍ନଟ ପ୍ରଶ୍ନ ଓ ୨୭୯୭ଟି ଅଣତାରକା ଚିହ୍ନଟ ପ୍ରଶ୍ନ ଆସିଥିଲା । ତେବେ ପ୍ରଶ୍ନକାଳରେ ୫୮ଟି ପ୍ରଶ୍ନର ଉତ୍ତର ବିଭାଗୀୟ ମନ୍ତ୍ରୀମାନେ ଦେଇଥିଲେ । ମୋଟ୍ ୩୭୮୪ଟି ଅଣତାରକା ପ୍ରଶ୍ନର ଉତ୍ତର ଗୃହରେ ଉପସ୍ଥାପନ ହୋଇଥିଲା । ଏହି ସମୟ ମଧ୍ୟରେ ଗୃହରେ ୧୧ଟି ମୁଲତବି ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଥିବାବେଳେ ୪୩ଟି କାଗଜ ଉପସ୍ଥାପନ, ୧୪ଟି ବାର୍ଷିକ ରିପୋର୍ଟ, ୪୩ଟି କମିଟି ରିପୋର୍ଟ, ୩୭ଟି ନିବେଦନ, ୭ଟି ବିବୃତ୍ତି, ୮ଟି ସରକାରୀ ବିଧେୟକ ପ୍ରସ୍ଥାପନ ହୋଇଥିବାବେଳେ ସେଥିରୁ ୭ଟି ପାରିତ ହୋଇଥିଲା । ସେହିଭଳି ୨୧ଟି ବିଭାଗର ଖର୍ଚ୍ଚଦାବି ଆଲୋଚନା ପରେ ପାରିତ ହୋଇଥିବାବେଳେ ଅନ୍ୟ ବିଭାଗର ଖର୍ଚ୍ଚଦାବି ଗିଲୋଟିନ ମାଧ୍ୟମରେ ପାରିତ ହୋଇଥିଲା । ଆଲୋଚନା ଶେଷରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଥିବା ୨ଲକ୍ଷ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା । ଏହି ଅଧିବେଶନ କାଳରେ ଦୁଇ ଦୁଇ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଜାତୀୟ କଂଗ୍ରେସ ମୁଖପାତ୍ର ଓ କଂଗ୍ରେସ ସାଂସଦଙ୍କ ଆପତ୍ତିଜନକ ଟିପ୍ପଣୀକୁ ନେଇ ବିଜେପି ସଦସ୍ୟମାନେ ଗୃହରେ ପ୍ରବଳ ହଟଗୋଳ କରିବାରୁ ଗୃହକାର୍ଯ୍ୟ ବାରମ୍ବାର ମୁଲତବି ହୋଇଥିଲା । ସେହିଭଳି ବିରୋଧିଦଳ ପକ୍ଷରୁ ଘରୋଇ କମ୍ପାନୀର ସରକାରୀ ସମ୍ପତ୍ତି ଜବତ ଏବଂ ଚିଟଫଣ୍ଡ ତଦନ୍ତ ସଂକ୍ରାନ୍ତରେ ଦିଆଯାଇଥିବା ମୁଲତବୀ ନୋଟିସ୍‌କୁ ଗ୍ରହଣ କରାନଯିବାରୁ ଏହାକୁ ନେଇ ମଧ୍ୟ ଗୃହରେ ବିରୋଧି ସଦସ୍ୟମାନେ ହଟଗୋଳ କରିଥିଲେ । ଅଧିବେଶନ କାଳରେ କୋଟିଆ, କାଶୀପୁର ଝାଡାବାନ୍ତି, ମାଲକାନଗିରିରେ ମହିଳାଙ୍କ ଉପରେ
ପୋଲିସର ଆକ୍ରମଣ ପ୍ରସଙ୍ଗେରେ ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ମନ୍ତ୍ରୀମାନେ ବିବୃତ୍ତି ଦେଇଥିଲେ । ସେହିଭଳି ରତ୍ନଭଣ୍ଡାର ଚାବି ଖୋଲିବା, ବେକାରୀ ସମସ୍ୟା, ବିଧାୟକମାନଙ୍କ ଦରମା ବୃଦ୍ଧି, ଠିକା ନିଯୁକ୍ତି, ଖାଦ୍ୟ ସୁରକ୍ଷା ଆଇନରେ ଅପେକ୍ଷାରତ ହିତାଧିକାରୀଙ୍କୁ ସାମିଲ, ଚାଷୀଙ୍କୁ ଫସଲବୀମା ଅର୍ଥ ପ୍ରଦାନ, ଉତ୍ପାଦିତ ପନିପରିବାର ବଜାର ବ୍ୟବସ୍ଥା ଆଦି ପ୍ରସଙ୍ଗରେ ମଧ୍ୟ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ବଜେଟ୍ ଅଧିବେଶନ ବସିଥିବାରୁ ଚଳିତ ଥର ଗୃହରେ ନୂଆ ମନ୍ତ୍ରୀମାନେ ନିଜ ନିଜ ବିଭାଗର ଉତ୍ତର ରଖିଥିଲେ । ଏମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପ୍ରମୁଖ ରହିଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ସୁରୁଖୁରୁରେ ଚଳାଉଥିବା ବେଳେ ଆବଶ୍ୟକ ସ୍ଥଳେ ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ଅଧିଷ୍ଠାତା ମଣ୍ଡଳୀ ସଦସ୍ୟମାନେ ତାଙ୍କୁ ସହଯୋଗ କରୁଥିଲେ ।

Leave A Reply

Your email address will not be published.