ଏଣିକି ଯୁକ୍ତ ଦୁଇରେ ହେବ ତ୍ରୈମାସିକ ପରୀକ୍ଷା

0 87

ଭୁବନେଶ୍ୱର, ୯ା୮(ଡିକେ ନ୍ୟୁଜ): ଚଳିତ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ତ୍ରୈମାସିକ ପରୀକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତି ତିନି ମାସରେ ଛାତ୍ରଛାତ୍ରୀ ଗୋଟିଏ ଲେଖାଏ ପରୀକ୍ଷା ଦେବାକୁ ପଡିବ । ଅର୍ଥାତ୍‌ ବର୍ଷକୁ ୩ଟି ପରୀକ୍ଷା ଦେବା ବାଧ୍ୟତାମୂଳକ । ଯଦି କୌଣସି ପରୀକ୍ଷାର୍ଥୀ ଏହି ପରୀକ୍ଷାଗୁଡ଼ିକରେ ଅଂଶଗ୍ରହଣ ନ କରନ୍ତି ତେବେ ସେମାନେ ମୁଖ୍ୟ ପରୀକ୍ଷାରେ ଭାଗ ନେଇପାରିବେ ନାହିଁ । କରୋନା ପାଇଁ ଗତ
ଶିକ୍ଷାବର୍ଷରେ ଆରମ୍ଭ ହୋଇଥିବା ଏଭଳି ଢାଞ୍ଚାକୁ ୨୦୨୨-୨୩ ଶିକ୍ଷାବର୍ଷରେ ମଧ୍ୟ ଲାଗୁ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୋଜନା କରାଯାଇଛି । ଏନେଇ ପ୍ରାରମ୍ଭିକ ଆଲୋଚନା ମଧ୍ୟ ଶେଷ ହୋଇଛି । ବିଭାଗୀୟ ଅଧିକାରୀ ଓ ପରୀକ୍ଷା ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଏଭଳି ବ୍ୟବସ୍ଥା ସପକ୍ଷରେ ଅଛନ୍ତି । ମାତ୍ର ଉକ୍ତ ତ୍ରୈମାସିକ ପରୀକ୍ଷାଗୁଡ଼ିକର ମାର୍କକୁ ମୁଖ୍ୟ ପରୀକ୍ଷା ସହ ମିଶାଯିବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏନେଇ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ପଦକ୍ଷେପ ନିଆଯିବ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି । ଅନ୍ୟପଟେ ଚଳିତ ଶିକ୍ଷାବର୍ଷରୁ ଶତ ପ୍ରତିଶତ ସିଲାବସରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସହ ପରୀକ୍ଷା ହେବ । ଏନେଇ
ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଶତ ପ୍ରତିଶତ ସିଲାବସରେ ପାଠପଢ଼ା ସହ ସିଲାବସ୍ ଆଧାରରେ ପିଲାଙ୍କ ପରୀକ୍ଷା ବି କରାଯିବ ।
କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା । ୭୦ପ୍ରତିଶତ ସିଲାବସ୍‌ରେ ପାଠ ପଢା ସହ ପରୀକ୍ଷା ବି ହୋଇଥିଲା । କିନ୍ତୁ ଚଳିତ ଶିକ୍ଷାବର୍ଷରେ ୧୦୦ ପ୍ରତିଶତ ସିଲାବସର ପାଠ ପଢ଼ି ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏଥି ସହିତ ଯେଉଁ ଛାତ୍ରଛାତ୍ରୀ ୨୦୨୨ରେ ଫେଲ୍ ହୋଇଯାଇଛନ୍ତି, ସେମାନେ ପୁରୁଣା ସିଲାବସ୍ ଅନୁସାରେ ୨୦୨୩ରେ ପରୀକ୍ଷା ଦେବେ । ସେମାନଙ୍କ ପ୍ରଶ୍ନ ୨୦୨୨ ଢାଞ୍ଚାରେ ରହିବ । ୭୦ ପ୍ରତିଶତ ସିଲାବସ୍‌ରେ ସେମାନେ ପରୀକ୍ଷା ଦେବେ ।

Leave A Reply

Your email address will not be published.